ଗୋଟିଏ ପୂର୍ଣ୍ଣିମା: ଦୁଇଟି ଜହ୍ନ

ପ୍ରଫେସର ମଣୀନ୍ଦ୍ର କୁମାର ମେହେର

ବାରଶହ ଛୟାଅଶୀ ସାଲର ଶ୍ରାବଣ ପୂର୍ଣ୍ଣିମା ତିଥିରେ ନଦିଆ ଜିଲ୍ଲାର ଉତ୍ତପୁର ଗ୍ରାମରେ ଏକ କୁଳୀନ ବ୍ରାହ୍ମଣ ବଂଶରେ ଜନ୍ମ ନେଇଥିବା ନଳିନୀକାନ୍ତ ପରବର୍ତ୍ତୀ ସମୟରେ ସ୍ବାମୀ ନିଗମାନନ୍ଦ ସରସ୍ବତୀ ଭାବରେ ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିଥିଲେ। ସେଇ ଗୋଟିଏ ତିଥିରେ ହିଁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶୁଭ ଆବିର୍ଭାବ। ନିଗମାନନ୍ଦଙ୍କ ଜନ୍ମର ଦୀର୍ଘ ସମୟ ଅତିକ୍ରାନ୍ତ ହେବା ପରେ ଗଙ୍ଗାଧରଙ୍କ ଜନ୍ମ। ଏହି ଗୋଟିଏ ଶୁଭଙ୍କର ମୁହୂର୍ତ୍ତରେ ଜନ୍ମ ନେଇଥିବା ଏହି ଦୁଇଟି ପ୍ରତିଭା ପୃଥିବୀବାସୀଙ୍କ ନିମନ୍ତେ ଯେପରି ଦୁଇଟି ପୂର୍ଣ୍ଣିମା ଚନ୍ଦ୍ର ଭଳି ଶୀତଳ ଜ୍ୟୋତ୍ସ୍ନାଧାରାରେ ଆପ୍ଲୁତ କରନ୍ତି ଭକ୍ତ ଓ ସୁପାଠକମାନଙ୍କ ଅନ୍ତରାତ୍ମାକୁ।

ନିଗମାନନ୍ଦଙ୍କ ଜୀବନ ଘଟଣାମୟ। ସେ ବିବାହ କରିଥିଲେ ସୁଧାଂଶୁବାଳାଙ୍କୁ। ସେ ସୁଧାଂଶୁବାଳାଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଶେଷରେ ଆଦ୍ୟାଶକ୍ତିଙ୍କ ମହିମା ଉପଲବ୍ଧି କରିପାରିଥିଲେ। ଜୀବନ ମୃତ୍ୟୁର ନିଗୂଢ଼ ରହସ୍ୟ ଉନ୍ମୋଚନ କରିବାରେ ସମର୍ଥ ହୋଇ ସେ ପରିଣତ ହେଲେ ସ୍ବାମୀ ନିଗମାନନ୍ଦ ଭା‌ବରେ। ସ୍ବଭାବକବି ଗଙ୍ଗାଧର ମେହେର ମଧ୍ୟ ପତ୍ନୀ ବିୟୋଗ ଦୁଃଖରେ ଭାରାକ୍ରାନ୍ତ ହୋଇଛନ୍ତି। ସେ ଏହା ପୂର୍ବରୁ ଯେତେବେଳେ ‘ଇନ୍ଦୁମତୀ’ କାବ୍ୟ ରଚନା କରିଥିଲେ ସେହି ସମୟରେ ହିଁ ଅଜ ଇନ୍ଦୁମତୀଙ୍କ ବିଚ୍ଛେଦ ଦୃଶ୍ୟ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ମୃତ୍ୟୁର ରହସ୍ୟ ପ୍ରକଟ କରିଥିଲେ କାବ୍ୟରଚନା ଦ୍ବାରା। ଗଙ୍ଗାଧରଙ୍କ ସ୍ଥିତପ୍ରଜ୍ଞ ବ୍ୟକ୍ତିତ୍ବ ପ୍ରତି ଦୃଷ୍ଟି ଆକର୍ଷିତ ହେଲେ ମନେହୁଏ ସେ ଯେମିତି ପୂର୍ବ ଜନ୍ମରେ ଥିଲେ ଜଣେ ମହାଯୋଗୀ। ତେଣୁ ନିଗମାନନ୍ଦଙ୍କ ଯୋଗ ସାଧନାର ସାରାଂଶ ତାଙ୍କ ଭିତରେ ଥିଲା କିପରି ଦୀପ୍ତିମନ୍ତ ହୋଇ ତାହା ଅନୁଭବ କରିବା ଏକ ଅଭିନବ ବିସ୍ମୟକର ଉପଲବ୍ଧିର ବିଷୟ।

ନିଗମାନନ୍ଦ ଓ ମେହେର କବିଙ୍କ ଜୀବନରେ ଯେଉଁ ସବୁ ଘଟଣା ଘଟିଛି ତାକୁ ତୁଳନାତ୍ମକ ଶୈଳୀରେ ଉପସ୍ଥାପନ କରିବା ଏ ପ୍ରବନ୍ଧର ଲକ୍ଷ୍ୟ ନୁହେଁ। ଏହାର ପ୍ରକୃତ ଆଭିମୁଖ୍ୟ ହେଉଛି ନିଗମାନନ୍ଦଙ୍କ ଜୀବନ ଦର୍ଶନ ସହିତ ଗଙ୍ଗାଧରଙ୍କ ଜୀବନ ଦୃଷ୍ଟିର ଯେଉଁ ସୂକ୍ଷ୍ମ ସାମଞ୍ଜସ୍ୟ ରହିଛି ତାହାକୁ ଯଥାର୍ଥ ଭାବରେ ଉଦ୍‌ଘାଟନ କରିଦେବା।

ନିଗମାନନ୍ଦ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଏତେ ମହତ୍‌ବାଣୀ ଉଚ୍ଚାରଣ କରିଛନ୍ତି ଯାହା ଭିତରେ ଗଙ୍ଗାଧରଙ୍କ ଆଦର୍ଶ କିପରି ପ୍ରତିଫଳିତ ତାହା ଅନୁଭବ କରାଯାଇପାରିବ। ସେ ସାଧାରଣ ଜନତାଙ୍କୁ ଉପଦେଶ ଦେଇ କହିଛନ୍ତି ଯେ, ‘ଦରିଦ୍ର ହୋଇ ଦୁଃଖରେ ରହିବା ଭଲ; ତଥାପି ଅନ୍ୟାୟ ଉପାୟରେ ବିଭବଶାଳୀ ହେବା ଭଲ ନୁହେଁ।’ ନିଗମାନନ୍ଦଙ୍କ ଏହି ଉପଦେଶର ମୂର୍ତ୍ତିମନ୍ତ ଅବତାର ହେଉଛନ୍ତି ଗଙ୍ଗାଧର ମେହେର। ସିଏ ଦାରିଦ୍ରୢବରଣ କରିବା ବାଞ୍ଛନୀୟ ବୋଲି ସର୍ବଦା ମନେକରି ଆସିଛନ୍ତି ଓ ଅସତ୍‌ ଉପାୟ ଅବଲମ୍ବନରେ ଧନ ଅର୍ଜନର ବିରୁଦ୍ଧରେ ସ୍ବରଉତ୍ତୋଳନ କରିଛନ୍ତି। ଗଙ୍ଗାଧରଙ୍କ ଜୀବନ ଥିଲା ସରଳ, ନିରାଡ଼ମ୍ବର ଓ ଅହମିକା ଶୂନ୍ୟ। ନିଗମାନନ୍ଦ ସବୁ ବିଭ୍ରାନ୍ତିଠାରୁ ଯେପରି ବହୁ ଊର୍ଦ୍ଧ୍ବରେ ରହିଥିଲେ, ଗଙ୍ଗାଧର ମଧ୍ୟ ସେହିପରି ନିଗମାନ୍ଦଙ୍କ ଆସନର ସମୀପବର୍ତ୍ତୀ ହୋଇପାରିଥିଲେ ଜନ୍ମସିଦ୍ଧ ଚେତନାଶକ୍ତି ବଳରେ।

ଗଙ୍ଗାଧର ସାହିତ୍ୟରେ ପ୍ରକୃତିର ସାଧନାମଗ୍ନ ଜୀବନ ଅଭିଭୂତ କରେ ପ୍ରତିଟି ପାଠକଙ୍କୁ। ନିଗମାନନ୍ଦ ଏହି ବୃକ୍ଷଲତାଙ୍କ ସଂପର୍କରେ କହିଛନ୍ତି ‘ଏ ଦେଶର ବୃକ୍ଷଲତାମାନେ ମଧ୍ୟ ତପସ୍ବୀ’। ବାସ୍ତବିକ୍‌ ଏହି ତପସ୍ୟାର ଅମୃତ ଝଙ୍କାର ତପସ୍ବିନୀ କାବ୍ୟର ତମସା ନଦୀର କୁଳୁକୁଳୁ ସଂଗୀତରେ ଶତ ହୋଇଯାଏ। ମହାତ୍ମାମାନଙ୍କର ଅନୁଭବ ଓ ଅନୁଧ୍ୟାନ ସର୍ବତ୍ର ସମାନ; ସେଥିପାଇଁ ନିଗମାନନ୍ଦଙ୍କ ଉପଦେଶାବଳୀରେ ଯେଉଁ ସତ୍ୟ ଉଦ୍‌ଭାସିତ ତାହାର କାବ୍ୟିକ ପ୍ରକାଶ ଘଟିଛି ଗଙ୍ଗାଧରଙ୍କ ମାଧ୍ୟମରେ। ଭାରତୀୟ ଜୀବନ ଧାରାର ଆଦର୍ଶ ଓ ସଂସ୍କୃତି ରୂପାୟନରେ ଗଙ୍ଗାଧର ଏକ ସିଦ୍ଧ ସାଧକ। ଏହି ଉଭୟ ମହାପୁରୁଷଙ୍କ ରଚନାର ଛତ୍ରେ ଛତ୍ରେ ମଣିଷ ପାଇଁ ପ୍ରେରଣାଦୀପ୍ତ ହେବାଲାଗି ଯେଉଁ ଉପଲବ୍ଧି ପ୍ରକଟିତ ତାହାକୁ ଯେକୌଣସି ପାଠକ ଯଦି ଧ୍ୟାନ ପୂର୍ବକ ପାଠକରେ ତେବେ ନିଶ୍ଚୟ ଅନ୍ତର ଭିତରେ ଏକ ମହାନ ପରିବର୍ତ୍ତନ ସଂଘଟିତ ହୋଇଯିବ। ଗଙ୍ଗାଧର ନିଜେ ‌ଥିଲେ ସାଧୁ ଆତ୍ମାର ଅଧିକାରୀ। ଏହି ସାଧୁତା ନିଗମାନ୍ଦଙ୍କ ଆତ୍ମାର ପରିଶୁଦ୍ଧତା ସହିତ ସମାନ। ସ୍ବରଚିତ ‘ଭକ୍ତି’ କବିତାରେ ଗଙ୍ଗାଧର ଯେପରି ଭଗବାନଙ୍କ ପାଖରେ ନିଜକୁ ସମର୍ପିତ କରିବାର ଅମୃତବାଣୀ ଉଚ୍ଚାରଣ କରିଛନ୍ତି ସେହିପରି ନିଗମାନନ୍ଦ ମଧ୍ୟ ଭଗବାନଙ୍କ ପାଖରେ ସମର୍ପଣ ପାଇଁ ଦେଇଛନ୍ତି ଅଭ୍ରାନ୍ତ ପ୍ରେରଣା।

ଗଙ୍ଗାଧର ଯେଉଁ ଉଚ୍ଚକୋଟୀର ଶୈଳୀରେ ଜୀବନ ନିର୍ବାହ କରୁଥିଲେ ତା’ ସହିତ ମଧ୍ୟ ନିଗମାନନ୍ଦଙ୍କ ଜୀବନ ଶୈଳୀର ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇ ପାରିବ। ଗଙ୍ଗାଧର ଯେ ନିଜେ କେବଳ ଏକ ଉତ୍ତେଜନା-ରହିତ ଜୀବନଯାପନ କରୁଥିଲେ ସେତିକି ନୁହେଁ, ସେ ମଧ୍ୟ ଅନ୍ୟମାନଙ୍କୁ ଉତ୍ତେଜନାପୂର୍ଣ୍ଣ ବାତାବରଣରେ ଶାନ୍ତ ରହିବା ପାଇଁ ପ୍ରଦାନ କରୁଥିଲେ ସୁପଦେଶ। ନିଗମାନନ୍ଦ ଉତ୍ତେଜିତ ହେବା କିପରି କ୍ଷତିକାରକ ତାହା ବୁଝାଇଦେଇ କହିଛନ୍ତି ଯେ, ‘ଦ୍ବନ୍ଦ୍ବ କୋଳାହଳ କରି ସମୟ ନଷ୍ଟ କର ନାହିଁ। ତାହା ଅପେକ୍ଷା ନିଜ ନିଜର ଅନୁକୂଳ କ୍ଷେତ୍ର ନିର୍ବାଚନ କରିନେବା ଭଲ।’

ନିଜ ଜନ୍ମସ୍ଥାନ ବରପାଲିରେ ଜୀବନର ଅନ୍ତିମ ପର୍ଯ୍ୟାୟ ଅତିବାହିତ କରୁଥିବା ବେଳେ ଗଙ୍ଗାଧରଙ୍କୁ ଅନେକ ଅଶାନ୍ତିମୟ ପରିବେଶର ସମ୍ମୁଖୀନ ହେବାକୁ ପଡ଼ିଥିଲୋ। ଯେଉଁ ସାଧାରଣ ଲୋକ ରାଜ-ଆକ୍ରୋଶର ଶିକାର ହେଉଥିଲେ ସେମାନେ ସାମାଜିକ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ଗଙ୍ଗାଧରଙ୍କ ସୁପରାମର୍ଶ ଆଶା କରୁଥିଲେ। ସେଭଳି ସଂକଟଜନକ ପରିସ୍ଥିତିରେ ନିଜେ ଅସୀମ ଧୈର୍ଯ୍ୟ ଧାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ‌ବନ୍ଧୁମାନଙ୍କ ପ୍ରତି ସେ କୌଣସି କୁଭାଷା ଉଚ୍ଚାରଣ ନକରିବା ପାଇଁ ଓ ଶାନ୍ତ ଚିତ୍ତରେ ଧୈର୍ଯ୍ୟ ଧାରଣ କରି ସହିଷ୍ଣୁ ହେବା ପାଇଁ ସୁପଦେଶ ପ୍ରଦାନ କରିଛନ୍ତି। ଗଙ୍ଗାଧର କେବଳ ଜଣେ କବି ନଥିଲେ, ସେଥିଲେ ଆଧ୍ୟାତ୍ମିକ ଜଗତର ଜଣେ ନିଷ୍ଠାପର ସାଧକ। ନିଜର ଆଧ୍ୟାତ୍ମିକ ସାଧନା ସଂପର୍କରେ କାହାକୁ ଜଣାଇବା ତାଙ୍କର ଲକ୍ଷ୍ୟ ନଥି‌ଲା। ସେହିପରି ସେ ଆଧ୍ୟାତ୍ମିକ ଗୁରୁ ହେବାର ବାସନା ପୋଷଣ କରିନଥିଲେ। ତେବେ ତାଙ୍କ ରଚିତ କାବ୍ୟ କବିତାରେ ଓ ତାଙ୍କର ଜୀବନ ନିର୍ବାହର ପରିମାର୍ଜିତ ଶୈଳୀରେ ଯେଉଁ ସୁବାସିତ ପୁଷ୍ପର ପ୍ରସ୍ଫୁଟନ ସମ୍ଭବ ହୋଇଛି ତାହା ଲକ୍ଷ୍ୟକଲେ ଜଣା ପଡ଼ିବ ଯେ ସେ ଥିଲେ କିପରି ଉଚ୍ଚତର ଚେତନାର ଜଣେ ମହାନ ସାଧକ।

ଗଙ୍ଗାଧର ମନୁଷ୍ୟ ଜୀବନକୁ ଈଶ୍ବରଙ୍କ ଆଶୀର୍ବାଦ ବୋଲି ମନେକରୁଥିଲେ। ତାଙ୍କର ଏପ୍ରକାର ଅନୁଭୂତି ବିଭିନ୍ନ କବିତାରେ ପରିପ୍ରକାଶିତ। ତାଙ୍କର କବିତା ସୃଷ୍ଟି ଅନ୍ତରାଳରେ ରହିଥିଲା ଯେଉଁ ଦୁର୍ଲଭ ପ୍ରେରଣା ଓ ସାଧନା ତାହା ଧ୍ୟାନନିବିଷ୍ଟ ଚିତ୍ତରେ ଅନୁଧ୍ୟାନ କଲେ ତାଙ୍କର ଭାବମୟ ମୂର୍ତ୍ତି ସ୍ବତଃ ଉଦ୍‌ଭାସିତ ହୋଇଉଠେ। ପୁନଶ୍ଚ ଯେଉଁମାନେ ଦୁଃଖ, କଷ୍ଟରେ ସର୍ବଦା ମର୍ମାହତ ‌ସେମାନଙ୍କ ପାଇଁ ସେ ପ୍ରଦାନ କରିଛନ୍ତି ପରମ ଆନନ୍ଦର ପବିତ୍ର ମାର୍ଗ। ମଧୁମୟ କବିତାରେ ମଣିଷର ମରଣ ଭୟକୁ ଅତିକ୍ରମ କରିବା ପାଇଁ ସେ ଯେଉଁ ସନ୍ଦେଶ ପ୍ରଦାନ କରିଛନ୍ତି ତାହା ଜଣେ ବାସ୍ତବରେ ହୃଦୟଙ୍ଗମ କଲେ ସମସ୍ତ ପ୍ରକାରର ଭୟରୁ ଓ ଦୁଃଖ ଦୁର୍ଦ୍ଦଶାରୁ ଉତ୍ତୀର୍ଣ୍ଣ ହୋଇଯାଇପାରିବ। ସ୍ବାମୀ ନିଗମାନନ୍ଦ ଯେପରି ଅଭାବ ଅଶାନ୍ତି ପରିପୂର୍ଣ୍ଣ ଏ ସଂସାରରେ ଭଗବାନ ହିଁ ଯେ ପ୍ରକୃତ ସୁଖ ସେକଥା ଅନୁଭବ କରିଥିଲେ ଦୁଃଖ ମଣିଷର ଜୀବନକୁ ପୂତ ଓ ପବିତ୍ର କରିଦେଇପାରେ-ଏ ବିଶ୍ବାସ ତାଙ୍କ ଭିତରେ ଥିଲା ସୁଦୃଢ଼। ଗଙ୍ଗାଧରଙ୍କ କ୍ଷେତ୍ରରେ ମଧ୍ୟ ତାହାହିଁ ଏକାନ୍ତ ଲକ୍ଷଣୀୟ। ତପସ୍ବିନୀ ମହାକାବ୍ୟରେ ସତୀ ସୀତା ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଶ୍ରୀ ରାମଙ୍କ ଠା‌ରୁ ବିଚ୍ଛିନ୍ନ ହୋଇ ଯେପରି ତପସ୍ୟାମଗ୍ନ ଜୀବନ ଅତିବାହିତ କରିଛନ୍ତି ସେଇଥିରୁ ହିଁ ପ୍ରତିପାଦିତ ହୋଇଯାଏ ଯେ ଅନ୍ତଃସ୍ଥଳର ପ୍ରଶାନ୍ତି, ସ୍ଥିରତା ବଜାୟ ରଖି ନିଜ ଜୀବନର ଆଭିମୁଖ୍ୟ ସଂପର୍କରେ ସୀତା ଥିଲେକେତେ ସଚେତନ। ଏଭଳି ଏକ ଏକ ମହାନ୍‌ ଚରିତ୍ରକୁ ନେଇ ଗଙ୍ଗାଧର ଯେଉଁ କାବ୍ୟ ବା ମହାକାବ୍ୟ ରଚନା କରିଛନ୍ତି ସେଥିରେ ଭରି ରହିଛି ଶାନ୍ତି-ସରଣୀର ‌ଆଲୋକଦୀପ୍ତ ପଥର ନିର୍ଦ୍ଦେଶ।

ନିଗମାନନ୍ଦଙ୍କର ଉପଦେଶ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇ ରହିଛି ପୁସ୍ତକରେ। ସେ ଦୃଷ୍ଟିରୁ ଗଙ୍ଗଧର ସାହିତ୍ୟରେ ଥିବା ଆଧ୍ୟାତ୍ମିକ ଭାବର ସୁବିସ୍ତୃତ ଆଲୋଚନା ଯେପରି ହେବା ଆବଶ୍ୟକ ତାହା ଏ ପର୍ଯ୍ୟନ୍ତ ଆଶାନୁରୂପରେ ହୋଇପାରି ନାହିଁ। ତାଙ୍କୁ ଜଣେ ଉଚ୍ଚକୋଟୀର କବି ପ୍ରତିଭାର ମାନ୍ୟତା ଦେଇଥିଲେ ସେତିକିରେ ଶେଷ ହୋଇଯାଏ ନାହିଁ ଆମର କର୍ତ୍ତବ୍ୟ। ତାଙ୍କ ଅନ୍ତରାତ୍ମା ମଧ୍ୟରେ ଯେଉଁ ଆଧ୍ୟାତ୍ମିକ ଅନୁବଭର ପ୍ରଦୀପ ପ୍ରଜ୍ବଳିତ ହେଉଥିଲା ତାହାର ଆଲୋକକୁ ଯଥାର୍ଥ ଭାବରେ ଆବିଷ୍କାର କରିପାରିବା ହେଉଛି ଆଜିର ସବୁଠୁ ବଡ଼ ଆହ୍ବାନ। ସେଥିଲେ ଅସହାୟ ମଣିଷର ମୁକ୍ତିବାର୍ତ୍ତା। ଥିଲେ ମଧ୍ୟ ଅଶାନ୍ତ ମନର ନିରାପଦ ଆଶ୍ରୟ ଯେଉଁମାନେ ଗଙ୍ଗାଧର ଗ୍ରନ୍ଥାବଳୀ ପାଠ କରିଛନ୍ତି ଏକାନ୍ତ ନିଷ୍ଠାର ସହିତ ସେମାନେ ମ‌ର୍ମେ ମର୍ମେ ଅନୁଭବ କରିଛନ୍ତି ଯେ, ଗଙ୍ଗାଧର ଥିଲେ ଉଚ୍ଚତମ ଶ୍ରେଣୀର ଜଣେ ଆଧ୍ୟାତ୍ମିକ ଚେତନା ସମ୍ପନ୍ନ।

ସ୍ବାମୀ ନିଗମାନନ୍ଦ ସ୍ପଷ୍ଟ ଭାବରେ କହିଦେଇଛନ୍ତି ଯେ, ଆତ୍ମାସ୍ବାର୍ଥ ସାଧନ ନିମିତ୍ତ ଜପ, ତପ ଓ ପୂଜା ସଂପୂର୍ଣ୍ଣ ନିରର୍ଥକ। ଗଙ୍ଗାଧର ତାଙ୍କ କବିତାବଳୀରେ ମଧ୍ୟ ଏହି ବିରାଟ ସତ୍ୟ ଅଭିବ୍ୟକ୍ତ କରିଛନ୍ତି କାବ୍ୟିକ ରୀତିରେ। ସେ ଭଗବାନଙ୍କର ନାମ ଜପ କରିବା ଯେ ଅସମ୍ଭବ ବ୍ୟାପାର ଏକଥା ମଧ୍ୟ ‘ଭକ୍ତି’ କବିତାରେ ସୂଚାନ ଦେଇଛନ୍ତି। କୋଟି କୋଟି ଗ୍ରହ କଣ୍ଠି ସେ ମାଳାର କେ ଜପି କରିବ ସାଧ୍ୟ ବୋଲି ଯେଉଁ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି ବାସ୍ତବିକ୍‌ ତାହାର ଉତ୍ତର ଦେବା ସମ୍ଭବ ହୋଇନାହିଁ। ନିଗମାନନ୍ଦଙ୍କର ଈଶ୍ବରାନୁଭୂତି ଯେପରି ଥିଲା ଗଭୀରତର ସେହିପରି ଗଙ୍ଗାଧରଙ୍କ ଭଗବତ୍‌ ଉପଲବ୍ଧି ମଧ୍ୟ ଥିଲା ଅତ୍ୟନ୍ତ ବିଶାଳ ବ୍ୟାପକ।

ଏହି ଦୁଇ ମହାନ୍‌ ସାଧକ ଗୋଟିଏ ତିଥିରେ ଜନ୍ମ ନେବା ଏକ ଅର୍ଥହୀନ ସଂଯୋଗ ମାତ୍ର ନୁହେଁ। ଶ୍ରାବଣ ପୂର୍ଣ୍ଣିମା ତିଥିରେ ଯେଉଁ ନିଗମାନନ୍ଦଙ୍କର ଆବିର୍ଭାବ ହୋଇଥିଲା ଠିକ୍‌ ସେହି ତିଥିରେ ଅନେକ କାଳପରେ ଗଙ୍ଗାଧରଙ୍କ ଆବିର୍ଭାବ। ଏହି ସୂକ୍ଷ୍ମସୂଚନା ପ୍ରଦାନ କରେ ଯେ ନିଗମାନନ୍ଦଙ୍କ ଆତ୍ମୋପଲବ୍‌ଧ ସହିତ ତାଙ୍କର ଆତ୍ମିକ ସ୍ତରର ସଂଯୋଗ ରହିଥିଲା ଅଦୃଶ୍ୟ ଭାବରେ। ସେଥିପାଇଁ ଉଭୟଙ୍କ ଚେତନାର ସ୍ବଚ୍ଛ ଆଲୋକ ଧାରା ଅଭୀପ୍‌ସୁ ପାଠକ ଅନ୍ତରକୁ ଆପ୍ଲୁତ କରିଦେବାରେ ଏକାନ୍ତ ସକ୍ଷମ। ଉଭୟଙ୍କୁ ଗୋଟିଏ ତିଥିରେ ଜନ୍ମ ଦିନର ପ୍ରଣାମ ନିବେଦନ କରିବା ଦ୍ବାରା ଉଭୟଙ୍କ ଅମର ଆତ୍ମାର ବାଣୀ ପାଠକ ହୃଦୟରେ ଝଙ୍କୃତ ହୋଇଉଠେ ମାର୍ମିକ ସ୍ବର-ସଂଯୋଗରେ ପ୍ରତ୍ୟେକ ଚେତନାଦୀପ୍ତ ପାଠକ ଏକଥା ନିବିଡ଼ ଭାବରେ ଉପଲବ୍ଧି କରିପାରେ ଯେ ଏହି ଉଭୟ ମହାପୁରୁଷ ସମଗ୍ର ଭାରତମାଟିକୁ କରିଛନ୍ତି କେତେ ପବିତ୍ର ଓ ପ୍ରେରଣାଗର୍ଭିତ।

ବିଭାଗ ମୁଖ୍ୟ
ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ
(ଓଡ଼ିଆ, ଇରାଜୀ ଓ ଉର୍ଦ୍ଦୁ)
ଫକୀରମୋହନ ବିଶ୍ବବିଦ୍ୟାଳୟ, ବ୍ୟାସବିହାର
ବାଲେଶ୍ବର, ୭୫୬୦୮୯

ସମ୍ବନ୍ଧିତ ଖବର