କୋଣାର୍କ ଓ ସହିଦନଗର ଥାନା ମାମଲାରେ ଅଭିଜିତଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର: କୋଣାର୍କ, ଓଡ଼ିଶା ଓ ଓଡ଼ିଆଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ଅଭିଜିତ ଆୟାର ମିତ୍ରଙ୍କ ଉପରୁ ରାଜ୍ୟ ସରକାର ସମସ୍ତ ଅପରାଧିକ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଜି କୋଣାର୍କ ଥାନା ଓ ଭୁବନେଶ୍ୱରର ସହିଦନଗର ଥାନାରେ ତାଙ୍କ ନାମରେ ହୋଇଥିବା ମାମଲାରେ ଓଡ଼ିିଶା ହାଇକୋର୍ଟ ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛି।

ସୂଚନାଯୋଗ୍ୟରେ ଗତ ନଭେମ୍ବର ୧୬ ତାରିଖ ଦିନ ଅଭିଜିତଙ୍କୁ ଏହି ପ୍ରସଙ୍ଗରେ ଓଡ଼ିଶା ବିଧାନସଭା କ୍ଷମା ପ୍ରଦାନ କରିଥିଲା। ପରେ କୋଣାର୍କ ଓ ସହିଦ ନଗର ଥାନାରେ ହୋଇଥିବା ମାମଲାରେ ଗିରଫ ହୋଇ ଅଭିଜିତ ଦୀର୍ଘ ୪୦ଦିନରୁ ଅଧିକ ଜେଲରେ ରହିବା ପରେ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ଓ କ୍ଷମାପ୍ରାର୍ଥନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କ ଉପରେ ଲାଗିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିଜିତଙ୍କ ବିରୋଧରେ ଆଉ କେଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଏହାସହ ଶୁଣାଣି ହୋଇନଥିବା ଅନ୍ୟ ସମସ୍ତ ମାମଲାକୁ ପ୍ରତ୍ୟାହାର କରିନିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ମାମଲା ପ୍ରତ୍ୟାହାର ହୋଇ ନ ଥିବା ବେଳେ କୋଣାର୍କ ଥାନାରେ ଓ ସହିଦନଗର ଥାନାରେ ଅଭିଜିତଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଇଟି ମାମଲାରେ ଆଜି ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ଜଣାଯାଇଛି। ହାଇକୋର୍ଟ ଜାମିନ ପ୍ରଦାନ ବେଳେ ତଳ କୋର୍ଟ ସର୍ତ୍ତ ରଖିପାରିବେ ବୋଲି ତାଙ୍କ ରାୟରେ କହିଛନ୍ତି।

ସମ୍ବନ୍ଧିତ ଖବର