ପୁରୀ: ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଥୀ(ଚତୁର୍ଦ୍ଦଶୀ ତିଥି)ରେ ସ୍ନାନବେଦିକୁ ବିଜେ କରିଥିଲେ। ସ୍ନାନବେଦିରେ ଅତ୍ୟଧିକ ସ୍ନାନ ପରେ ଜ୍ୱରରେ ପଡ଼ି ଅଣସର ଘରେ ଗୋପନ ଉପଚାରରେ ରହିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ, ମ’' ଲକ୍ଷ୍ମୀ ସାଆନ୍ତାଣୀ(ରୁକ୍ମିଣୀ)ଙ୍କ ଅଜାଣତରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି ମହାପ୍ରଭୁ। ରତ୍ନବେଦି ଛାଡ଼ି ଜନ୍ମବେଦିରେ କରୁଛନ୍ତି ଲୀଳାଖେଳ।
ସେପଟେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ବି ଫିଟିନି। ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀ ବିରହ ବେଦନା ସହ୍ୟ କରି ନ ପାରି ମା’ ବିମଳାଙ୍କ ପରାମର୍ଶକ୍ରମେ ଆଜି ପବିତ୍ର ହେରାପଞ୍ଚମୀରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନୀ ମା’ ଲକ୍ଷ୍ମୀ ଅପମାନ ଓ ରୋଷବହି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଯାଇଥିବା ମା’ ଲକ୍ଷ୍ମୀ ନିରାଡମ୍ବରରେ ଶ୍ରୀମନ୍ଦିରକୁ ଫେରିଛନ୍ତି।
ହେରାପଞ୍ଚମୀ ଉପଲକ୍ଷେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଠାକୁରାଣୀଙ୍କ ଗସ୍ତ ପୂର୍ବ ଗତକାଲି ମହାପ୍ରଭୁଙ୍କ ବନକଲାଗି(ଶ୍ରୀମୁଖ ଶୃଙ୍ଗାର) ହୋଇଥିଲା। ଶ୍ରୀମନ୍ଦିର ଦକ୍ଷିଣି ଘରେ ବିଜେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ବି ପାଳିଆ ମହାଜନେ ମଜଣା କରିଥିଲେ। ଏହା ପରେ ମା’ଙ୍କ ବନକଲାଗି ସହ ପାଟଶାଢ଼ି, ଅଳଙ୍କାର ଲାଗି ହୋଇ ସେବକଙ୍କ ଦ୍ୱାରା ପନ୍ତି ଭୋଗ ନୀତି ବିଢ଼ିଥିଲା। ଭୋଗ ପରେ ବିମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ବଡଦାଣ୍ଡ ଦେଇ ଘଣ୍ଟ, ଛତା ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିଥିଲେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇଥିଲା। ରଥ ତଳେ ମା’ଙ୍କ ନୀତି ସଂପନ୍ନ ହୋଇଥିଲା। ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ି ଶାଢ଼ି ଲାଗି, ଆଳତି ସରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପଞ୍ଚାମୃତ ମହାସ୍ନାନ ଓ ତିନି ବାଡ଼ରେ ସର୍ବାଙ୍ଗ ହୋଇ ବେଶ ନୀତି ଶେଷ ହୋଇଥିଲା।
ପରମ୍ପରା ମୁତାବକ, ଆଜି ରାତିରେ ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମା’ ଲକ୍ଷ୍ମୀ ସ୍ୱତନ୍ତ୍ର ବିମାନରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାରିବା ପରେ ଘଣ୍ଟଘଣ୍ଟା, କାହାଳୀ ସହକାରେ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲେ। ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହି ନୀତି ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିର ନୀତି ବଢ଼ିବା ପରେ ନାକଚଣା ଦ୍ୱାରଠାରେ ଭିତରଚ୍ଛ ବନ୍ଦାପନା ଓ ଦହିପଟି ମଣୋହି କରିଥିଲେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ମା’ ଲକ୍ଷ୍ମୀ ଜୟ-ବିଜୟ ଦ୍ୱାର ନିକଟରେ ପହଞ୍ଚିଥିଲେ।
ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟ-ବିଜୟ ଦ୍ୱାର ନିକଟରେ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଧୂପ ଚାଲିଥିବାରୁ ଦୁଇଟିଯାକ ଦ୍ବାର ବନ୍ଦ କରି ଦିଆଯାଇଥିଲା। ଯାହା ମା’ଙ୍କୁ ଘୋର ଅପମାନ ଦେଇଥିଲା। ଅପମାନ ଜର୍ଜ୍ଜରିତ ମା’ ଲକ୍ଷ୍ମୀ ଠାକୁରାଣୀ ନାକଚଣା ଦ୍ୱାର ଦେଇ ବାହାରି ଆସିବା ବେଳେ ରାଗରେ ମହାପ୍ରଭୁଙ୍କ ରଥର କିଛି ଅଂଶ ଭାଙ୍ଗି ଦେଇଥିଲେ। ଯେଉଁ ଘଣ୍ଟଘଣ୍ଟା, କାହାଳୀ ସହ ଶୋଭାଯାତ୍ରାରେ ଯାଇଥିଲେ, ଫେରିବା ସମୟରେ ଆଉ ସେଭଳି ପରିବେଶ ନ ଥିଲା। ରାଗରେ ବଡ଼ଦାଣ୍ଡ ଦେଇ ଶ୍ରୀମନ୍ଦିରକୁ ନ ଆସି ନିରାଡ଼ମ୍ୱର ପରିବେଶ ଭିତରେ ହେରାଗୋହିରୀସାହି ଦେଇ ଫେରିଥିଲେ। ଫେରିବା ବାଟରେ ବିଭିନ୍ନ ସ୍ଥାନରେ ମା’ଙ୍କୁ ପନ୍ତି ଭୋଗ ଲାଗି ହୋଇଥିଲା। ବିଳମ୍ୱିତ ରାତିରେ ପୁନର୍ବାର ସିଂହଦ୍ୱାର ଦେଇ ମା’ ଶ୍ରୀମନ୍ଦିରକୁ ଫେରିଥିଲେ।