କେବେ ଫେରିବ ପୁଅ?

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଏତେ ଦିନ ପରେ ପୁଅ ଘରକୁ ଆସିବାର ଥିଲା, ହେଲେ ହେଲା କ’ଣ?

ଦୀର୍ଘଶ୍ବାସ ପକାଇଲେ ପାର୍ବତୀ। ପୁଅ ଦିଲ୍ଲୀରେ କାମ କରେ। ଭଲ ରୋଜଗାର। ଏଇ ବର୍ଷ ତାର ବାହାଘର କରିବେ ବୋଲି ସେ ଚିନ୍ତା କରିଥିଲେ। ଯେଉଁ ଦିନ ସେ ଗାଁରେ ପହଞ୍ଚିବାର ଥିଲା ସେହି ଦିନ ସେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ବାଡ଼ି, ଅଗଣା ସଫା କରାଇଥିଲେ। ପୁଅ ଯାହା ଖାଇବାକୁ ଭଲ ପାଏ, ସେ ସବୁର ରୋଷେଇ କରିଥିଲେ। କିନ୍ତୁ ସବୁ କିଛି ସେମିତି ରହିଗଲା। ପୁଅ ଆସିଲା ନାହିଁ। ପାର୍ବତୀଙ୍କ ଏକମାତ୍ର ପୁଅ ରବି କେଉଁଠି କେଜାଣି ଅଟକି ରହିଗଲା।

ଏ ବିଷୟରେ କାହାକୁ ପଚାରିବେ ସେ? ଗାଁର ପଢୁ୍ଆ ପିଲା ବିଭୂତି ହୁଏ’ତ କିଛି ଜାଣିଥିବ! ହୁଏ’ତ ତା’ ଠାରୁ କିଛି ଉତ୍ତର ମିଳିଯିବ! ତେଣୁ ସେ ଗଲେ ବିଭୂତି ପାଖକୁ।

ବିଭୂତି କହିଲା- ମାଉସୀ, ଜାଣିନା କି ସରକାର ଏବେ ପୂରା ଦେଶଟିକୁ ତାଲା ବନ୍ଦ କରି ‌ଦେଇଛନ୍ତି! ସମସ୍ତେ ଏବେ ଘର ଭିତରେ ବନ୍ଦ ହୋଇ ରହ ବୋଲି ସରକାର କହୁଛନ୍ତି। ତାହା ନ ହେଲେ କରୋନା ବୋଲି ଯେଉଁ ରୋଗଟି ବ୍ୟାପୁଛି, ତାକୁ ଅଟକାଇ ହେବ ନାହିଁ।

ଏହା ଶୁଣି ପାର୍ବତୀ ଟିକିଏ ଶଙ୍କିଗଲେ।

ସେ ପଚାରିଲେ- ତାଲା ବନ୍ଦ? ତା’ ମାନେ ତୁମେ ଯାହା କହୁଛ ଏବେ ରବି ଘରକୁ ଆସି ପାରିବ ନାହିଁ? ଗଲା ବର୍ଷକ ତଳେ ସେ ଯାହା ଆସିଥିଲା। ଏବେ ଆସିଥିଲେ ତାର ବାହାଘର କଥା ପଡ଼ିଥାଆନ୍ତା। ଏବେ ହେବ କ’ଣ? କ’ଣ ସବୁ କିଛି ବନ୍ଦ?

ବିଭୂତି କହିଲା- ମାଉସୀ, ସବୁ ବନ୍ଦ। କେବଳ ସେତିକି ନୁହେଁ ଏବେ ସରକାର କହୁଛନ୍ତି ଯେ ସେ ତୁମ ପୁଅ ହେଉ କି ଝିଅ, ଯେତେ ଗେହ୍ଲା ହୋଇଥିଲେ ବି ସେ ଯଦି ବାହାରୁ ଆସିବ, ତେବେ ଅନ୍ତତଃ ଚଉଦ ଦିନ ଯାଏ ତା’ଠାରୁ ଦେଢ଼ ମିଟର ଦୂରରେ ରହି କାରବାର କରିବ। କାରଣ ତାହା ନ ହେଲେ ସେଇ ରୋଗର ଭୂତାଣୁ ଅନ୍ୟ ଦେହରୁ ଆସି ଆମ ଦେହ‌ରେ ପଶିଯିବ।

ପାର୍ବତୀ ବିଶେଷ କିଛି ବୁଝିପାରିଲେନି ସିନା, କିନ୍ତୁ ଟିକିଏ ଭୟ ପାଇଗଲେ। ସେ ଭାବିଲେ- ତା’ ମାନେ ରବିର ବାହାଘର ଏ ଥର ହୋଇପାରିବ ନି?

ବିଭୂତି ପଚାରିଲା- କ’ଣ ଭାବୁଛ ମାଉସୀ?

ପାର୍ବତୀ କହିଲେ- ଭାବୁଥିଲି ରବିର ବାହାଘର କଥା। ତୁମେ ଯାହା କହିଲଣି ସେଥିରୁ ଛାନିଆ ଲାଗୁଛି। ଏ ବର୍ଷ ତାର ବାହାଘର ହେବ କି ନାହିଁ ‌େକଜାଣି?

ଏଥର ହସିଲା ବିଭୂତି। ସେ କହିଲା- ମାଉସୀ, ଏତେ ଦୂର କଥା କ’ଣ ଭାବୁଚ? କଥା ଯାଇ କୋଉଠି ପହଞ୍ଚିଲାଣି! ଏବେ ଯଦି ଦିନଟିଏ ଭଲରେ କଟିଗଲା, ଲୋକେ ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି। ସରକାର କହୁଛନ୍ତି କେହି ମରିଗଲେ ବି ତାର ଦାହ ସଂସ୍କାର କାମରେ କୋଡ଼ିଏରୁ ଅଧିକ ଲୋକ ରୁଣ୍ଡ ହୁଅନାହିଁ। ସବୁ ବନ୍ଦ। ଗାଡ଼ିମଟର ସବୁ ବନ୍ଦ। ତୁମେ ମାଉସୀ ଭଗବାନଙ୍କୁ ଡାକ ଯେମିତି ଏ ସ୍ଥିତି ଟଳିଯାଉ। ସବୁ କିଛି ପୁଣି ପୁରୁଣା ଭଳିଆ ହୋଇଯାଉ। ତା ପରେ ପୁଅ ବାହାଘର କଥା ଭାବିବ!

ପାର୍ବତୀ କହିଲେ- ହେଲେ, ମୋ ପୁଅ ଗଲା କୁଆଡ଼େ? କାଲି ସକାଳେ ପହଞ୍ଚିବାର ଥିଲା। ଏବେ ତାର ମୋବାଇଲ୍‌ ଅଫ ବୋଲି କହୁଛି! ସେ ଗଲା କୁଆଡ଼େ? ରହିଲା କୋଉଠି? କେମିତି ଟିକିଏ ଜାଣି ହୁଅନ୍ତା ନାହିଁ?

ବିଭୂତି ଗମ୍ଭୀର ଦିଶିଲା। ସେ କହିଲା- ମାଉସୀ ବଡ଼ ଦୁଃଖଟିଏ ପଡ଼ିଛି। ଯେଉଁମାନେ ସବୁ ବାହାରେ କାମ କରୁଥିଲେ, ସେମାନେ ସବୁ ଏଇ ତାଲାବନ୍ଦରେ ଛାନିଆ ହୋଇ ଘରକୁ ପଳାଇବାକୁ ବସିଲେ ସିନା ଗାଡ଼ି ମଟର ତ ବନ୍ଦ। ଆସିବେ କେମିତି? ସବୁ ବିଭିନ୍ନ ଜାଗାରେ ଅଟକି ପଡ଼ିଛନ୍ତି। ଭାରି କଷ୍ଟରେ ଅଛନ୍ତି। ହେଲେ କରିବେ କ’ଣ?

ଏଥର ପାର୍ବତୀ ବିକଳ ହୋଇ ଆକାଶକୁ ଚାହିଁ ମୁଣ୍ଡିଆ ମାରିଲେ ଓ କହିଲେ- ପୁଅକୁ ଭଲରେ ରଖ ମା’ ମଙ୍ଗଳା। ତାକୁ କେମିତି ଟିକିଏ ଗାଁକୁ ନେଇ ଆସ ମା’!

ବିଭୂତି କହିଲା- ନା, ମାଉସୀ, ଭଗବାନଙ୍କୁ ସେମିତି ଡାକନା। ଏ କରୋନା ରୋଗ ଏମିତି ଅବସ୍ଥା କଲାଣି ଯେ ସମସ୍ତେ ସମସ୍ତଙ୍କୁ ସନ୍ଦେହ କଲେଣି। କାଳେ କାହା ଠୁ ‌ରୋଗ ଡେଇଁବ ବୋଲି ସମସ୍ତେ ଛାନିଆ। ତେଣୁ ଯଦି ତୁମ ପୁଅ କାଲି ଗାଁରେ ପହଞ୍ଚି ଯାଏ, ତେବେ ତାକୁ ଗାଁ ବାଲା ପୂରାଇବେ ତ?

ପାର୍ବତୀ ଟିକିଏ ବିରକ୍ତିର ସହିତ କହିଲେ- ପୂରାଇବେ ନି କେମିତି? ୟେ କ’ଣ ତା’ ଗାଁ ନୁହେଁ କି? ତା’ ନିଜ ଗାଁରେ ସେ ପଶି ପାରିବ ନାହିଁ କାହିଁକି?

ବିଭୂତି କହିଲା- ନା, ମାଉସୀ। ପାରିବ ନାହିଁ। କାରଣ ସ୍ଥିତି ବଦଳିଯାଇଛି। ଏବେ ସମସ୍ତଙ୍କ ମନରେ ଡର। ବରଂ ମା ମଙ୍ଗଳାଙ୍କୁ ଡାକି କହ ଯେ ରବିକୁ ଯେଉଁଠି ରଖନ୍ତୁ, ଭଲରେ ରଖନ୍ତୁ। ସେ ଭଲରେ ଥାଉ।

ପାର୍ବତୀ ସେଠାରୁ ବୁଲି ପଡ଼ି ଘରକୁ ଫେରିଲେ। ଫେରିଲା ବେଳେ ମନେ ମନେ ଭାବୁଥିଲେ – ପଢୁଆ ପିଲା ବୋଲି ତାକୁ ପଚାରି କି ଭୁଲ କଲି? କିଛି ଜାଣି ନ ଥିଲି ଭଲରେ ଥିଲି।
ଏହି ସମୟରେ ଦୂରରେ ଡାକବାଜି ଯନ୍ତ୍ରରୁ ପ୍ରଚାର ଶୁଭୁଥିଲା-କେହି ଘରୁ ବାହାର ନାହିଁ। ବାହାରୁ କେହି ଗାଁକୁ ଆ‌ସିଲେ ଖବର ଦିଅ।

ପାର୍ବତୀ ଲଥ୍‌ କିନା ଘର ପିଣ୍ଡାରେ ବସି ପଡ଼ିଲେ। ଏ ରୋଗ କ’ଣ ନ କଲା ସତେ? ମଣିଷକୁ ମଣିଷଠୁଁ କେତେ ଦୂରେଇ ନ ଦେଲା ସତେ?

ମୋ:୯୪୩୯୩୪୦୨୪୫

ସମ୍ବନ୍ଧିତ ଖବର