ତାଉ ଦେଖାଉଥିଲେ, ବନ୍ଧା ହେଲେ

ଅଭିଜିତଙ୍କୁ ଓଡ଼ିଶା ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା, ଦିଲ୍ଲୀ ପୁଲିସ ସହାୟତାରେ ଗିରଫ କଲା ପୁରୀ ପୁଲିସ, ୨୮ ଯାଏ ଜାମିନ ପ୍ରଦାନ କଲେ ଦିଲ୍ଲୀ କୋର୍ଟ

ଭୁବନେଶ୍ୱର : ଗତକାଲି ମୁହଁଫୁଟାଣି ମାରିଥିଲେ, ଦମ୍ଭ ଅଛି ତ ମୋତେ ଗିରଫ କର। ମୁଁ କାହାକୁ ଡରେନି। କିନ୍ତୁ ୨୪ ଘଣ୍ଟା ବିତିଲାନି। ଓ଼ଡ଼ିଶାର ବଇରି ସାଜିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ମିତ୍ରଙ୍କ ତାକତ ଧରାପଡ଼ିଗଲା।

କୋଣାର୍କ ଥାନାରେ ହୋଇଥିବା ଏକ ମକଦ୍ଦମା ଆଧାରରେ ଆଜି ଦିଲ୍ଲୀ ଯାଇ ପୁରୀ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ସେ ଜାମିନରେ ଯାଇଛନ୍ତି। ଓଡ଼ିଶା ପୁଲିସର ତିନିଦିନିଆ ଟ୍ରାନ୍‌ଜିଟ୍‌ ରିମାଣ୍ଡ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ହେଁ ଅଧିକ ତଦନ୍ତ ପାଇଁ ଆସନ୍ତା ୨୮ପୂର୍ବରୁ କୋଣାର୍କ ଥାନାରେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି।

ଆଜି ଓଡ଼ିଶା ପୁଲିସର ଦୁଇଜଣିଆ ଟିମ୍‌ ଦିଲ୍ଲୀ ପୁଲିସ ସହାୟତାରେ ଗିରଫ କରିଥିଲେ। ପରେ ସାକେତ କୋର୍ଟର ମୁଖ୍ୟ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ମନୀଷ ଖୁରାନା ୧ଲକ୍ଷ ଟଙ୍କାର ମୁଚାଲିକା ସହିତ ସେପ୍‌ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି।

ଓଡ଼ିଶାର ଐତିହ୍ୟ, ସଂସ୍କୃତି, କୋଣାର୍କ, ଶ୍ରୀମନ୍ଦିର, ବିଧାୟକ ଓ ଗଣମାଧ୍ୟମ ବିରୋଧରେ ଅପଶବ୍ଦ ବ୍ୟବହାର ଅଭିଜିତ ନାୟାର ମିତ୍ରଙ୍କୁ ମହଙ୍ଗା ପ଼ଡିଛି। କୋଣାର୍କ ଥାନାରେ ହୋଇଥିବା ଏକ ମାମଲାକୁ ଭିତ୍ତି କରି ଥାନାଧିକାରୀ ସନ୍ଦୀପ ପ୍ରଧାନ, ଅରଖକୁଦା ମେରାଇନ୍‌ ଥାନା ଇନ୍‌ସପେକ୍ଟର ଗୌରାଙ୍ଗ ଚରଣ ପୃଷ୍ଟି ଆଜି ସକାଳେ ଦିଲ୍ଲୀର ହଜରତ ନିଜାମୁଦ୍ଦିନ୍‌ ଥାନାରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ସହାୟତାରେ ଅଭିଜିତଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଅଭିଜିତଙ୍କୁ ନିଜାମୁଦ୍ଦିନ ଥାନାକୁ ଅଣାଯିବା ପରେ ଦୀର୍ଘ ଦୁଇଘଣ୍ଟା ଧରି ଜେରା କରାଯାଇଥିଲା ଓ ଓଡ଼ିଶା ପୁଲିସ ତାଙ୍କୁ ଗିରଫ କରାଯାଇଥିବା ଜଣାଇଥିଲା। ତାଙ୍କୁ କୋର୍ଟ ଚାଲାଣ କରାଯିବା ପୂର୍ବରୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଏହା ପରେ ତାଙ୍କୁ ସାକେତ କୋର୍ଟରେ ହାଜର କରାଯାଇଥିଲା। ୪୦ ମିନିଟ୍‌ ଧରି କୋର୍ଟରେ ଶୁଣାଣି ହୋଇଥିଲା।

ରାଜ୍ୟ ସରକାରଙ୍କ ପକ୍ଷରୁ ରାଜୀବ ମୋହନ ତଥା ଅଭିଜିତଙ୍କ ପକ୍ଷରୁ ଜୟବିର୍‌ ସେର୍‌ଗିଲ୍‌, ତରୁଣ ଗୁଗ୍‌ଲାନି, ରାଜୀବ ଶିରୋହି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ମୋହନ ଯୁକ୍ତି ରଖିଥିଲେ, ଅଭିଜିତଙ୍କ ବିରୋଧରେ ଓଡ଼ିଶାର ଦୁଇଟି ସ୍ଥାନରେ ଦୁଇଟି ଅଭିଯୋଗ ରହିଛି। କୋଣାର୍କ ମନ୍ଦିର ସଂପର୍କରେ ସେ ଅପଶବ୍ଦ ପ୍ରୟୋଗ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅସତ୍ୟ ଟ୍ଵିଟ୍‌ କରି ଲେଖିଛନ୍ତି। ଓରିଶଳାରୁ ଓଡ଼ିଶା ହୋଇଥିବା ଭଳି ଅରୁଚିକର ଟିପ୍‌ପଣୀ ଦେଇଛନ୍ତି। ଟ୍ଵିଟ୍‌ରେ ଖରାପ ଭାଷା ସହିତ ଧାର୍ମିକ ଭାବନାକୁ କ୍ଷୁଣ୍ଣ କରିବା ଭଳି ଗମ୍ଭୀର ଅଭିଯୋଗ ରହିଛି। ତାଙ୍କର ଟ୍ଵିଟ୍‌ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ଧାରା ୨୯୫ (ଏ), ୧୫୩ (ଏ) ଉଲ୍ଲଂଘନ କରିଛନ୍ତି। ଅଭିଜିତଙ୍କ ଜାମିନ ନାମଞ୍ଜୁର କରିବା ସହିତ ଅଧିକ ପଚରାଉଚରା ଲାଗି ତିନିଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୋହନ ନିଜ ଯୁକ୍ତିକୁ ଅଧିକ ବଳିଷ୍ଠ କରିବା ପାଇଁ ସମସ୍ତ ପ୍ରମାଣପତ୍ର, ଟ୍ଵିଟ୍‌ ଆଦିର ନକଲ ଦେଖାଇଥିଲେ।

ଅପରପକ୍ଷରେ ଅଭିଜିତଙ୍କ ଓକିଲ ରାଜ୍ୟ ସରକାରଙ୍କ ଯୁକ୍ତିର କୌଣସି ସତ୍ୟତା ନାହିଁ ବୋଲି କହିଥିଲେ। ଏସବୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବର୍ଣ୍ଣନା କରାଯାଇଥିଲା। ସେମାନେ କହିଥିଲେ, ସୋସିଆଲ ମିଡିଆରେ କୋଣାର୍କ ମନ୍ଦିର ସଂପର୍କରେ ବୁଲୁଥିବା ଟ୍ଵିଟ୍‌ ବର୍ଷେ ତଳର। ଏଯାଏ ଅଭିଯୋଗର ନକଲ ଦିଆଯାଇନାହିଁ। ଅଭିଜିତ ଗୋଟିଏ ମାମଲାରେ ଓଡ଼ିଶା ପୁଲିସଠାରୁ ନୋଟିସ ପାଇଥିଲେ। ଦଶ ଦିନ ମଧ୍ୟରେ ହାଜର ହେବା ପାଇଁ ଜବାବ ଦେଇସାରିଛନ୍ତି। ତାଙ୍କୁ ରାଜ୍ୟ ପୁଲିସ ଦ୍ୱାରା ବେଆଇନ ଭାବେ ଅଟକ ରଖାଯାଇ ଗିରଫ କରାଯାଇଛି। ସେ ପୁଲିସକୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ହଠାତ୍‌ ଗିରଫ କରି ରିମାଣ୍ଡରେ ନେବା ଯୁକ୍ତିଯୁକ୍ତ ନୁହେଁ ବୋଲି କୋର୍ଟଙ୍କ ସାମ୍ନାରେ ପ୍ରତିପକ୍ଷ ମତ ରଖିଥିଲେ।

ମେଟ୍ରୋ ପଲିଟାନ୍‌ ମାଜିଷ୍ଟ୍ରେଟ୍‌ ମନୀଷ ଖୁରାନା ଅଭିଜିତଙ୍କୁ କାଠଗଡ଼ାକୁ ଡାକି ତାଙ୍କୁ ରିମାଣ୍ଡ ନେବା ସଂପର୍କରେ ପ୍ରଶ୍ନ କରିଥିଲେ। ଅଭିଜିତ କହିଥିଲେ, ସେ ପୁଲିସକୁ ସହଯୋଗ କରୁଛନ୍ତି। ଗତକାଲି ତାଙ୍କୁ ପୁରୀ ସଦର ଥାନାରୁ ନୋଟିସ ଆସିଛି। ସେ ଦଶ ଦିନ ଭିତରେ ହାଜର ହେବେ ବୋଲି ମେଲ୍‌ ଯୋଗେ ଜଣାଇଛନ୍ତି। ଆଜି ତାଙ୍କ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି ଓ ତାଙ୍କୁ ଗିରଫ କରାଯାଇଛି। ମାଜିଷ୍ଟ୍ରେଟ୍‌ ପୁରୀ ପୁଲିସର ମତ ମଧ୍ୟ ଶୁଣିଥିଲେ।

ଯେହେତୁ ଅଭିଜିତ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି ଏଣୁ ତାଙ୍କୁ ଜାମିନ ପ୍ରଦାନ କରାଗଲା ବୋଲି କୋର୍ଟ କହିଥିଲେ। ତାଙ୍କୁ ସେପ୍‌ଟେମ୍ବର ୨୮ ପୂର୍ବରୁ ତଦନ୍ତରେ ସହଯୋଗ କରିବା ଲାଗି ପୁଲିସ ପାଖରେ ଉପସ୍ଥିତ ହେବାକୁ ପଡିବ ବୋଲି କୋର୍ଟ ନିର୍ଦେଶ ଦେଇଥିଲେ। ଓଡ଼ିଶାରେ କୋର୍ଟଗୁଡିକରେ କାର୍ଯ୍ୟବନ୍ଦ ତଥା ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ତାଙ୍କୁ ଅନ୍ତତଃ ୧୫ ଦିନ ପର୍ଯ୍ୟନ୍ତ ତଦନ୍ତରେ ହାଜର ହେବା ଲାଗି ମହଲତ ଦେବା ଲାଗି ଅଭିଜିତଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା। କୋର୍ଟ କିନ୍ତୁ ଏ ପ୍ରାର୍ଥନାକୁ ଖାରଜ କରିବା ସହିତ ୨୮ ପୂର୍ବରୁ ହାଜର ହେବା ଲାଗି ସ୍ପଷ୍ଟ ଭାବେ ଜଣାଇଥିଲେ।

ସମ୍ବନ୍ଧିତ ଖବର