ବଲାଙ୍ଗୀରରେ ଅଭୟକାନ୍ତ ଲିଙ୍କ୍‌ : ଦରମା ପାଇଥିଲେ ୬୦ ଲକ୍ଷ, ଉପୁରି ବେହିସାବ

କେନ୍ଦୁପତ୍ରର ଗୋଟିଏ ଋତୁରେ ଆସୁଥିଲା ୧୨୦ କୋଟିରୁ ଅଧିକ
୨୦୧୬ର ସଂପତ୍ତି ତାଲିକା କଟକ ପଠାଗଲା

ବଲାଙ୍ଗୀର : ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ବଲାଙ୍ଗୀର ଜିଲ୍ଲାରେ କେନ୍ଦୁଲିଫ୍‌ ବିଭାଗରେ ପାଖାପାଖି ଚାରି ବର୍ଷ ଥିଲେ। ଦେଖିବାକୁ ସିଧାସାଧା ଥିବା ପାଠକ, କିନ୍ତୁ କର୍ମଚାରୀଙ୍କ ଉପରେ କଡ଼ା ଶାସନ ଜମାଇ ରଖିଥିଲେ। ଯିଏ ମୁହଁ ଖୋଲିଲା ତା ବିରୋଧରେ ହେଉଥିଲା ପ୍ରସିଡିଙ୍ଗ। ଯିଏ ଚୁପ୍‌ ରହିଲା ତାକୁ ସବୁ ମାଫ୍‌। ଏବେ ଭିଜିଲାନ୍ସ ଆରମ୍ଭ କରିଛି ତଦନ୍ତ। ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ କଟକ ଭିଜିଲାନ୍ସ ବିଭାଗର ନିର୍ଦେଶକ୍ରମେ ସବିଶେଷ ତଥ୍ୟ ଲୋଡ଼ିଛି। ଅଭୟକାନ୍ତ ବଲାଙ୍ଗୀରରେ ଅବସ୍ଥାପିତ ଥିବା ସମୟର ସବୁ କାଗଜପତ୍ର ଭିଜିଲାନ୍ସ ଜବତ କରି ସେସବୁରୁ ତଥ୍ୟ ଜୁଟାଇବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଅଭୟକାନ୍ତ ଏଠାରେ ୭.୧୨.୨୦୧୪ରେ ଯୋଗ ଦେଇ ୧୧.୬.୨୦୧୭ ଯାଏ ରହିଥିଲେ। କେନ୍ଦୁଲିଫ୍‌ ବିଭାଗର ସେ ଥିଲେ ଗେହ୍ଲା ପୁଅ। କୁଆଡ଼େ ସେ ସମୟର କଳା କାରବାରର ଭାଗ ଉପର ମହଲକୁ ବି ଯାଉଥିଲା। କେନ୍ଦୁପତ୍ରର ଗୋଟିଏ ଋତୁରେ ପ୍ରାୟ ୧୨୦କୋଟିରୁ ୧୨୫ କୋଟି ଟଙ୍କା ଆସୁଥିଲା। ୮ଟି ଡିଭିଜନକୁ ଏହି ଟଙ୍କା ଯାଉଥିଲା। ସେଠାରେ କେତେ ଖର୍ଚ୍ଚ ଓ କେତେ ହଡ଼ପ ହୁଏ କେନ୍ଦୁଲିଫ ବିଭାଗ କଥା ଊଣାଅଧିକେ ସମସ୍ତଙ୍କୁ ଜଣା।

ବଲାଙ୍ଗୀର ସିସିଏଫ୍‌ ସର୍କଲରେ ସବୁ ବର୍ଷ ଦୁର୍ନୀତିର ଫର୍ଦ୍ଦ ବାହାରେ। ଚଳିତ ଥର ଲକ୍‌ଡାଉନ୍‌ ସମୟରେ ବି ଦୁର୍ନୀତିର ଫର୍ଦ୍ଦ ଫର୍ଦ୍ଦ ତଥ୍ୟ ସାମ୍ନାକୁ ଆସିଥିଲା। ଭିଜିଲାନ୍ସ ଏଥର ବି ପିସି କାରବାର ଅଭିଯୋଗରେ ଜଣେ ଡିଏଫ୍‌ଓଙ୍କୁ ଜେଲ ପଠାଇଥିଲା। ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କ ସମୟରେ ବି ଖୋଲାଖୋଲି ସବୁ କାମ ଚାଲିଥିଲା ବୋଲି ଅଭିଯୋଗ ଉଠୁଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବଲାଙ୍ଗୀରରେ ରହିବା ଅବଧି ମଧ୍ୟରେ ସେ ଦରମା ବାବଦକୁ ମୋଟ ୬୨ଲକ୍ଷ ୧୬ହଜାର ୬୩ ଟଙ୍କା ପାଇଥିଲେ। ଏହା ଥିଲା ତାଙ୍କ ଚାକିରିର ବୈଧ ଆୟ। ଏହାବାଦ୍‌ ଶହ ଶହ କୋଟି ଟଙ୍କାର କଳା କାରବାରରେ ତାଙ୍କ ବଡ଼ ଭୂମିକା ରହିଥିଲା। ଦରମା ଅପେକ୍ଷା ଉପୁରି ଅଧିକ ଥିଲା ବୋଲି ବିଭାଗରେ ଚାଲିଛି ଟୁପୁରୁଟାପୁରୁ। ସେ ବେଶ୍‌ ଅୟସରେ ରହୁଥିଲେ। ଟ୍ରେନିଂ ପାଇଁ ଗଲେ ବି ବିମାନରେ ଯାଉଥିଲେ। ସେହିପରି ଅଭୟକାନ୍ତ ୨୦୧୬ ମସିହାରେ ନିଜ ଝିଅ ବାହାଘର ପାଇଁ ଜିପିଏଫ୍‌ରୁ ୨୧ ଲକ୍ଷ ଟଙ୍କା ଉଠାଇଥିଲେ। ଝିଅ ବାହାଘର ପାଇଁ ସେ ୧୫.୨.୨୦୧୬ରୁ ୪.୩.୨୦୧୬ ଯାଏ ଛୁଟିରେ ବି ରହିଥିଲେ। ଭିଜିଲାନ୍ସ ଏସବୁର ତଦନ୍ତ କରୁଥିବା କୁହାଯାଉଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍ କେନ୍ଦୁଲିଫ ସିସିଏଫ୍‌ ଅଫିସକୁ ଯାଇଥିଲା। ସେଠାରେ ତଥ୍ୟ ଦେବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ଟିମ୍‌ ଆଉ ଥରେ ଯାଇ ସବୁ କାଗଜପତ୍ର ଜବତ କରି ଫେରିଥିଲା।

ଆଇଏଫ୍‌ଏସ୍‌ ଅଭୟକାନ୍ତ ୨୦୧୬ ବର୍ଷରେ ନିଜର ସଂପତ୍ତି ତାଲିକା ଦେଇଛନ୍ତି। ଭିଜିଲାନ୍ସ କୁଆଡ଼େ ସେହି ଲଫାପାକୁ ଖୋଲି ନାହିଁ। ତାହାକୁ ଉପରିସ୍ଥ ଅଧିକାରୀଙ୍କୁ ପଠାଯାଇଥିବା ଜଣାପଡ଼ିଛି। ଏହାସହ ବହୁ କାଗଜପତ୍ର ଜଣେ ସ୍ପେସାଲ ମେସେଞ୍ଜର ଜରିଆରେ କଟକ ଭିଜିଲାନ୍ସ ଅଫିସକୁ ପଠାଯାଇଛି। ଏପଟେ ବଲାଙ୍ଗୀର କେନ୍ଦୁଲିଫ ବିଭାଗରେ ତାଙ୍କ ସମୟରେ ଅବସ୍ଥାପିତ ରହି କାର୍ଯ୍ୟରତ ଥିବା କର୍ମଚାରୀ ଓ ଅଧିକାରୀଙ୍କ ଭିତରେ ବି ଛନକା ପଶିଲାଣି। କାରଣ ଯଦି ଭିଜିଲାନ୍ସ ହାତରେ ବିଭାଗୀୟ ଦୁର୍ନୀତିର ଚିଠା ଲାଗେ ତାହେଲେ ସେମାନଙ୍କ ଉପରେ ବି ଏକ୍ସନ୍‌ ହୋଇପାରେ। କେନ୍ଦୁଲିଫ ବିଭାଗରେ କାର୍ଯ୍ୟରତ କିଛି ଅଧିକାରୀ ଓ କର୍ମଚାରୀ କୋଟିପତି ହୋଇସାରିଛନ୍ତି। ବିରି ମାଡ଼ ଦେଖି କୋଳଥ ଚେପା ହେବା ଭଳି ଅବସ୍ଥାରେ ସେମାନେ। ଭିଜିଲାନ୍ସ ବିଭାଗ ଏବେ ଭିତରକୁ ପଶୁଥିବାରୁ ସବୁଠି ଦୁର୍ନୀତି ଲୁଚାଇବାକୁ ଆରମ୍ଭ ହୋଇଗଲାଣି କସରତ। ତେଣୁ ଅଭୟକାନ୍ତଙ୍କ ବିରୋଧରେ ତଦନ୍ତକୁ ଯେ ସମସ୍ତେ ସହଯୋଗ କରିବେ ତାହା କହିହେବନି।

ସମ୍ବନ୍ଧିତ ଖବର