୨୭ରେ ଅଭିମନ୍ୟୁ ସାମନ୍ତସିଂହାର ରାସ୍ତା ପ୍ରସଂଗରେ ଶୁଣାଣି

କଟକ : ଓଡ଼ିଆ ସାହିତ୍ୟର ଅନନ୍ୟ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାଁରେ ଥିବା ରାସ୍ତାର ପୁନର୍ବାର ନାମକରଣକୁ ଚାଲେଞ୍ଜ କରି ରୁଜୁ ଜନସ୍ୱାର୍ଥ ମାମଲାର ଚୂଡାନ୍ତ ଶୁଣାଣି ଅଗଷ୍ଟ ୨୭ରେ ହେବ। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଏହି ମାମଲାରେ ରାସ୍ତାର ପୁନର୍ବାର ନାମକରଣ କରାଯାଇଥିବା ଘଟଣାକୁ ପ୍ରତିପକ୍ଷ ପରୋକ୍ଷରେ ସ୍ୱୀକାର କରିଛନ୍ତି ବୋଲି ଦାଖଲ ପ୍ରତିଜବାବରେ ଦର୍ଶାଯାଇଛି। ଆବେଦନକାରୀ ଅଭିମନ୍ୟୁ ସ୍ମୃତି ସଂସଦ କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରକାଶ ଚନ୍ଦ୍ର ନାୟକଙ୍କ ପକ୍ଷରୁ ଆଇନଜୀବୀ ରାମଚନ୍ଦ୍ର ରାୟ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ, ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କୁ ସମ୍ମାନ ଜଣାଇ ଭୁବନେଶ୍ୱର ସତ୍ୟନଗର ଅନ୍ତର୍ଗତ ପିଡବ୍ଲୁଡି ରାସ୍ତାର ନାମକରଣ କବିଙ୍କ ନାଁ ଅନୁସାରେ ୨୦୦୩ରେ କରାଯାଇଥିଲା। କିନ୍ତୁ ଏହି ରାସ୍ତାର ନାମକରଣ ମହାନ ସନ୍ଥ ମଦର ଟେରେସାଙ୍କ ନାଁ ଅନୁସାରେ କରିବାକୁ ୨୦୧୬, ସେପ୍ଟେମ୍ବର ୩ରେ ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସଂପୃକ୍ତ ରାସ୍ତାର ନାମ ପୂର୍ବଭଳି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାଁରେ ରଖିବା ପାଇଁ ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର