ପ୍ରଶ୍ନ ପଚାରିବାର ଅଧିକାର ନଥିବା ସମାଜର ବିକାଶ ନାହିଁ : ସୌମ୍ୟରଂଜନ

ଅଭିଜିତ ମଜୁମଦାର ପାଇଲେ ପ୍ରାଣନାଥ ସଂଗୀତ ସମ୍ମାନ

ଖୋର୍ଦ୍ଧା: ପ୍ରଶ୍ନ ପଚାରିବାର ଅଧିକାର ଯେଉଁ ସମାଜର ନାହିଁ ସେହି ସମାଜ ଆଗକୁ କେବେ ଯାଇପାରିବ ନାହିଁ ବୋଲି ଆଜି ଓଡ଼ିଶାର ଜଣାଶୁଣା ସମାଜବାଦୀ ନେତା ତଥା ପ୍ରାଣନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରାଣନାଥ ସଂଗୀତ ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତ ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ ଯେଉଁ ସମାଜରେ ପ୍ରଶ୍ନ ପଚାରିବା ଅଧିକାରକୁ ସଂକୁଚିତ କରାଯାଏ ସେହି ସମାଜର ବିକାଶ ହେବ ନାହିଁ, ବିଜ୍ଞାନର ଅଗ୍ରଗତି ହୋଇପାରିବ ନାହିଁ । ଆଧ୍ୟାତ୍ମିକବାଦ ହେଉଁ କିମ୍ବା ନ୍ୟାୟବିଚାର ପରିମାର୍ଜିତ ହେବନାହିଁ କି ଅଭିବୃଦ୍ଧି ହୋଇପାରିବ ନାହିଁ । କାରଣ ଏହି ପ୍ରଶ୍ନପଚାରିବାର ଅଧିକାରରୁ ହିଁ ମାନବ ସଭ୍ୟତା ପ୍ରତିଷ୍ଠିତ ହୋଇଛି । ପ୍ରାଣନାଥ ପଟ୍ଟନାୟକ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନୀର ସ୍ମୃତିଚାରଣ କରି ସେ କହିଥିଲେ, “ଦାରିଦ୍ର୍ୟ ଓ ଜୀବନର ବଂଚିବାର ସଂଘର୍ଷରେ ମଧ୍ୟ ଛାତ୍ର ଜୀବନରୁ କିଭଳି ସେମାନେ ଦେଶର ପରାଧୀନତା ବିରୋଧରେ ସଂଗ୍ରାମ କରିବାର ପ୍ରେରଣା ଏହି ପ୍ରଶ୍ନ ପଚାରିବାର ଅଦମ୍ୟ ସାହସରୁ ହିଁ ପାଇଥିଲେ।” ଛାତ୍ରଜୀବନରୁ ଏହି ପ୍ରଶ୍ନ ପଚାରିବାର ଅଭ୍ୟାସକୁ ମାର୍ଜିତ ଓ ଦୃଢ଼ୀଭୂତ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ଶିକ୍ଷାନୁଷ୍ଠାନରେ ଅଧ୍ୟାପକଅଧ୍ୟାପିକାମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏଥିପ୍ରତି ପ୍ରୋତ୍ସାହିତ କରିବାକୁ ଶ୍ରୀ ପଟ୍ଟନାୟକ କହିଥିଲେ ।

ପୂର୍ବାହ୍ଣରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ ଅଜନ୍ତା ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମଂଚାସୀନ ଥିଲେ । ଜଣାଶୁଣା କଣ୍ଠଶିଲ୍ପୀ, ସଂଗୀତକାର ଓ ସଂଗୀତ ନିଦେ୍ର୍ଦଶକ ଅଭିଜିତ ମଜୁମଦାରଙ୍କୁ ୨୦୨୨ ବର୍ଷ ପାଇଁ ପ୍ରାଣନାଥ ସଂଗୀତ ସମ୍ମାନ ସହ ନଗଦ ଅର୍ଥ, ଉପଢୌକନ ପ୍ରଦାନ କରାଯାଇଥିଲା । ନିଜ ବକ୍ତବ୍ୟରେ ଶ୍ରୀ ମଜୁମଦାର ଖୋର୍ଦ୍ଧାରେ ସେ ବଢ଼ିଥିବା ପିଲାଦିନର ସ୍ମୃତି ଚାରଣ କରିବା ସହ ଏହି ସମ୍ମାନ ତାଙ୍କ ପାଇଁ ଏକ ବଡ଼ ସମ୍ମାନ ଓ ଗୌରବର ବିଷୟ ବୋଲି କହିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ ଚୌଧୁରୀ ପିକେ ଦାସ ‘ମୋ କଲେଜ’ ପାଣ୍ଠୀକୁ ୧ଲକ୍ଷ ଟଙ୍କା ଦାନ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଧ୍ୟାପକ ଶୁଭେନ୍ଦୁ ମହାନ୍ତି ଓ ଅନ୍ୟ ଅଧ୍ୟାପକଅଧ୍ୟାପିକାମାନେ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର