ଅଭିଜିତଙ୍କୁ ୪ ଦିନ ରିମାଣ୍ଡରେ ନେଲା କୋଣାର୍କ ଥାନା ପୁଲିସ

ଭୁବନେଶ୍ବର : ଓଡ଼ିଶା, ଓଡ଼ିଶାବାସୀ ଓ କୋଣାର୍କ ମନ୍ଦିର ପ୍ରତି କଟୁ ମନ୍ତବ୍ୟ ଓ ଅପଶବ୍ଦ ବ୍ୟବହାର ମାମଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ଆଜି କୋଣାର୍କ ଥାନା ପୁଲିସ ୪ ଦିନ ଲାଗି ରିମାଣ୍ଡରେ ନେଇଛି। ରିମାଣ୍ଡ ଅବଧି ସମୟ‌େର ଅଭିଜିତଙ୍କୁ କୋଣାର୍କ ଥାନା ପୁଲିସ ମାରାଥନ ଜେରା କରିବ। ସେ ଏଭଳି ମନ୍ତବ୍ୟ ଦେବାବେଳେ ତାଙ୍କ ସହିତ କିଏ କିଏ ଥିଲେ, କେହି ତାଙ୍କୁ ଏଭଳି ଅପଶବ୍ଦ ବ୍ୟବହାର କରିବାକୁ ପ୍ରବର୍ତାଇ ନାହିଁ ତ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭୂମିକା ଏଥିରେ କ’ଣ। ଏଭଳି କେତେକ ପ୍ରଶ୍ନ ଅଭିଜିତଙ୍କୁ ପଚରା ଯିବ ବୋଲି ପୁରୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ଅପରାହ୍‌ଣରେ କୋଣାର୍କ ଥାନା ପୁଲିସର ଏକ ଟିମ୍ ଫୋର୍ସ ସହିତ ଝାରପଡ଼ା ଜେଲ୍‌ରେ ପହଞ୍ଚିଥିଲେ। ସେଠାରୁ ଅଭିଜିତଙ୍କୁ କଡ଼ା ସୁରକ୍ଷା ମଧ୍ୟରେ କୋଣାର୍କ ନିଆଯାଇଛି। କୋଣାର୍କ ଥାନାରେ ପୁଲିସ ସୁରକ୍ଷା ବନ୍ଦୋବସ୍ତ ବଢ଼ାଇ ଦିଆଯାଇଛି।

ପ୍ରକାଶଥାଉକି, ଅଭିଜିତ କୋଣାର୍କର କଳା, ଭାସ୍କର୍ଯ୍ୟକକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ଏ ନେଇ କୋଣାର୍କରେ ଉତ୍ତେଜନା ପ୍ରକାଶ ପାଇଥିଲା। କୋଣାର୍କର ପୂର୍ବତନ କାଉନସିଲର ତଥା ବରିଷ୍ଠ ନାଗରିକ ବିମ୍ବାଧର ବେଉରା ଏ ନେଇ କୋଣାର୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନମ୍ବର ୯୨/୧୮ ଦଫା ୧୫୩(ଏ)/୨୯୫(ଏ)/୨୯୮/୩୪/୬୬ ଆଇଟି ଆକ୍ଟ/ ୩୬ ମନ୍ୟୁମେଣ୍ଟ ଆକ୍ଟରେ ମାମଲା ରୁଜୁ କରିଥିଲା। ମୁଖ୍ୟ ଅଭିଯୁକ୍ତ ଅଭିଜିତ ଆୟର ଥିବାବେଳେ ସହ ଅଭିଯୁକ୍ତ ଭାବେ ତାଙ୍କ ବନ୍ଧୁ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଛନ୍ତି। ଏହି ଘଟଣାର ଅଧିକ ତଦନ୍ତ ଓ ପଚରା ଉଚରା ପାଇଁ ଅଭିଜିତଙ୍କୁ ରିମାଣ୍ଡରେ ଅଣାଯାଉଛି ବୋଲି କୋଣାର୍କ ଥାନା ଇନ୍ସପେକ୍ଟର ସଂଜୀବ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର