କୋଣାର୍କ ସମ୍ମିଳନୀ, କିଛି ସଠିକ ତଥ୍ୟ

ଅମିୟ ଭୂଷଣ ତ୍ରିପାଠୀ

ଫେବ୍ରୁଆରି ୨୮ ଓ ୨୯ରେ କୋଣାର୍କରେ ଜଗମୋହନ ସ˚ରକ୍ଷଣ ଉପରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ଜାତୀୟ ସମ୍ମିଳନୀ ସ˚ପର୍କରେ ବିଭିନ୍ନ ସମ୍ବାଦ ପ୍ରକାଶିତ ହୋଇଛି। ଏ ବିଷୟରେ ଆଲୋଚିତ ବିଷୟବସ୍ତୁ ଓ ତା’ ଉପରେ ବାହାରିଥିବା ନିଷ୍କର୍ଷମାନଙ୍କ ଉପରେ ମୁଁ ନିମ୍ନରେ ସୂଚାଇ ଦେଉଛି। ଏ.ଏସ.ଆଇ ଠାରୁ ସମ୍ମିଳନୀର ସବିଶେଷ ବିବରଣୀ ପାଇଲା ପରେ ତାଳମେଳ ରହୁଛି କି ନାହିଁ ଜଣାପଡ଼ିବ। ପାଠକମାନେ ଜାଣିବା ଉଚିତ ଯେ ଏହା ଆଗରୁ ୨୦୧୦ ମସିହାରେ କୋଣାର୍କରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ହୋଇଥିଲା, ଯେଉଁଥିରେ ଦେଶ ବାହାରୁ କିଛି ବିଖ୍ୟାତ ବିଶେଷଜ୍ଞ ଆସିଥିଲେ। ଏ ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା (୧) ଜଗମୋହନରୁ ବାଲୁକା ଅପସାରଣ, (୨) ଖୋଦିତ ପ୍ରସ୍ତର ସ୍ଥାନରେ ସମତଳ ପ୍ରସ୍ତର ଯୋଡ଼ିବାର ଯଥାର୍ଥତା, (୩) ଜଳ ନିଷ୍କାସନ ଓ (୪) ମନ୍ଦିର ପରିସର ଓ ଆଖପାଖରେ ପଡ଼ିଥିବା ପ୍ରସ୍ତରମାନଙ୍କ ପଞ୍ଜୀକରଣ। ଗତ ୨ ଦିନିଆ ସମ୍ମିଳନୀରେ ପ୍ରଥମ ଦିନ କେବଳ ଭାଷଣରେ କଟିଗଲା, ସ˚ରକ୍ଷଣ ଉପରେ ପ୍ରାୟ ଆଲୋଚନା ହୋଇପାରିଲା ନାହିଁ। ଯେତେବେଳେ ଏ.ଏସ.ଆଇର ବିଜ୍ଞାନ ଶାଖାର ନିର୍ଦ୍ଦେଶକ ପ୍ରସ୍ତରମାନଙ୍କ ସ˚ରକ୍ଷଣ ଉପରେ ତାଙ୍କ ବକ୍ତବ୍ୟ ଉପସ୍ଥାପନ କଲେ, ତାଙ୍କୁ ପ୍ରଶ୍ନ କରାଗଲା ଯେ ମନ୍ଦିରରେ ବ୍ୟବହୃତ ଖଣ୍ତୋ ଲାଇଟ ପ୍ରସ୍ତରର ସ˚ରକ୍ଷଣ ଉପରେ କିଛି ସ୍ବତନ୍ତ୍ର ଗବେଷଣା କରାଯାଇଛି କି? ସେ ‘ହଁ’ ବୋଲି କହିଲେ, କିନ୍ତୁ ତା ଉପରେ ପ୍ରଶ୍ନବାଚୀ ଉଠିଲା ବା ସନ୍ଦେହ ମୋଚନ ହୋଇ ପାରିଲା ନାହିଁ।

ଦ୍ବିତୀୟ ଦିନ ଜଗମୋହନର ସ˚ରକ୍ଷଣ ଉପରେ ତର୍କ, ବିତର୍କ ସହ ଘମାଘୋଟ ଆଲୋଚନା ଚାଲିଲା। ସୁଖର କଥା ଯେ କେନ୍ଦ୍ର ସ˚ସ୍କୃତି ମନ୍ତ୍ରୀ ପ୍ରହଲାଦ ସି˚ହ ଆଲୋଚନା ବେଳେ ଉପସ୍ଥିତ ଥିଲେ ଓ ତହିଁରେ ଉତ୍ସାହଜନକ ଭାବେ ଅ˚ଶ ଗ୍ରହଣ କରୁଥିଲେ, ଯାହା ୨୦୧୯ ମସିହା ମେ ମାସରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଆଲୋଚନାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କ ଆଚରଣର ସମ୍ପୂର୍ଣ୍ଣ ବିପରୀତ ଥିଲା। ଏହି ଆଲୋଚନାରେ ଏହି ଲେଖକ ଛଡ଼ା ଗୋପାଳ ମିତ୍ର, ଅନିଲ ଦେ, ବିଜୟ ରଥ, ସଞ୍ଜୟ ଆଚାର୍ଯ୍ୟ, ଓଡ଼ିଶା ହାଇକୋର୍ଟଙ୍କ ଆମିକ୍‌ସ କ୍ୟୁରୀ ଏନ୍‌.କେ. ମହାନ୍ତି, ଏନ୍‌.ସି. ପାଲ ଓ ଏ.ଏସ.ଆଇ.ର ଅବସରପ୍ରାପ୍ତ ଅଧୀକ୍ଷକ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏ.ଏସ.ଆଇ.ର ଯୁଗ୍ମ ମହାନିର୍ଦ୍ଦେଶକ ଜିନଵାଜ ଶର୍ମା ତାଙ୍କ ଉପସ୍ଥାପନାରେ ୨୦୧୦ ପରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଉପରେ ରେଖାପାତ କଲେ। ଏଥିରୁ ଜଣାପଡ଼ିଲା ବହୁଚର୍ଚ୍ଚିତ ଓ ବିତର୍କିତ ସମତଳ ଓ ଖୋଦିତ ପ୍ରସ୍ତର ପ୍ରସଙ୍ଗରେ ନିଷ୍ପତ୍ତି ହୋଇଛି ଯେ ସମତଳ ପ୍ରସ୍ତର ସ୍ଥାନରେ ଖୋଦିତ ପ୍ରସ୍ତର ଯୋଡ଼ାଇ ହେବ। ଆଲୋଚନାରୁ ଜଣାପଡ଼ିଲା, ଭବିଷ୍ୟତରେ ଖୋଦିତ ପ୍ରସ୍ତରମାନଙ୍କ ସ୍ଥାନରେ ଖୋଦିତ ପ୍ରସ୍ତର ସ୍ଥାନିତ ହେବ। ଏହା କାର୍ଯ୍ୟକାରୀ ହେଲେ, ନିଶ୍ଚିତ ରୂପେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁଖବର ଓ କୋଣାର୍କ ପାଇଁ ଦୀର୍ଘ ସ˚ଗ୍ରାମର ଗୋଟିଏ ଦିଗର ସଫଳ ସମାଧାନ ହେଲା ବୋଲି ଜଣାପଡ଼ିବ। ଆଶା କରାଯାଏ, ଏ.ଏସ.ଆଇ. ତୁରନ୍ତ ପଦକ୍ଷେପ ନେବେ।

ଦ୍ବିତୀୟ ଓ ଅତି ସମ୍ବେଦନଶୀଳ ପ୍ରସଙ୍ଗ ହେଲା ଜଗମୋହନରୁ ବାଲୁକା ଅପସାରଣ। ଏହା ଉପରେ ଅନୁଧୢାନ କରି ରିପୋର୍ଟ ଦେବାକୁ ଏ.ଏସ୍‌.ଆଇ. ଯେଉଁ ସ˚ସ୍ଥାକୁ ଦାୟିତ୍ବ ଦେଇଥିଲେ, ତାହା ହେଲା, ସେଣ୍ଟ୍ରାଲ ବିଲ୍‌ଡି˚ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ସି.ବି.ଆର.ଆଇ)। ୨୦୧୨ରୁ ଏ ଅନୁଧୢାନ ଆରମ୍ଭ ହୋଇ ୨୦୧୮ ପର୍ଯ୍ୟନ୍ତ ଚାଲିଥିଲା ଓ ଜଣାପଡ଼ିଥିଲା ଯେ ଏ.ଏସ.ଆଇ. ଏହାକୁ ଗୋପନୀୟ ରଖୁଥିଲା। ଏହି ଲେଖକ ପଠାଇଥିବା ଦୁଇଟି ତଥ୍ୟ ସ˚ଗ୍ରହକାରୀ ଆବେଦନ ଉପରେ କିଛି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ୨୦୧୯ ମେ ମାସରେ ହୋଇଥିବା ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ‘ସି.ବି.ଆର.ଆଇ’ର ଏକ ଦଳ ସହ ପହଞ୍ଚିଗଲେ। ଦଳର ମୁଖ୍ୟ ତାଙ୍କ ଉପସ୍ଥାପନାରେ କହିଲେ ଯେ ଜଗମୋହନ ସୁଦୃଢ଼ ଅଛି, ଏହା କିଛି ନୂଆ ନ ଥିଲା। ମନ୍ତ୍ରୀ ଅନୁରୂପ ଘୋଷଣା କଲେ। ତା’ ପରେ ଖବରକାଗଜରେ ବାହାରିଲା, ‘ସି.ବି.ଆର.ଆଇ’ କହିଛି, ଜଗମୋହନ କଳସରୁ ୧୬ ଫୁଟ ତଳ ଯାଏ ଦବି ଯାଉଥିବା ବାଲୁକାକୁ ପୁଣି ବାଲୁକାରେ ଭର୍ତ୍ତି କରାଯାଉ। ଆମେ ଆଶ୍ଚର୍ଯ୍ୟ ହେଲୁ। ତା’ପରେ ଏ.ଏସ.ଆଇ. ହାଇକୋର୍ଟରେ ଏକ ପି.ଆଇ.ଏଲ. ଉପରେ ଆଫିଡେଭିଟ୍‌ କରି ଏହା କହିଲେ। ୨୯ ତାରିଖରେ ‘ସି.ବି.ଆର.ଆଇ’ ତାଙ୍କ ଉପସ୍ଥାପନାରେ ସେ କଥା ଦୋହରାଇଥିଲେ ସିନା, ତହିଁରେ ଆମ୍ଭମାନଙ୍କ ବିଭିନ୍ନ ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ନ ଥିଲା। ଏକ ପ୍ରଶ୍ନ ଥିଲା, ଯେତେବେଳେ ୧୯୯୭ ଓ ୨୦୧୦ରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ସମ୍ମିଳନୀରେ ବିଶେଷଜ୍ଞମାନେ (ସେମାନଙ୍କ ମଧୢରେ ଇଟାଲୀର ଗିଓରଗିଓ କ୍ରୋସି ଥିଲେ), ବାଲୁକା ଅପସାରଣ ସପକ୍ଷରେ ମତ ଦେଇଥିଲେ। ୨୦୨୦ ସମ୍ମିଳନୀରେ କାହିଁକି ସେମାନଙ୍କୁ ଆମନ୍ତ୍ରଣ କରାଗଲା ନାହିଁ। ଏହାର ଉତ୍ତର ନ ଥିଲା। ମନ୍ଦିରର ସ˚ରକ୍ଷଣ କ’ଣ କେବଳ ବାହାରୁ କରାଯାଇପାରିବ? ଏହା ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଆଭିମୁଖ୍ୟ ଅତି ସକାରାତ୍ମକ ଥିଲା। ସେ କହିଲେ ଜଗମୋହନ ଆଗରୁ ଯେପରି ଥିଲା, ଅର୍ଥାତ୍‌ ବାଲୁକା ବିହୀନ, ସେପରି ସ˚ରକ୍ଷଣ ହେବା ଉଚିତ। କିନ୍ତୁ ବିଶେଷଜ୍ଞଙ୍କ ମତକୁ ଉପେକ୍ଷା କରି ହେବ ନାହିଁ। ସୁତରା˚ ଆମେ ପ୍ରସ୍ତାବ ଦେଲୁ ଯେ ୟୁନେସ୍କୋର ସହାୟତା ନେଇ ଆଉ ଏକ ଟିମ୍‌ ଅଣାଯାଉ, ଯେଉଁଥିରେ ଗିଓରଗିଓ କ୍ରୋସି ରହିବେ। ସେମାନଙ୍କ ସଙ୍ଗେ ଆଲୋଚନା ପରେ ଏ ପ୍ରସଙ୍ଗରେ ଶେଷ ସିଦ୍ଧାନ୍ତ ନିଆଯାଉ। ମନ୍ତ୍ରୀ ମହୋଦୟ ରାଜି ହେଲେ। ସୁତରା˚ ଏ ପ୍ରସଙ୍ଗ ଏକ ନିର୍ଣ୍ଣାୟକ ରୂପ ନେବ, ଯେତେବେଳେ ଓ ଯେତେଶୀଘ୍ର ଏ.ଏସ.ଆଇ. ଏ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ। ସମୟ ଅଭାବରୁ ଜଳ ନିଷ୍କାସନ ଓ ପ୍ରସ୍ତରମାନଙ୍କ ପଞ୍ଜୀକରଣ ଉପରେ ଆଲୋଚନା ହୋଇ ପାରିଲା ନାହିଁ। ବର୍ତ୍ତମାନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଏ.ଏସ.ଆଇ. ଏ ସମ୍ମିଳନୀରେ ଉପରିଲିଖିତ ଆଲୋଚିତ ବିଷୟବସ୍ତୁମାନଙ୍କୁ କିପରି ଭାବେ ଦେଖୁଛି ଓ ତା’ପରେ କେତେ ଆନ୍ତରିକତାର ସହିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁଛି। ନଚେତ୍‌ ଦଶକ ପରେ ଦଶକ କେବଳ ଅତିବାହିତ ହେଉଥିବ, କିଛି ଲାଭ ମିଳୁ ନ ଥିବ। ରାଜ୍ୟ ସରକାର ମଧୢ ଏ ଦିଗରେ ସଜାଗ ରହିବା ଉଚିତ।
୯୮-ଏ,ସୂର୍ଯ୍ୟନଗର
[email protected]

ସମ୍ବନ୍ଧିତ ଖବର