ଜେଲ ଗଲେ ଅଭିଜିତ ଆୟାର

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଅଭିଜିତ ଆୟାର ମିତ୍ର ରବିବାର ଜେଲ ଯାଇଛନ୍ତି। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଅଭିଜିତଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆ ଯାଇଛି। ଅଭିଜିତଙ୍କୁ ଆଜି ସହିଦ ନଗର ପୁଲିସ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। ଅଭିଜିତ ୧୪ ଦନି ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ।

ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରର ସହିଦନଗର ଥାନାରେ ରହିଛି। ଏହି ମାମଲା ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଥାନାରେ ୧୬୧ ଧାରାରେ  ତାଙ୍କର ବୟାନ ରେକର୍ଡ ହେବା ପରେ ଅଭିଜିତ ଆୟାର ମିତ୍ରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି । ମଙ୍ଗଳବାର ଦିଲ୍ଲୀରୁ ଆସି ଓଡ଼ିଶା ବିଧାନସଭା ଗୃହକମିଟି ନିକଟରେ ହାଜର ହେବା ପରେ ପୁଲିସ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା କରିଥିବା କୁହାଯାଉଛି।

ଆଜି ଓଡ଼ିଶା ବିଧାନସଭା ଗୃହକମିଟି ନିକଟରେ ହାଜର ହୋଇ ଅଭିଜିତ ଆୟାର ମିତ୍ର କ୍ଷମାପ୍ରାର୍ଥନା କରିଛନ୍ତି। ତାଙ୍କୁ ଗୃହ କମିଟି ପକ୍ଷରୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଗୃହକମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେଦିନ ସେ ଉପସ୍ଥିତ ରହି ସତ୍ୟପାଠ ଦାଖଲ କରିବେ। ଦୀର୍ଘ ୪ ଘଣ୍ଟା ଧରି ଗୃହକମିଟି ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଗୃହକମିଟିର ସଦସ୍ୟମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସେ ଓଡ଼ିଶାର କଳା ସଂସ୍କୃତି ଏବଂ ଓଡ଼ିଶାର ବିଧାୟକମାନଙ୍କ ସଂପର୍କରେ ଦେଇଥିବା ମନ୍ତବ୍ୟ ଲାଗି ସେ ଦୁଃଖପ୍ରକାଶ କରିଛନ୍ତି । ଗୃହକମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନ ବାଣରେ ଅପ୍ରସ୍ତୁତ ହୋଇ ଅଭିଜିତ ନିଜର ‘ନିର୍ବୋଧପଣିଆ’ ଯୋଗୁଁ ସେ ଏପରି ମନ୍ତବ୍ୟ ଦେଇଥିବା ପ୍ରକାଶ କରିଥିଲେ। ଭବିଷ୍ୟତରେ ସେ ଏଭଳି ମନ୍ତବ୍ୟରୁ କ୍ଷାନ୍ତ ରହିବେ ବୋଲି କହିଥିଲେ। ସୂତ୍ର ଅନୁସାରେ ସେ ‘ଆଇ ଆମ୍‌ ସରି’ କହି ନିଜର ବୟାନ ରଖିବା ଆରମ୍ଭ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଗୃହ କମିଟିର ଅନ୍ୟ ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ବେଳେ ତାଙ୍କ ପାଟି ଖନି ମାରିଯାଉଥିବା ପରିଲକ୍ଷିତ ହୋଇଛି। ଅଭିଜିତଙ୍କୁ କୋଣାର୍କ ମନ୍ଦିର ସଂପର୍କରେ ମନ୍ତବ୍ୟ ଓ ଚିଲିକା ଉପରେ ହେଲିକପ୍ଟର ଉଡାଣ ନେଇ ପ୍ରଶ୍ନ କରାଯାଇଥିଲା। ଗୃହକମିଟିର ସଦସ୍ୟ ବିଧାୟକ ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସ ବର୍ମା, ପ୍ରମିଳା ମଲ୍ଲିକ ଓ କନକବର୍ଦ୍ଧନ ସିଂ ଦେଓ ମଧ୍ୟ ବିଭିନ୍ନ ପ୍ରଶ୍ନ କରିଥିବା ସୂଚନା ରହିଛି। ପ୍ରଶ୍ନର ଉତ୍ତର ସମୟରେ ଅଭିଜିତ ଆୟାର ମିତ୍ର ଦେଇଥିବା ମନ୍ତବ୍ୟକୁ ଗୃହ କମିଟି ପକ୍ଷରୁ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଗୃହକମିଟି ବୈଠକ ପରେ ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରର ସହିଦନଗର ଥାନାରେ ଯେଉଁ ମାମଲା ହୋଇଛି ତାହା ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଗୃହକମିଟି ବୈଠକ ଚାଲିବା ସମୟରେ ଓଡ଼ିଶା ପୁଲିସ ଡିଜିଙ୍କ ଭୁବନେଶ୍ୱର କ୍ୟାମ୍ପ୍‌ ଅଫିସରେ ପୁରୀ ଏସପି ସାର୍ଥକ ଷଢ଼ଙ୍ଗୀ, କମିସନର ସତ୍ୟଜିତ ମହାନ୍ତି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲାଗି ଆଲୋଚନା ହୋଇଥିଲା ।

ସମ୍ବନ୍ଧିତ ଖବର