କୋର୍ଟ ମାଡ଼ ପରେ ନୂଆ ନାଟକ! : ଗୃହ କମିଟି ଆଗରେ ହାଜର ହେଲେନି ଅଭିଜିତ

୨୩ରେ ହାଜର ହେବା ପାଇଁ ସାନି ସମନ୍‌, ଗୋପନୀୟ ଭାବେ ମେଲ୍ ଲେଖି କ୍ଷମା ପ୍ରାର୍ଥନା

ଭୁବନେଶ୍ବର : ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭାର ସ୍ବତନ୍ତ୍ର ଗୃହ କମିଟିର ସମନକୁ ମଧ୍ୟ ଏଡାଇ ଯାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟର। କାହିଁକି ହାଜର ହୋଇନାହାନ୍ତି, ହାଜର ହେବେ କି ନାହିଁ ନା ସେ କିଛି ସୂଚନା ଦେଇଛନ୍ତି ନା କମିଟିକୁ ବି କିଛି ମାଲୁମ୍ ଅଛି।

କିନ୍ତୁ ଯେହେତୁ ଅଭିଜିତ ଆଜି ହାଜର ହେବେ ବୋଲି ମେଲ୍ ଯୋଗେ ପୂର୍ବରୁ ଜଣାଇଥିଲେ, ଏଣୁ କମିଟି ଆଜି ଟିକିଏ ହୋହଳ ମନୋଭାବ ପ୍ରକଟ କରି ତାଙ୍କୁ ଥରକ ପାଇଁ ସୁେଯାଗ ଦେଇଛନ୍ତି। ଆସନ୍ତା ୨୩ ତାରିଖ ଦିନ କମିଟି ଆଗରେ ହାଜର ହେବା ଲାଗି ଅଭିଜିତଙ୍କୁ ପୁଣି ଥରେ ସମନ ଜାରି କରିବାକୁ ନିେର୍ଦଶ ଦେଇଛନ୍ତି ଗୃହ କମିଟି। ଏସଂକ୍ରାନ୍ତ ନୋଟିସ ଆୟାରଙ୍କୁ ପ୍ରଦାନ କରିବା ଲାଗି ଆଜି ପୁଲିସ ମହାନିର୍ଦେଶକଙ୍କୁ ଜଣାଇ ଦିଆଯାଇଛି।

ଅନ୍ୟପକ୍ଷରେ ସୋସିଆଲ ମିଡି଼ଆ ଓ ଗଣମାଧ୍ୟମରେ ଓଡ଼ିଶା ବିରୋଧରେ ଅତ୍ୟନ୍ତ କଟୁ ମନ୍ତବ୍ୟ ଦେଇଥିବା ଅଭିଜିତ ସୋସିଆଲ ମିଡିଆରେ ଖୋଲାଖୋଲି ନିଜ ଭୁଲ ପାଇଁ ଅନୁତାପ ବା କ୍ଷମା ପ୍ରାର୍ଥନା କରିନାହାନ୍ତି। ବରଂ ବାଚସ୍ପତି ଓ ବିେରାଧୀ ଦଳ ନେତାଙ୍କୁ ଗୋପନୀୟ ଭାବେ (ମେଲ) ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା ସୂଚନା ମିଳିିଛି। ତାଉ ଦେଖାଉଥିବା ଅଭିଜିତଙ୍କ ଏଭଳି ଆଚରଣକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ ଦେଖି ତାଙ୍କର ଚୈତନ୍ୟୋଦୟ ହୋଇଛି ଓ ଓଡ଼ିଶାବାସୀଙ୍କ ମନ ଧରିବା ଲାଗି ଅଭିଜିତ ଚତୁରତାର ସହିତ ଏଭଳି ଏକ କାର୍ଡ ଖେଳିଥିବା କୁହାଯାଉଛି।

ବିଶ୍ବପ୍ରସିଦ୍ଧ କୋଣାର୍କ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଶା ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଜିତ ଓଡ଼ିଶା ବିଧାୟକମାନଙ୍କୁ ବୋକା ବୋଲି ମଧ୍ୟ କଟାକ୍ଷ କରିବାକୁ ପଛାଇ ନଥିଲେ। ଏହି ଘଟଣାରେ ଆସିଥିବା ସ୍ୱାଧିକାର ଭଙ୍ଗ ମାମଲାର ଶୁଣାଣି ପାଇଁ ଗଠିତ କମିଟିର ଆଜି ତୃତୀୟ ବୈଠକ ଥିଲା।

ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାେର ଗଠିତ ଏହି କମିଟି ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ଆଜି ଅଭିଜିତଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନ ଜାରି କରିଥିଲେ। ହେଲେ କମିଟିର ସଦସ୍ୟମାେନ ଦୀର୍ଘ ସମୟ ଧରି ବସି ରହିଥିେଲ ହେଁ, ତାଙ୍କର ଦେଖା ମିଳିନଥିଲା। ସେ ଆସିପାରୁ ନାହାନ୍ତି ବୋଲି ମଧ୍ୟ କମିଟିକୁ ଜଣାଇବାକୁ ଚାହିଁନଥିଲେ। ପରୋକ୍ଷରେ କମିଟିକୁ ବେଖାତିର୍ କରି ସେ ଆଜି ଦୀର୍ଘ ସମୟ ଯାଏ ବସାଇ ରଖିଥିଲେ।

ପରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଥିଲେ, ଅଭିଜିତ ଗୋଟିଏ ମେଲ୍ କରି ଆଜି ଉପସ୍ଥିତ ହେବେ ବୋଲି ଜଣାଇଥିଲେ। ପରେ ଆଉ ଏକ ମେଲ୍ କରି ନିଜର ଭୁଲ୍ ପାଇଁ କ୍ଷମା ମାଗିଛନ୍ତି। ମେଲ୍‌ରେ ଅଭିଜିତ୍ ଦର୍ଶାଇଛନ୍ତି ଯେ ସେ ଅକ୍ଷମଣୀୟ ଅପରାଧ କରିଛନ୍ତି। ଏଭଳି ଦୋଷ ପାଇଁ କେହି କେବେ କ୍ଷମା ଦିଏନାହିଁ। ତଥାପି ସେ କ୍ଷମା ମାଗୁଛନ୍ତି। ତାଙ୍କୁ କ୍ଷମା ଦିଆଯାଉ। ଏହି ମେଲ୍‌ର ଏକ ନକଲ ସେ ରେଜିଷ୍ଟ୍ରି ଚିଠିରେ ପଠାଇଥିବା ନେଇ ମଧ୍ୟ ଦର୍ଶାଇଛନ୍ତି।

ନରସିଂହ କହିଛନ୍ତି, ସମ୍ଭବତଃ ଓଡ଼ିଶାରେ ବାତ୍ୟା ହେବ ବୋଲି ପ୍ରଚାର ହେବା ଯୋଗୁଁ ସେ ଆଜି ଆସି ନାହାନ୍ତି। ଯେହେତୁ ଅସହଯୋଗ କରିବା ନେଇ କୌଣସି ସୂଚନା ମିଳିନାହିଁ, ଏଣୁ ତାଙ୍କୁ ଥରେ ସୁେଯାଗ ଦିଆଯାଇଛି। କୋର୍ଟମାନଙ୍କରେ ମଧ୍ୟ ଏହି ପ୍ରକ୍ରିୟା ଗ୍ରହଣ କରାଯାଇଥାଏ। କିନ୍ତୁ ଏହି ମେଲ୍ ଲେଖି ସେ ଗୃହ କମିଟିରେ ନିଜ ଉପସ୍ଥିତିକୁ ଏଡାଇ ପାରିବେନି କି ଗୃହ କମିଟିକୁ ପ୍ରଭାବିତ କରିପାରିବେ ନାହିଁ। ତାଙ୍କୁ ହାଜର ହେବାକୁ ପଡିବ ଓ ତାଙ୍କ ବକ୍ତବ୍ୟ ରେକର୍ଡ କରାଯିବ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଅଭିଜିତଙ୍କ ବିରୋଧରେ ରୁଜୁ ହୋଇଥିବା ଅନ୍ୟ ମାମଲା ସହିତ ବିଧାନସଭାର ଗୃହ କମିଟିର କୌଣସି ସଂପର୍କ ନାହିଁ। କିମ୍ବା ଗୃହ କମିଟି ଅନ୍ୟ କୌଣସି ମାମଲାରେ ହସ୍ତକ୍ଷେପ କରିବାର ପ୍ରଶ୍ନ ଉଠୁନାହିଁ।

ଏଥିସହିତ ଅଭିଜିତ ମାମଲା ଆଜି ପୁଣି ନୂଆ ମୋଡ଼ ନେଇଛି।

ଉଲ୍ଲେଖଯୋଗ୍ୟ, ଅଭିଜିତଙ୍କ ଉପରେ ସୁପ୍ରିମ କୋର୍ଟ ଗଭୀର ଅସନ୍ତୋଷ ଝାଡିବା ସହିତ ଓଡ଼ିଶାର ଧର୍ମୀୟ ଭାବନାକୁ ଆଘାତ ଦେଇଥିବାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ। ତାଙ୍କ ପାଇଁ ଜେଲ୍ ହିଁ ପ୍ରକୃଷ୍ଟ ସ୍ଥାନ ବୋଲି କହିଥିଲେ ମୁଖ୍ୟ ବିଚାରପତି। ଏଥିସହିତ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦିଆଯାଇଥିଲା ଓ ଥାନାରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ଏଯାଏ ସେ ପୁଲିସ ନିକଟରେ ହାଜର ହୋଇନାହାନ୍ତି।

ସମ୍ବନ୍ଧିତ ଖବର