ବାପା ମୁକୁଳିଲେ, ପୁଅ ନିରାଶ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ, ଜେଲରେ ଥାଇ ଚାକିରି ହରାଇଥିଲେ

ଭୁବନେଶ୍ବର : ଦୀର୍ଘ ସାଢ଼େ ୬ ମାସ ପରେ ଜେଲରୁ ମୁକୁଳିଛନ୍ତି ଚାକିରି ହରାଇଥିବା ଆଇଏଫଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକ। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗତକାଲି ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ନିମ୍ନ ଅଦାଲତରେ ଦୁଇଜଣ ଜାମିନଦାର ଓ ଦୁଇ ଲକ୍ଷ ଟଙ୍କା ଦାଖଲ କରିବା ପରେ ସେ ଜେଲ୍‌ରୁ ବାହାରିଛନ୍ତି। କିନ୍ତୁ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ନିରାଶ ହେବାକୁ ପଡ଼ିଛି। ଗତକାଲି ତାଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୦୨୦ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ପାଠକ ବାପ-ପୁଅଙ୍କୁ ଗିରଫ କରିଥିଲା। ଉଭୟ ଜେଲ୍ ଯାଇଥିଲେ। ଜେଲରେ ଥିବା ବେଳେ ଉଭୟଙ୍କ ନାମରେ ଗୋଟିଏ ପରେ ଗୋଟିଏ ମାମଲା ଛନ୍ଦି ହୋଇଯାଇଥିଲା। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ ହୋଇଥିଲା। ସେହିପରି ଗଞ୍ଜାମ ଗୋଳନ୍ଥରା ଓ ବୈଦ୍ୟନାଥପୁର ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହାସହ ଟ୍ରାଭେଲ୍ସ ଏଜେନ୍ସିର ୬୫ଲକ୍ଷ ଟଙ୍କା ବିମାନ ଭଡ଼ା ଠକେଇ ମାମଲାରେ ଖାରେବେଳନଗର ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏ ସମସ୍ତ ମାମଲାରେ ଅଭୟକାନ୍ତଙ୍କୁ ଜାମିନ ମିଳି ସାରିଛି। ଚାକିରି କାଳରେ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାରଙ୍କ ସୁପାରିସକ୍ରମେ ଗତ ମେ’ ୪ ତାରିଖରେ ତାଙ୍କୁ ବହିସ୍କୃତ କରାଯାଇଥିଲା। ଅପରପକ୍ଷେ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସପ୍ତାହକ ତଳେ ଜେଲରୁ ମୁକୁଳି ସାରିଛନ୍ତି।

ସମ୍ବନ୍ଧିତ ଖବର