ସ୍ୱାଧିକାର ଭଙ୍ଗ ଅଭିଯୋଗ: ୨୩ ତାରିଖରେ ଗୃହକମିଟି ଆଗରେ ହାଜର ହେବାକୁ ଅଭିଜିତ ଆୟାର ମିତ୍ରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାର ବିଧାୟକମାନଙ୍କ ସଂପର୍କରେ ଓଡ଼ିଆଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେବା କାରଣରୁ ସ୍ୱାଧିକାର ଭଙ୍ଗ ଅଭିଯୋଗ ନୋଟିସ ପାଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଆସନ୍ତା ୨୩ ତାରିଖ ଦିନ ୧୧ଟା ବେଳେ  ବିଧାନସଭା ଗୃହକମିଟି ଆଗରେ ଉପସ୍ଥିତ ହେବା ପାଇ ନିର୍ଦ୍ଦେଶ ଦିଆଯାଇଛି। ଆଜି ଗୃହକମିଟିର ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଅଭିଜିତ  ଗୃହକମିଟିକୁ ଇମେଲ କରି କ୍ଷମା ମାଗିଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଓଡ଼ିଶା, କୋଣାର୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସମୋଜିକ ଗଣମାଧ୍ୟମରେ ଅଭିଜିତ ଆୟାର ମିତ୍ର ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିବାରୁ ଅଭିଜିତ ସେମାନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ତେଣୁ ଏ ନେଇ ବିଧାନସଭାରେ ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ ଅଭିଯୋଗ ହେବା ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହକମିଟି ଗଠିତ ହୋଇଥିଲା। ଏହିି କମିଟି ସମ୍ମୁଖରେ ୧୧ ତାରିଖରେ ହାଜର ହେବାକୁ ଅଭିଜିତଙ୍କୁ ପୂର୍ବରୁ କୁହାଯାଇଥିଲା। ଏହି ମର୍ମରେ ଆଜି ଗୃହକମିଟିର ବୈଠକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଅଭିଜିତ ଆୟାର ମିତ୍ର ଗୃହକମିଟି ଆଗରେ ହାଜର ହୋଇ ନ ଥିଲେ। ଏ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତ ଯେ ଗୃହକମିଟିକୁ ମେଲ ଦେଇ ଅଭିଜିତ କ୍ଷମା ମାଗିଛନ୍ତି। ତେବେ ତାଙ୍କୁ ବ୍ୟକ୍ତିଗତଭାବେ ହାଜର ହେବା ପାଇଁ କୁହାଯାଇଥିଲା। ତିତଲି ଯୋଗୁଁ ସେ ଆସି ପାରି ନ ଥିବାରୁ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ହାଜର ହେବାକୁ ଗୃହ କମିଟି ନିର୍ଦ୍ଦେଶ ଦେଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର