ଭୁବନେଶ୍ବର : ନବେ ଦଶକରେ ଫିଚରଧର୍ମୀ ସାହିତ୍ୟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବିଶିଷ୍ଟ ଲେଖକ, ସଂପାଦକ ଓ ଅନୁବାଦକ ଅଭୟ ସିଂହ ଆଉ ଆମ ଗହଣରେ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହୃଦ‌୍‌ଘାତରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଶାର ସାହିତ୍ୟିକ ମହଲ ଓ ସାରସ୍ବତ ଜଗତରେ ଶୋକର ଛାୟା ଖେଳିଯାଇଛି। ମାଡ୍ରାସ୍‌ରୁ ଚନ୍ଦାମାମା ପବ୍ଲିକେସନ୍ ଦ୍ବାରା ପ୍ରକାଶ ପାଉଥିବା ସମ୍ଭ୍ରାନ୍ତ ମାସିକ ପତ୍ରିକା ‘ସଚିତ୍ର ବିଜୟା’ର ସେ ଥିଲେ ପ୍ରତିଷ୍ଠାତା ସମ୍ପାଦକ। ଏହି ପତ୍ରିକାକୁ ଲୋକପ୍ରିୟତାର ଶୀର୍ଷକୁ ନେଇ ସେ ପାଲଟିଥିଲେ ଚର୍ଚ୍ଚିତ ବ୍ୟକ୍ତିତ୍ବ। ମାତ୍ର ଭୁବନେଶ୍ବରସ୍ଥିତ ଜରା ନିବାସ ‘ଆନନ୍ଦ ଆଶ୍ରମ’ରେ କଟିଥିଲା ଶେଷ ଜୀବନ। ଆତ୍ମୀୟସ୍ବଜନ ଏବଂ ସାରସ୍ବତ ଜଗତରେ ତାଙ୍କର ଅନେକ ପ୍ରଶଂସକ ଥିଲେ ବି ଶେଷ ସମୟରେ ତାଙ୍କ ପାଇଁ କେହି ଆହା ପଦେ କହୁ, ଏ ସୁଯୋଗ କାହାକୁ ଦେଇନଥିଲେ। ସବୁ ଗ୍ଳାନି ଓ ଦୁଃଖକୁ ମନ ଭିତରେ ଚାପି ଅଫେରା ରାଇଜକୁ ସବୁଦିନ ପାଇଁ ଫେରିଗଲେ।

Advertisment

୧୯୫୩ ମସିହା ୧୮ ଏପ୍ରିଲ‌ରେ କେନ୍ଦ୍ରାପଡ଼ାର ଲକ୍ଷ୍ମୀନାରାୟଣପୁରରେ ଜନ୍ମିତ ଅଭୟ କଲେଜ ଛାତ୍ର ସମୟରୁ ସାହିତ୍ୟରେ ତାଙ୍କର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ବିଜେବି କଲେଜରେ ପଢ଼ିଲାବେଳେ ଗଳ୍ପ ଓ କବିତା ରଚନା କ୍ଷେତ୍ରରେ ସେ ସକ୍ରିୟ ଥିଲେ ଏବଂ କଲେଜସ୍ତରୀୟ ପ୍ରତିଯୋଗିତାଗୁଡ଼ିକରେ କୃତିତ୍ବ ହାସଲ କରୁଥିଲେ। ସମବାୟ ବିଭାଗରେ ଚାକିରି ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ମଧ୍ୟ ଛାଡ଼ି ଦେଇଥିଲେ। ଏହି ସମୟରେ ସମବାୟ ପତ୍ରିକା ‘କଲ୍ୟାଣୀ’ର ଡେପୁଟି ଏଡିଟର୍‌ ଭାବେ ଦାୟିତ୍ବ ନିଭାଇଥିଲେ। ତେବେ ନବେ ଦଶକରେ ‘ସଚିତ୍ର ବିଜୟା’ର ସମ୍ପାଦନା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ‘ଚନ୍ଦାମାମା ଗ୍ରୁପ୍‌’ ପକ୍ଷରୁ ପ୍ରଥମ କରି ୧୯୯୪ ଅକ୍ଟୋବରରେ ପ୍ରକାଶ ପାଇଥିବା ଏହି ପତ୍ରିକା ଦାୟିତ୍ବରେ ରହି ଶବ୍ଦ, ବିଷୟବସ୍ତୁ ଓ ଭାଷାର ଏମିତି ମହକ ବୁଣୁଥିଲେ ଯେ ସେତେବେଳେ ଏହି ପତ୍ରିକାର ବିକ୍ରି ସଂଖ୍ୟା ୫୦ ହଜାର ଅତିକ୍ରମ କରିଯାଉଥିଲା। ବିଜୟା ପତ୍ରିକା କେବଳ ତାଙ୍କୁ ପରିଚୟ ଦେଲା ନାହିଁ, ବରଂ ଓଡ଼ିଶାର ବିଭିନ୍ନ କଥାକୁ ଫିଚରଧର୍ମୀ ଉପସ୍ଥାପନ କରିବାରେ ତାଙ୍କର ଅସାଧାରଣ ଦକ୍ଷତାକୁ ପ୍ରତିପାଦନ କଲା। ‘ସଚିତ୍ର ବିଜୟା’ର ପ୍ରଥମ ଦୁଇ ବର୍ଷ ମଧ୍ୟରେ ୨୪ଟି ସଂଖ୍ୟା ସଂପାଦନା କରି ସେ ବୁଦ୍ଧିଜୀବୀ ମଣ୍ଡଳୀ ଓ ପାଠକୀୟ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ଓଡ଼ିଶାରେ ଏକ ଶକ୍ତିଶାଳୀ ଫିଚର୍‌ ଲେଖକ ଗୋଷ୍ଠୀ ତିଆରି ହୁଅନ୍ତୁ ବୋଲି ସେ ଚାହିଥିଲେ ଏବଂ ଯଥ‌ାର୍ଥ ଫିଚର୍‌ ସଂପାଦନାର ମୂଳଦୁଆ ପକାଇଥିଲେ। ଅସମ୍ଭବ ଶବ୍ଦ-ଚାତୁରୀ, ପ୍ରେରଣାପ୍ରଦ ଶବ୍ଦବିନ୍ୟାସ ଓ ସମ୍ମୋହକ ପ୍ରକାଶଭଙ୍ଗୀ ଥିଲା ଅଭୟ ସିଂହଙ୍କ ଲେଖକୀୟ ବିଶେଷତ୍ତ୍ବ।

ତେବେ ୧୯୯୬ ଅକ୍ଟୋବରରେ ହଠାତ୍ ସେ ‘ସଚିତ୍ର ବିଜୟା’ ସମ୍ପାଦନାରୁ ସ୍ବେଚ୍ଛାକୃତ ଅବସର ନେଇ ଯାଇଥିଲେ । ପରେ ପରେ ସେକ୍‌ ମତ୍‌ଲୁବ୍‌ ଅଲ୍ଲୀଙ୍କ ସଂପାଦନାରେ ପ୍ରକାଶ ପାଉଥିବା ‘ଆଗାମୀ ଶତାବ୍ଦୀ’ ପତ୍ରିକାରେ ସେ ବହୁ ଉଚ୍ଚକୋଟୀର ଫିଚର୍‌ ଲେଖିଥିଲେ। ୧୯୯୮-୧୯୯୯ ବେଳକୁ ନିଜସ୍ବ ଉଦ୍ୟମରେ ସେ ‘ପ୍ରବାହ’ ପତ୍ରିକା ସଂପାଦନା କରିଥିଲେ, ଯାହାର ମାତ୍ର ଦୁଇଟି ସଂଖ୍ୟା ପ୍ରକାଶିତ ହୋଇଥିଲା ଏବଂ ସେଥିରେ ସର୍ବୋତ୍କୃଷ୍ଟ ସଂପାଦନାର ନିଦର୍ଶନ ଦେଖିବାକୁ ମିଳିଥିଲା ବୋଲି ସମୀକ୍ଷକମାନେ ମତ ଦେଇଥାନ୍ତି। ଏହା ବ୍ୟତୀତ ଭାରତର ବିଶିଷ୍ଟ ସାମ୍ବାଦିକ ଓ ଲେଖକ ପି. ସାଇନାଥଙ୍କ ଲୋକପ୍ରିୟ ପୁସ୍ତକ ‘ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରଟ୍‌’ର ସେ ପ୍ରଭାବଶାଳୀ ଅନୁବାଦ କରିଥିଲେ, ଯାହା ‘ମରୁଡ଼ି ପଡ଼ିଲେ ସଭିଙ୍କ ମଉଜ’ ନାଁରେ ପ୍ରକାଶିତ ହୋଇଥିଲା। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ପୋଖରାନ୍‌ରେ ଯେଉଁ ପରମାଣୁ ପରୀକ୍ଷଣ ହୋଇଥିଲା ସେହି ସମୟରେ ପରମାଣୁ ବୋମାର ମାନବ ସମାଜ ପ୍ରତି ଅଭିଶାପକୁ ନେଇ ସେ ଆଉ ଏକ ପୁସ୍ତକ ‘ସହସ୍ର ସୂର୍ଯ୍ୟର ଅନ୍ଧକାର’ ରଚନା କରିଥିଲେ। ‘ଧରିତ୍ରୀ’ରେ ସ୍ତମ୍ଭ ଲେଖିବା ସହ ‘ଅଧୁନା’ ପତ୍ରିକା ସହ ସମ୍ପୃକ୍ତ ହୋଇଥିଲେ।

ପରବର୍ତ୍ତୀ ସମୟରେ ‘ଜୀବନ’ ନାମକ ଏକ ଅନୁଷ୍ଠାନ କରି ପରିବେଶ ସୁରକ୍ଷା ଦିଗରେ କାମ କରିଥିଲେ। ବ୍ୟାପକ ବୃକ୍ଷରୋପଣ ସହ ଔଷଧୀୟ ଉଦ୍ୟାନ ସୃଷ୍ଟିର ଏକ ଅଭିଯାନ ଆରମ୍ଭ କରିଥିଲେ। ସାରସ୍ବତ ଜୀବନରେ ବହୁ ଶୀର୍ଷକୁ ଯାଇଥିଲେ ମଧ୍ୟ ବ୍ୟକ୍ତିଗତ ଜୀବନରେ ତାଙ୍କର ଅନେକ ଦୁଃଖ ଭରି ରହିଥିଲା। ପତ୍ନୀ ଓ ଝିଅ ଥିଲେ ହେଁ ସେ ପରିବାର ସହ ରହୁନଥିଲେ। ବରଂ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ ସମୟ ସେ ଜରା ନିବାସରେ ଦିନ କାଟିଥିଲେ। ଅଭୟଙ୍କ କନ୍ୟା ଉର୍ମି ଅମ୍ରିତା ସିଂହଙ୍କ ସୂଚନା ମୁତାବକ, ୨୦୧୬ରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। କିଛି ବର୍ଷ ହେବ ସ୍ମୃତିଶକ୍ତି ବି କମି ଆସିଥିଲା। କିଛିଦିନ ହେଲା ମଧୁମେହ ନିୟନ୍ତ୍ରଣରେ ଥିଲା। ‌ଶେଷରେ ଶୁକ୍ରବାର ରାତି ୧ଟା ସମୟରେ ହୃଦ୍‌ଘାତ ଯୋଗୁ ତାଙ୍କର ପରଲୋକ ଘଟିଲା। ଆଜି ଏହି ଖବର ପାଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ଓ ପାକ୍ଷିକ ‘ଭିନ୍ନଦୃଷ୍ଟି’ର ସଂପାଦକ ଆଶିଷ ରଞ୍ଜନ ମହାପାତ୍ରଙ୍କ ସମେତ କିଛି ବ୍ୟକ୍ତିବିଶେ‌ଷ ତାଙ୍କର ଶେଷ ଦର୍ଶନ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଝିଅ ଉର୍ମି ଅମ୍ରିତା ମୁଖାଗ୍ନି ଦେଇଥିଲେ।