ମହାମାରୀ ଓ ଶୋକସନ୍ତପ୍ତ ପୃଥିବୀ

ଡକ୍ଟର ପ୍ରଦୀପ ମହାପାତ୍ର

‘କୋଭିଡ-୧୯’ ମହାମାରୀ ବିଶ୍ୱବ୍ୟାପୀ କାୟା ବିସ୍ତାର କରିବା ଅବସରରେ ସଂକ୍ରମଣର ଭୟାବହତାରେ ଆଶଙ୍କିତ ଜନସାଧାରଣ ସାମୂହିକ ସ୍ତରରେ ବିଷାଦଗ୍ରସ୍ତ ହୋଇପଡ଼ିଥିବା ଦେଖାଯାଉଛି। ଏହା ସ୍ୱାଭାବିକ। ବିଶେଷ କରି ସଂକ୍ରମଣର ତୀବ୍ରତା ଅନୁଭୂତ ହେଉଥିବା ରାଷ୍ଟ୍ରଗୁଡ଼ିକରେ ଦୀର୍ଘକାଳୀନ ‘ତାଲାବନ୍ଦ’ ଦ୍ବାରା ପ୍ରଭାବିତ ଜନ ଜୀବନ ମାନସିକ ଚାପର ଶିକାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ପରିବାର ନିଜର ପ୍ରିୟଜନମାନଙ୍କୁ ହରାଇ ବସିବା ଯୋଗୁଁ ଶୋକାନୁଭୂତିର ସାନ୍ଦ୍ରତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ‘ତାଲାବନ୍ଦ’ କାଳରେ ଏହା ବାହାରକୁ ପରିଦୃଷ୍ଟ ହେଉ ନ ଥିବାରୁ ଏହାର ଗଭୀରତା ମାପିବା ଏବେ ହୁଏ’ତ ସମ୍ଭବପର ହୋଇପାରୁ ନାହିଁ। କିନ୍ତୁ ପରବର୍ତ୍ତୀ କାଳରେ ସବୁ କିଛି ସାଧାରଣ ଅବସ୍ଥାକୁ ଫେରି ଆସିବା ପରେ ଏହାର ପ୍ରଭାବ ପରିଲକ୍ଷିତ ହେବ ଏବଂ ସମଗ୍ର ବିଶ୍ବ କିଭଳି ଦୁଃଖ ସହିଛି ତାହା ଜଣାପଡ଼ିବ।

ମାର୍କିନ ମନସ୍ତତ୍ତ୍ୱବିତ୍‌ ଡେଭିଡ କେସଲରଙ୍କ ପ୍ରକାଶିତ ଏକ ପୁସ୍ତକରେ ଶୋକ କରିବା ଉପରେ ବିଶଦ ବର୍ଣ୍ଣନା ରହିଛି। ତାଙ୍କ କହିବା ଅନୁସାରେ କୌଣସି ପରିବାରରେ କୌଣସି ଦୁର୍ଘଟଣା ଘଟି କାହାର ଅକାଳ ବିୟୋଗ ଘଟିଲେ ‌େଶାକାକୁଳ ପରିବାର ପାଞ୍ଚଟି ସୋପାନ ଦେଇ ଗତି କରିଥାଏ। ପ୍ରଥମରେ ଏଭଳି ଘଟଣା ବିଶ୍ୱାସଯୋଗ୍ୟ ମନେ ହୋଇନଥାଏ। ଦ୍ୱିତୀୟରେ ଏହା ମନରେ ହତାଶା ବ୍ୟଂଜକ କ୍ରୋଧ ମଧ୍ୟ ଜାତ କରିଥାଏ। ତୃତୀୟ ସୋପାନରେ ପରିସ୍ଥିତି ସହ ସାଲିସ କରିବାକୁ ଉଦ୍ୟମ କରାଯାଏ। ଚତୁର୍ଥରେ ପରିସ୍ଥିତି ସହିତ ସାଲିସ କରୁଥିବା ବେଳେ ଅତି ବିଷଣ୍ଣତା କାରଣରୁ ଅବସାଦ ମାଡ଼ି ବସେ। ଶେଷରେ କ୍ରମେ ତାକୁ ସ୍ୱୀକାର କରିବାକୁ ବିରହୀମାନେ ବାଧ୍ୟ ହୁଅନ୍ତି। କେସଲରଙ୍କ ମତରେ ଏକ ମହାମାରୀ କାଳରେ ହଜାର ହଜାର ଲୋକ ପ୍ରାଣ ହରାଉଥିଲେ ମଧ୍ୟ ପ୍ରିୟଜନଙ୍କୁ ହରାଇଥିବା ଅଧିକାଂଶ ଲୋକ ଏହି ପାଞ୍ଚଟି ସୋପାନ ଦେଇ ଗତି କରନ୍ତି।

କରୋନା ମହାମାରୀ ପରିପ୍ରେକ୍ଷୀରେ ସାମୂହିକ ଶୋକାନୁଭୂତି ବିଷୟରେ କହିବାକୁ ଯାଇ କେସଲର ମତ ଦିଅନ୍ତି ଯେ ଏବେ ଆସନ୍ନ ବିପଦର ଘନଘଟା ଜନସାଧାରଣଙ୍କୁ ତ୍ରସ୍ତ କରି ରଖିଛି। ଏହି ପରିବେଶର ମୁକାବିଲା କରିବା ଲାଗି ପ୍ରତ୍ୟେକ ସକାରାତ୍ମକ ମନୋଭାବ ପୋଷଣ କରିବା ନିମନ୍ତେ ଉଦ୍ୟମଶୀଳ। କିନ୍ତୁ ଏତିକି ବେଳେ ପ୍ରିୟଜନଙ୍କ ବିୟୋଗ ସେମାନଙ୍କ ଉଦ୍ୟମକୁ ବିଫଳ କରିଥିବା ଜନିତ ହତାଶାବୋଧ ସେମାନଙ୍କ ମାନସିକ ଅବସାଦକୁ ବହୁଗୁଣିତ କରିବା ସହିତ ଏକ ତୀବ୍ର ଅସହାୟତାବୋଧ ଦ୍ବାରା ଜର୍ଜରିତ କରିପାରେ। କେସଲର କହନ୍ତି ଯେ ଶୋକ ସନ୍ତପ୍ତ ଅନେକ ବ୍ୟକ୍ତି ନିଜ ଭିତରେ ଦୁଃଖକୁ ଚାପି ଦିଅନ୍ତି। କିନ୍ତୁ ଏହା ମାନସିକ ସ୍ଥିତିର ଅବନତିର କାରଣ ପାଲଟିପାରେ। ସ୍ଥଳ ବିଶେଷରେ ଏହା ଆତ୍ମହତ୍ୟାର କାରଣ ମଧ୍ୟ ହୋଇପାରେ। ଶୋକ ପ୍ରକାଶ କରିବାର କ୍ରିୟାଟି ସ୍ୱତଃପ୍ରବୃତ୍ତ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରାଯିବା ସର୍ବାଦୌ ଅନୁଚିତ। ଅନେକ ଏହାକୁ ଚାପି ଦେବାକୁ ଏକ ସାହସିକତାର କାର୍ଯ୍ୟ ବା ପୁରୁଷସୁଲଭ କାମ ବୋଲି ଭାବନ୍ତି। କିନ୍ତୁ ତାହା ଭୁଲ୍‌। ଆମ ଭାଷାରେ କଥାଟିଏ ଅଛି ଯେ ଦୁଃଖ ବାଣ୍ଟିଲେ କମେ। କେସଲରଙ୍କ ମତ ଏହି ସଂଦର୍ଭରେ ମଧ୍ୟ ଠିକ ସେୟା। ସେ କହନ୍ତି ଯେ ଏହି ସମୟରେ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ କାନ୍ଦିବା ଲାଗି ଛାଡ଼ି ଦିଆଯିବା ଦରକାର। ସେମାନଙ୍କ ଦୁଃଖକୁ ସହାନୁଭୂତିର ସହିତ ଦୀର୍ଘକାଳ ଯାଏ ସମସ୍ତେ ଶୁଣିବା ଉଚିତ।

‘କୋଭିଡ-୧୯’ ମହାମାରୀରେ ଜନ ଜୀବନ ହାନି କେବଳ ଦୁଃଖର କାରଣ ହେବନାହିଁ। ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରି, ପାରିବାରିକ ଅଶାନ୍ତି ଓ ଅନ୍ୟାନ୍ୟ ସାମାଜିକ ସମସ୍ୟାବଳୀ ଦ୍ବାରା ମଧ୍ୟ ଜନସଂଖ୍ୟାର ଏକ ବୃହତ୍‌ ଅଂଶ ପ୍ରଭାବିତ ହୋଇ ବିମର୍ଷବୋଧର ଶିକାର ହୋଇଛନ୍ତି। ଏହା ଦ୍ବାରା ସାମୂହିକ ବିଷଣ୍ଣତାର ଛାୟା ଅଧିକ ବ୍ୟାପକ ହୋଇଛି। ଏହି ପରିପ୍ରେକ୍ଷୀରେ ବିଷାଦଗ୍ରସ୍ତମାନଙ୍କ ଯତ୍ନ ନେବାରେ‌ ଅଧିକ ଧୈର୍ଯ୍ୟ ଓ ସମାନୁଭୂତିର ପ୍ରଦର୍ଶନ ଜରୁରୀ ହୋଇପଡ଼ିଛି। ସମାଜର ଯେଉଁମାନେ ଅପେକ୍ଷାକୃତ କମ୍‌ ହରାଇଛନ୍ତି ସେମାନେ ଅଧିକ କ୍ଷତିଗ୍ରସ୍ତଙ୍କ ଦାୟିତ୍ବ ନେବାର ସମୟ ଉପନୀତ ହୋଇଛି।

ଆଧୁନିକ ପରିବେଶରେ ସାମାଜିକ ସ୍ତରରେ ଶୋକ ପ୍ରକାଶକୁ ଯଥାସମ୍ଭବ ସଂକ୍ଷିପ୍ତ ରଖି ତୁରନ୍ତ ସାଧାରଣ ଜୀବନକୁ ଫେରି ଆସିବାକୁ ଚାପ ପକାଯାଉଥିବା ଦେଖିବାକୁ ମିଳେ। କେସଲରଙ୍କ ଭଳି ମନସ୍ତତ୍ତ୍ବବିତ୍‌ଙ୍କ ମତରେ ଏହା ଅତ୍ୟନ୍ତ ଘାତକ। ଶୋକ ପ୍ରକାଶର ଅବଧି ବରଂ ପ୍ରଲମ୍ବିତ ହେବା ଶୋକାକୁଳ ବ୍ୟକ୍ତି ବା ସମାଜ ଲାଗି ଭଲ। ପରିବାରବର୍ଗ ଓ ଘନିଷ୍ଠ ବନ୍ଧୁବାନ୍ଧବଙ୍କ ସମକ୍ଷରେ ଶୋକ ପ୍ରକାଶ କରି ଏବଂ ସେମାନଙ୍କ ଠାରୁ ସହାନୁଭୂତି ପ୍ରାପ୍ତ ହୋଇ ଜଣେ ଶୋକାଚ୍ଛନ୍ନ ବ୍ୟକ୍ତି ଗଭୀର ବିଷାଦବୋଧରୁ ମୁକ୍ତି ପାଇପାରେ।

‘କୋଭିଡ-୧୯’ର ସଂକ୍ରମଣ ଏହି ବିଶ୍ୱକୁ ଅନେକ ନୂଆ ଦୃଶ୍ୟ ଦେଖାଇବ। ଏହି ମହାମାରୀ ଯୋଗୁଁ ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ସମାଜ ଦୀର୍ଘକାଳ ଧରି ବିମର୍ଷବୋଧର ଶିକାର ହୋଇ ରହିବ। ନିଜର ଜ୍ଞାତିମାନଙ୍କୁ ହରାଇଥିବା ପରିବାର ହୁଏତ ଆଉ କେବେ ବି କରୋନା ପୂର୍ବବର୍ତ୍ତୀ ସମୟ ବା ପରିବଶେ ବା ଆନନ୍ଦକୁ ଫେରି ପାଇ ନ ପାରେ। ଏହା ସହିତ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ସେମାନଙ୍କ ଅସୁରକ୍ଷା ଓ ବିଷାଦବୋଧକୁ ବଢ଼ାଇ ଦେଇପାରେ। ଏହି ସମୟରେ ସମସ୍ତେ ଏକଜୁଟ ହୋଇ ପରସ୍ପରକୁ ପ୍ରବୋଧନା ଦେବା ପୂର୍ବକ ଏହି ଶୋକର ମହାସାଗରକୁ ପାରି କରିବା ଉଚିତ।

ଭୀମାରାଓ ପେଟା, ବ୍ରହ୍ମପୁର-୭୬୦ ୦୦୧
ମୋ: ୯୪୩୭୦ ୯୬୯୪୪

ସମ୍ବନ୍ଧିତ ଖବର