ଓଲିଉଡ ବିବାଦର ସମାଧାନ ଲାଗି ଅଭିଜିତ ମଜୁମଦାର ଗାଇଲେ ଗୀତ, କହିଲେ ଏଭଳି କଥା

କଟକ: ଓଲିଉଡରେ ଏବେ ଯେଉଁ ବିବାଦ ଚାଲିଛି, ତାହାର କିଭଳି ଓ କେବେ ସମାଧାନ ହେବ, ତାହା ଜଣାପଡ଼ିନାହିଁ। କିନ୍ତୁ ଏନେଇ ଓଡ଼ିଶାର ଆଗଧାଡ଼ିର ସଙ୍ଗୀତକାର ତଥା ଗାୟକ ଅଭିଜିତ ମଜୁମଦାର ଭିନ୍ନ ବାର୍ତ୍ତା ଦେଇଛନ୍ତି। ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା କଳାକାର ବିବାଦ ପରେ ଅଭିଜିତ ମଜୁମଦାର ଏକ ସ୍ବତନ୍ତ୍ର ଗୀତ ଗାଇଛନ୍ତି। ଏହି ଗୀତର ପ୍ରଥମ ଲାଇନ୍ ରହିଛି ମିଳିମିଶି ରହିବା ଆମେ ସବୁ କଳାକାର….। ଏହାର ରେକର୍ଡିଂ ସରିଛି।

ଏନେଇ ଅଭିଜତ୍ କହିଛନ୍ତି, ଏହି ଭଳି ଗୀତ ଗାଇବା ପଛର ଉଦ୍ଦେଶ୍ୟ ହେଉଛି ଗତ କିଛି ଦିନ ଧରି ଯେଉଁଭଳି ବିବାଦ ଆରମ୍ଭ ହୋଇଛି, ପୁଣି ସେଥିରେ ରାଜନୀତି ମିଶିଛି ତେଣୁ ଓଡ଼ିଶା ପାଇଁ କିଛି ପୂର୍ବ କଣ ପଶ୍ଚିମ କଣ ସବୁ କଳାକାରଙ୍କ ଅଳ୍ପ ବହୁତେ ଅବଦାନ ରହିଛି ତାହା ଦର୍ଶାଯାଇଛି। ଏହି ଗୀତ ବିବାଦର ସମାଧାନ କରିବା ଦିଗରେ ସହାୟକ ହେବ ବୋଲି ଅଭିଜତ ଆଶା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ବିବାଦର ସମାଧାନ ଲାଗି ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହାପରେ କୁନା ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ କି ପ୍ରଯୋଜକ ଟୁଟୁ ନାୟକ ମନୋଜ ମିଶ୍ରଙ୍କ ଉପରୁ ଵ୍ୟାନ୍ ହଟାଇ ଦେବା ଲାଗି ରାଜି ହୋଇଛନ୍ତି। ଅନ୍ୟପଟେ ଅଭିନେତା ଅରିନ୍ଦମ କହିଛନ୍ତି ଯେ ମୋର ଫିଲ୍ମ ‘ରାମ୍’କୁ ବ୍ୟାନ କରିବାକୁ ଯେଉଁଭଳି ଉଦ୍ୟମ ହୋଇଥିଲା ସେଥିପାଇଁ ମୁଁ ପ୍ରଯୋଜକ ସଂଘ ପାଖକୁ ଏହି ଅଭିଯୋଗ ନେଇ ଯାଇଥିଲି ଓ ସେମାନେ ତା’ ପରେ ମନୋଜ ମିଶ୍ର ଉପରେ ବ୍ୟାନ ଲଗାଇଥିଲେ। ହେଲେ ଏହି ଘଟଣା ପରେ ବହୁ ଚେଷ୍ଟା କରିଛି ମନୋଜ ମିଶ୍ରଙ୍କ ସହ ଯୋଗାଯୋଗ କରି ସମାଧାନ ପାଇଁ। ମାତ୍ର ସେ ମେସେଜ୍ କିଂବା କଲର ଉତ୍ତର ଦେଇନାହାନ୍ତି। ଆଜି ଆମେ ସମସ୍ତେ ଆସି ଆଲୋଚନା କଲୁ ଓ ବ୍ୟାନ୍ ଉଠାଇବାକୁ ବି ରାଜି ହେଲୁ। ସେହିପରି ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟ ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି ପ୍ରଯୋଜକ ସଂଘ ପକ୍ଷରୁ ଆଜି ଏଠାରେ ଉପସ୍ଥିତ ଥିବା ସଦସ୍ୟ ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ୍ ହଟାଇବା ପାଇଁ ରାଜି ହୋଇଛନ୍ତି।

ସମ୍ବନ୍ଧିତ ଖବର