ବିଷ ଉଗାଳୁଛନ୍ତି ବୈଜୟନ୍ତଙ୍କ ବନ୍ଧୁ : ଏତେ ଅପମାନ ପରେ ବି ଚୁପ୍‌!

ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ, ସଂସ୍କୃତି ମନ୍ତ୍ରୀଙ୍କ ମୁହଁ ଖୋଲୁନି, ପୁଲିସ ନିରବ, ନେତା, ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀଙ୍କୁ ବି ବାଧୁନି

ଭୁବନେଶ୍ୱର : ଜଗନ୍ନାଥ ପ୍ରକୃତରେ କୋଲକାତାର ଠାକୁର। କଳିଙ୍ଗ ରାଜା ଜଗନ୍ନାଥଙ୍କୁ ଚୋରି କରି ଆଣିଛନ୍ତି। ଓଡ଼ିଶା ବେଙ୍ଗଲୀମାନଙ୍କ ଦ୍ୱାରା ଆବିଷ୍କୃତ। ଓଡ଼ିଶା ବୋଲି କିଛି ନାହିଁ। ଏହା ହେଉଛି ଅବିଭକ୍ତ ବେଙ୍ଗଲର ଦକ୍ଷିଣ ପ୍ରଗଣା ବନାଞ୍ଚଳ। ‘ଓରି ଶଳା’ରୁ ‘ଓଡ଼ିଶା’ ହୋଇଛି।

କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଓଡ଼ିଶା ପ୍ରତି ଏମିତି ଢଙ୍ଗରେ ଅପମାନ ଓ ଅପବାଦସୂଚକ ମନ୍ତବ୍ୟ ରଖିଛନ୍ତି। ଓଡ଼ିଶାରେ ଏହାକୁ ନେଇ ପ୍ରତିବାଦ ଉଠିବା ପରେ ବି ସେ ଚୁପ୍‌ ବସିନାହାନ୍ତି। ବରଂ ମୁହଁଟାଣ ଦେଖାଇ କେତେବେଳେ ରାଜ୍ୟକୁ ଆକ୍ଷେପ କରୁଛନ୍ତି ଯେ ଆଉ କେତେବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅତ୍ୟନ୍ତ ଖରାପ ଟୀକା ଟିପ୍‌ପଣୀ ଦେବାକୁ ପଛଘୁଞ୍ଚା ଦେଇନାହାନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନ ପ୍ରତି କୁଠାରାଘାତ କରୁଥିବା କଳାପାହାଡ଼ଙ୍କୁ ଠିକଣା ଜବାବ ଦେବା ବଦଳରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଦଳମତ ନିର୍ବିଶେଷରେ ନେତା, ବୁଦ୍ଧିଜୀବୀ ଓ ସଂସ୍କୃତି ପ୍ରେମୀ ନିରବତା ଅବଲମ୍ବନ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହେଲାଣି। ବାରମ୍ବାର ପୁରୀ ଶ୍ରୀମନ୍ଦିର, କୋଣାର୍କ ଭଳି ଐତିହାସିକ କୀର୍ତିରାଜି ଓ ଓଡ଼ିଶାର ଇତିହାସକୁ ଅବାଞ୍ଝିତ ବ୍ୟକ୍ତିମାନେ ଆକ୍ରମଣ ଓ କଦର୍ଥ କରିଚାଲିଥିଲେ ହେଁ, କେଉଁ ସ୍ୱାର୍ଥ ବିନିମୟରେ ଏହାକୁ ବରଦାସ୍ତ କରାଯାଉଛି ତାହା ବୁଝାପଡୁନାହିଁ।

ନିଜ ନିଜ ଦଳ ଓ ସ୍ୱାର୍ଥର ସୁରକ୍ଷା ପାଇଁ ଗର୍ଜନତର୍ଜନ କରୁଥିବା ନେତାମାନେ ମୁହଁ ପୋତି ଓଡ଼ିଶାର ଅପମାନକୁ ସହୁଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର ଅତ୍ୟନ୍ତ ଉଦାସୀନ
ମନୋଭାବ ପୋଷଣ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ସରକାର ଏସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ବିଧାନସଭାରେ କେଇ ସେକେଣ୍ଡ ଟୀକା ଟିପ୍‌ପଣୀ ଦେବା ବ୍ୟତୀତ ସରକାରୀ ଦଳର ବିଧାୟକମାନେ ବି ଏହାକୁ ନିରବ ସମର୍ଥନ କଲାଭଳି ମୁହଁରେ ତୁଣ୍ଡି ବାନ୍ଧିଛନ୍ତି।

ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ବି ଚୁପ୍‌। କାହା ଚାପରେ ସେ ନିରବ ତାହା ବୁଝାପଡୁନାହିଁ। ଓଡ଼ିଶା ପୁଲିସ ଓ ତଥା ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜ୍ୟ ବିରୋଧରେ ଏଭଳି ଷଡ଼ଯନ୍ତ୍ର ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଯେଭଳି ତତ୍ପରତା ଦେଖାଇବା କଥା ଏଯାଏ ଦେଖାଯାଇନାହିଁ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗତକାଲି ଏ ଘଟଣାରେ ଗୃହରେ ମତ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ହେଲେ ପ୍ରଦେଶ କଂଗ୍ରେସ ଟିମ୍‌ ଓଡ଼ିଶା ବିରୋଧୀ ମତମନ୍ତବ୍ୟକୁ ନିରବରେ ହଜମ କରିଛନ୍ତି। ରାଜ୍ୟର ସ୍ୱାର୍ଥର ସୁରକ୍ଷା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ବିଜେପି ନେତା ଓଡ଼ିଶା ବିରୋଧରେ ହୋଇଥିବା ଚକ୍ରାନ୍ତ ଉପରେ କୌଣସି ମତ ମନ୍ତବ୍ୟ ଦେବା ଲାଗି ଆଗ୍ରହ ଦେଖାଇନାହାନ୍ତି। ଓଡ଼ିଶାର ଅନ୍ୟ ରାଜନୈତିକ ଦଳର ନେତା, ଭାଷାବିତ୍‌, ସଂସ୍କୃତି ବିଶେଷଜ୍ଞ ମଧ୍ୟ ଏଭଳି ଏକ ସାଂଘାତିକ ପ୍ରସଙ୍ଗରେ ନିରବ କାହିଁକି?

ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ପ୍ରବଳ ହଟ୍ଟଗୋଳ ଜାରି ରଖିଥିବା ବେଳେ ବିଧାୟକ ସମୀର ଦାସ, ବ୍ୟୋମକେଶ ରାୟ ଓ ସଂଜୀବ ସାହୁ କେଇ ସେକେଣ୍ଡ ପାଇଁ ପ୍ରତିକ୍ରିୟା ଓ ପ୍ରତିବାଦ ଜଣାଇଥିଲେ। ଅଭିଜିତ ଆୟାର ଯେଉଁ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି, ତାହା ଉପରେ ପ୍ରତିବାଦ ଉଠାଇଥିଲେ। ହେଲେ ଗୃହରେ ସରକାରୀ ଦଳର ତଥାକଥିତ ପ୍ରଭାବଶାଳୀ ନେତାଙ୍କ ସଂଖ୍ୟା ଏତେ ପତଳା ଥିଲା ଯେ ଦାନା ବାନ୍ଧିବା ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ତାହା ମିଳାଇଗଲା। ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ଶୂନ୍ୟକାଳରେ ମାତ୍ର ୪ମିନିଟ୍‌ ଚଲାଇବା ପରେ ଅପରାହ୍ନ ୩ଟା ଯାଏ ମୁଲତବୀ କରି ଦେଇଥିଲେ।

ପୂର୍ବତନ ସାଂସଦ ବୈଜୟନ୍ତ ଏଭଳି ବ୍ୟକ୍ତିଙ୍କ ଆଭିମୁଖ୍ୟ ସଂପର୍କରେ ଜାଣିନଥିଲେ? ତାଙ୍କୁ ସାଙ୍ଗରେ ଓଡ଼ିଶା ବିରୋଧରେ ବିଷମଞ୍ଜି ବୁଣିବା କ୍ଷେତ୍ରରେ ସାହାଯ୍ୟ କଲେ କେମିତି? ତାହା ବୁଦ୍ଧିଜୀବୀ ମହଲକୁ ବି ଆଚମ୍ବିତ କରିଛି।
ସବୁଠାରୁ କୌତୂହଳର କଥା ହେଉଛି, ଖୋଦ୍‌ ଶ୍ରୀ ପଣ୍ଡା ଆଜି ନିଜକୁ ସୁରକ୍ଷା ଦେବାକୁ ଯାଇ ଯେଉଁ ତଥ୍ୟ ସୋସିଆଲ ମିଡିଆରେ ଛାଡିଛନ୍ତି, ତାହା ରାଜ୍ୟବାସୀଙ୍କ ଭାବାବେଗକୁ ଆହୁରି ଦୋହଲାଇ ଦେଇଛି। ଶ୍ରୀ ପଣ୍ଡା ଗତ ୧୫ ତାରିଖ ଦିନ ଅଭିଜିତଙ୍କୁ କୋଣାର୍କ ନେଇଯାଇଥିବା କଥା ସ୍ୱୀକାର କରିଛନ୍ତି। ହେଲେ ଅଭିଜିତ କୋଣାର୍କରେ ଠିଆ ହୋଇ ବିଶ୍ୱପ୍ରସିଦ୍ଧ କୀର୍ତିରାଜି ସଂପର୍କରେ ଯେଉଁ ମତମନ୍ତବ୍ୟ ଦେଲେ ଓ ଭିଡିଓ କରିଥିଲେ, ସେ ସଂପର୍କରେ ଜାଣିନଥିବା ସୂଚାଇଛନ୍ତି। କହିଛନ୍ତି, କୋଣାର୍କରେ ଭିଡିଓ କରିବା ଦିନ ସେ ତାଙ୍କ ସହିତ ନ ଥିଲେ। ଅନ୍ୟ କୌଣସି ଦିନ ସେ ଯାଇଥିବେ।

କେବଳ ସେତିକି ନୁହେଁ, ଶ୍ରୀ ପଣ୍ଡା ଓଡ଼ିଶାର ସ୍ୱାଭିମାନ ପ୍ରତି କେତେ ସତର୍କ ତାହାର ଆଉ ଏକ ସଙ୍କେତ ମିଳିଛି। ଅଭିଜିତଙ୍କ ଭିଡିଓରୁ ଯାହା ଜଣାପଡ଼ୁଛି ତାକୁ ଏକ ହାସ୍ୟରସାତ୍ମକ ଶୈଳୀରେ କରାଯାଇଛି ବୋଲି ଶ୍ରୀ ପଣ୍ଡା ଅତ୍ୟନ୍ତ ହାଲୁକା ମନ୍ତବ୍ୟ ଦେଇଛନ୍ତି। ଏତେ ସବୁ ପରେ ସେ ଯେ ଏହାକୁ ବିଲକୁଲ ପସନ୍ଦ କରୁନାହାନ୍ତି, ଏକଥା ବହୁ ବିଳମ୍ବରେ ଦର୍ଶାଇଛନ୍ତି। ବୈଜୟନ୍ତ କହିଛନ୍ତି, ଏହି ଘଟଣାକୁ ସେ ସମର୍ଥନ ଦେଉନାହାନ୍ତି ବରଂ ନିନ୍ଦା କରୁଛନ୍ତି। କାରଣ ଆମ ସଂସ୍କୃତି, ଆମ ଧର୍ମ,ଧାର୍ମିକ ସ୍ଥଳ ଉପରେ ଆମେ ସମ୍ବେଦନଶୀଳ ହେବା ଠିକ୍‌ କଥା। ଆଉ ସେହି ସ୍ଥାନରେ କମେଡ଼ି କରିବା ଠିକ୍‌ ନୁହେଁ। ଆମର ଇତିହାସ, ସଂସ୍କୃତି ଓ ପରମ୍ପରାକୁ ନେଇ ସେ ଗର୍ବ ଅନୁଭବ କରନ୍ତି। ଆଉ ଏଥିପାଇଁ ସେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

ଉଲ୍ଲେଖଥାଉକି, ଓଡ଼ିଶାର ଧର୍ମ, ସଂସ୍କୃୃତି, ନୀତି, ଦେବତାଙ୍କ ଉପରେ ନିୟମିତ ବ୍ୟବଧାନ ଉପରେ ପ୍ରଚଣ୍ଡ ଆକ୍ରମଣ ଚାଲିଛି। କେତେବେଳେ କିଛି ଅଫିସର ଓ ରାଜନେତା ଏହି ଷଡ଼ଯନ୍ତ୍ରର ମହାନାୟକ ସାଜିଛନ୍ତି ଓ ପୁରୀ ଶ୍ରୀମନ୍ଦିରରେ ନବକଳେବର ଭଳି ଏକ ମହାନ କାର୍ଯ୍ୟରେ ଆଘାତ ସୃଷ୍ଟି ହୋଇଛି। ଆଉ କେତେବେଳେ ଜାତୀୟସ୍ତରରେ ବିଜ୍ଞାପନରେ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏସବୁ ଘଟଣାରେ ଓଡ଼ିଶା ପ୍ରତିକ୍ରିୟା ନ କରିବା ପରିଣାମରେ ଆକ୍ରମଣ ବଢୁଛି ସିନା କମିବାର ନାଁ ଧରୁନି।

ହାଜର ହେଲେନି ବୈଜୟନ୍ତ ଓ ସହଯାତ୍ରୀ

ପୁରୀ : ଚିଲିକାରେ ହେଲିକପ୍ଟର ଉଡ଼ାଣକୁ ନେଇ ବୈଜୟନ୍ତ ପଣ୍ଡା, ସହଯାତ୍ରୀ ଅଭିଜିତ୍‌ ଆୟାର ମିତ୍ର ଓ ଆରତୀ ଟିକୁ ସିଂଙ୍କୁ ପୁରୀ ସଦର ଥାନାରେ ଆଜି ହାଜର ପାଇଁ ପୁଲିସ ପକ୍ଷରୁ ନୋଟିସ୍‌ ଜାରି ହୋଇଥିଲା। କିନ୍ତୁ କେହି ବି ଥାନାରେ ହାଜର ହୋଇନାହାନ୍ତି। ଏହି ତିନିଜଣଙ୍କ ପରିବର୍ତ୍ତେ ଇମ୍ଫାର ସିଭିଲ୍‌ ଆଭିଏସନ୍‌ ମ୍ୟାନେଜର ହିମାଂଶୁ ମହାପାତ୍ର ଓ ଆଇନଜୀବୀ ଶୁଭେନ୍ଦ୍ର ମହାପାତ୍ର ଥାନାକୁ ଆସି ମତ ରଖିଛନ୍ତି ଓ ହାଜର ପାଇଁ ସମୟ ମାଗିଛନ୍ତି। ଫଳରେ ବୈଜୟନ୍ତଙ୍କ ସମେତ ଅନ୍ୟ ଦୁଇ ସହଯାତ୍ରୀଙ୍କୁ ସେପ୍ଟେମ୍ବର ୨୪ ତାରିଖରେ ସଦର ଥାନାରେ ପୁଣି ହାଜର ପାଇଁ ପୁଲିସ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଯଦି ଏହି ତିନିଜଣ ନିର୍ଦ୍ଧାରିତ ତାରିଖରେ ଥାନାରେ ହାଜର ନ ହୁଅନ୍ତି ତେବେ ପୁଲିସ ପରବର୍ତୀ କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରିବ ବୋଲି ସଦର ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି।

ଆଜି ପୂର୍ବାହ୍ନ ୧୧ଟାରେ ଇମ୍ଫାର ସିଭିଲ୍‌ ଆଭିଏସନ୍‌ ମ୍ୟାନେଜର ଶ୍ରୀ ମହାପାତ୍ର, ଆଇନଜୀବୀ ଶ୍ରୀ ମହାପାତ୍ରଙ୍କ ସମେତ ଅନ୍ୟ ୩ ଜଣ ଆଇନଜୀବୀ ଥାନାରେ ହାଜର ହୋଇଥିଲେ। ସିଭିଲ୍‌ ଆଭିଏସନ୍‌ ମ୍ୟାନେଜର ଶ୍ରୀ ମହାପାତ୍ରଙ୍କ ସମେତ ଅନ୍ୟମାନଙ୍କୁ ପୁଲିସ ଘଟଣା ସଂପର୍କରେ ଗୁଡ଼େଇ ତୁଡ଼େଇ ଜେରା କରିବା ସହ ସେମାନଙ୍କ ଷ୍ଟେଟ୍‌ମେଣ୍ଟ ରେକର୍ଡ଼ କରିଥିଲା। ୪ ଘଣ୍ଟା ଜେରାର ସମ୍ମୁଖୀନ ହେବା ପରେ ଅପରାହ୍ଣ ୩ଟାରେ ଶ୍ରୀ ମହାପାତ୍ରଙ୍କ ସହିତ ଅନ୍ୟ ଆଇନଜୀବୀମାନେ ଫେରି ଯାଇଥିଲେ।

ଶ୍ରୀ ମହାପାତ୍ର କହିଛନ୍ତି, ଆମ ହେଲିକପ୍ଟର ଚିଲିକା ଯାଇନଥିଲା କି ସେଠାରେ ଲ୍ୟାଣ୍ଡିଂ କରିନଥିଲା। ଏତଲାରେ ହେଲିକପ୍ଟର ଲ୍ୟାଣ୍ଡିଂ ସମୟ ସଂପର୍କରେ ଯେଉଁ ତଥ୍ୟ ଉଲ୍ଲେଖ ରହିଛି ସେଥିରେ କୌଣସି ତାଳମେଳ ନାହିଁ। ଯେଉଁ ସମୟରେ ହେଲିକପ୍ଟର ଲ୍ୟାଣ୍ଡିଂ କଥା ପୁଲିସ ଏତଲାରେ ଉଲ୍ଲେଖ ରହିଛି ସେ ସମୟରେ ହେଲିକପ୍ଟର ପୁରୀରେ ରହିଥିଲା। ପୁଲିସ କିନ୍ତୁ ଇମ୍ଫା ଅଧିକାରୀଙ୍କ କଥା ମିଛ ବୋଲି କହିଛି। ଘଟଣାରେ ସତ୍ୟତା ରହିଛି। ତଦନ୍ତ ଜାରି ରହିଥିବାରୁ ଅଧିକ କିଛି କହିବା ଠିକ୍‌ ନୁହେଁ ବୋଲି ଏସ୍‌ଡିପିଓ କହିଛନ୍ତି।

ସମ୍ବନ୍ଧିତ ଖବର