ଆଇଏଫଏସ୍ ଅଭୟ ପାଠକଙ୍କ ପୁଅକୁ ଭୁବନେଶ୍ବର ଆଣିଲା ଭିଜିଲାନ୍ସ ଟିମ୍, ସଂପତ୍ତି ନେଇ ଚାଲିବ ଅଧିକ ପଚରାଉଚରା

ଆଇଏଫଏସ୍ ଅଭୟ ପାଠକଙ୍କ ଅମାପ ସମ୍ପତ୍ତିର ତଥ୍ୟ ଦେଲା ଭିଜିଲାନ୍ସ

ଭୁବନେଶ୍ବର:  ପିସିସିଏଫ୍  ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିବା ପରେ ଏହା ଓଡ଼ିଶା ଭିଜିଲାନ୍ସର ସବୁଠାରୁ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଗତକାଲିଠାରୁ ଜାରି ରହିଛି ତଲାସୀ, ମିଳୁଛି ଅମାପ ସଂପତ୍ତି । ଆଜି ପୁନେରୁ ଭିଜିଲାନ୍ସ ଟିମ୍ ଆଇଏଫଏସ୍ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଆଣିଛି। ତାଙ୍କୁ ସଂପତ୍ତି ଠୁଳ ନେଇ ଅଧିକ ପଚରାଉଚରା କରାଯିବ। କାରଣ ତାଙ୍କ ନାମରେ ବହୁପରିମାଣରେ ଅର୍ଥ, ଏକାଧିକ ଦାମୀ ଗାଡ଼ି ଓ ସଂପତ୍ତି ରହିଥିବା ସୂଚନା ମିଳିଛି।

ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କ ଠାରୁ ଯେଉଁ ସମ୍ପତି ଜବତ ହୋଇଛି, ତାର ତାଲିକା ବେଶ ଲମ୍ବା । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଛି ।

ବଡ କଥା ହେଉଛି, ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଂଟରେ ୯.୪ କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମର ଜମାହୋଇଛି । ପୁଅ ଆକାଶ ନାଁରେ ରହିଛି ୩ଟି ଦାମୀ ଗାଡି (ମର୍ସିଡିଜ, ବିଏମଡବ୍ଲୁ, ଟାଟା ହାରିୟର ) ।  ସେହିପରି ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ମଧ୍ୟ ଆକାଶ ନାଁରେ ରହିଛି । ଏହା ଛଡା ଦାମୀ ଗାଡି ମଧ୍ୟ ଭଡାରେ ନେଉଥିଲେ ଆକାଶ ।

ପୁନେରେ ଚଢାଉ ସମୟରେ ୨ଟି ମର୍ସିଡିଜ ସମେତ ୩ଟି ଗାଡି ଭଡାରେ ନେଇଥିବା ମଧ୍ୟ ଜଣାପଡିଥିଲା । ଗାଡି ଭଡା ବାବଦକୁ ଖର୍ଚ୍ଚ ହୋଇଛି ୨୫ ଲକ୍ଷ ଟଙ୍କା । ସେହିପରି ଫ୍ଲାଟ ଓ ଘର ଭଡା ବାବଦକୁ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁମ୍ବାଇର ତାଜମହଲ ପ୍ୟାଲେସ ହୋଟେଲରେ ହୋଟେଲ ବିଲ୍  ଦିଆଯାଇଛି ୯୦ ଲକ୍ଷ ଟଙ୍କା । ସେହିପରି ରାଜସ୍ଥାନ ଉଦୟପୁର ତାଜଲେକ ପ୍ୟାଲେସରେ ଆଡଭାନ୍ସ ବାବଦକୁ ଦିଆହୋଇଛି ୨୦ଲକ୍ଷ ଟଙ୍କା । ଚାଟାର୍ଡ ଫ୍ଲାଇଟରେ ଭ୍ରମଣରେ ଖର୍ଚ୍ଚ ହୋଇଛି ୩ କୋଟି ଟଙ୍କା । ମାଲେସିଆ, ହଂକଂ, ୟୁନାଇଟେଡ କିଙ୍ଗଡମ, ୟୁନାଇଟେଡ ଆରବ ଏମିରେଟସ, ମାସଡିଭସକୁ ଭ୍ରମଣ କରିଥିବା ଜଣାପଡିଛି । ପୁନେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର ଏବଂ ଦିଲ୍ଲୀକୁ ମଧ୍ୟ ଚାଟାର୍ଡ ଫ୍ଲାଇଟରେ ଭ୍ରମଣ କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର