ଜୀବନଯୁଦ୍ଧରେ ହାରିଗଲେ ଅଭିଷେକ

ବଞ୍ଚାଇ ପାରିଲାନି ଏକ୍‌ମୋ ଚିକିତ୍ସା

ବିବାହର ୮ ଦିନ ପରେ ହୋଇଥିଲେ କରୋନା ଆକ୍ରାନ୍ତ
ଜୁନ୍‌ ୮ରେ ଏୟାର ଲିଫ୍‌ଟ ହୋଇଥିଲେ କୋଲକାତା

ବାସୁଦେବପୁର/ଭୁବନେଶ୍ବର : କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ଦୀର୍ଘ ତିନି ମାସ ହେଲା ସଂଘର୍ଷ କରୁଥିବା ଭଦ୍ରକ ଜିଲ୍ଲା ବାସୁଦେବପୁରର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର (୨୮) ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ପ୍ରାୟ ୩ ମାସରୁ ଅଧିକ ସମୟ ଧରି ଚିକିତ୍ସାଧୀନ ଥିବା ଅଭିଷେକଙ୍କର ଶୁକ୍ରବାର ରାତି ୧୦ଟା ୪୫ରେ କୋଲକାତାର ଏକ ଘରୋଇ ଚିକିତ୍ସାଳୟରେ ଦେହାନ୍ତ ଘଟିଛି। ପରିବାରର ଏକମାତ୍ର ସନ୍ତାନ ତଥା ରୋଜଗାରିଆ ପୁଅର ଜୀବନଦୀପ ଯେ ଏତେ ଶୀଘ୍ର ଲିଭିଗଲା, ଏ କଥାକୁ ବିଶ୍ବାସ କରିପାରୁନାହାନ୍ତି ବାପାମା’। ସେପଟେ ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ନବବିବାହିତା ପତ୍ନୀ ମୌସୁମୀଙ୍କ ଆଖିରୁ ଲୁହ ଶୁଖୁନି। ପୂରା ପରିବାର ଏବେ ଦ‌ାରୁଣ ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ ଏହି ଦୁଃଖଦ ଖବର ସମଗ୍ର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।

ଯଦୁନାଥ ମହାପାତ୍ର (୬୦) ଓ ସସ୍ମିତା ମହାପାତ୍ର (୫୫)ଙ୍କ ଏକମାତ୍ର ପୁଅ ଅଭିଷେକ ମଧ୍ୟପ୍ରାଚ୍ୟ ଓମାନ୍‌ରେ ଏକ ବହୁରାଷ୍ଟ୍ରୀୟ କଂପାନିରେ ଇଞ୍ଜିନିୟର ଥିଲେ। କରୋନା ଦ୍ବିତୀୟ ଲହର ସମୟରେ ତାଙ୍କର ବିବାହ ସ୍ଥିର ହେବାରୁ ଗତ ଏପ୍ରିଲ ମାସରେ ନିଜ ଘର ବାସୁଦେବପୁରସ୍ଥିତ ମନ୍ଦାରିକୁ ଫେରିଥିଲେ। ମେ ୫ ତାରିଖରେ ବାସୁଦେବପୁରର ଚିତ୍ତରଞ୍ଜନ ମହାନ୍ତିଙ୍କ ଝିଅ ମୌସୁମୀ ମହାନ୍ତିଙ୍କ ସହ ତାଙ୍କର ବିବାହ ହୋଇଥିଲା। ଚିତ୍ତରଞ୍ଜନଙ୍କ ନିଜ ଘର ବାସୁଦେବପୁର ମନ୍ଦାରିରେ ହୋଇଥିଲେ ମଧ୍ୟ ସେ ଦେବଗଡ଼ରେ ଚାକିରି କରୁଥିବାରୁ ପରିବାର ସହ ସେଠାରେ ରହୁଥିଲେ।

ମାତ୍ର ବିବାହର ୮ ଦିନ ପରେ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା। ଅଭିଷେକ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରାୟ ୨୨ ଦିନ ଧରି ଚିକିତ୍ସିତ ହେବା ପରେ ମଧ୍ୟ ସେ ସୁସ୍ଥ ହୋଇ ନଥିଲେ। ବରଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ଅଭିଷେକଙ୍କୁ ବଞ୍ଚାଇବା ଲାଗି ଏକ୍‌ମୋ ଚିକିତ୍ସା ଲାଗି ଡାକ୍ତରମାନେ ପରାମର୍ଶ ଦେଇଥିଲେ। ତେବେ ବ୍ୟୟବହୁଳ ଏକ୍‌ମୋ ଚିକିତ୍ସା କଥା ଶୁଣି ପରିବାର ଲୋକଙ୍କ ପାଦତଳୁ ମାଟି ଖସିଯାଇଥିଲା। ଏମିତି ଏକ ସମୟରେ ନବବିବାହିତା ପତ୍ନୀ ମୌସୁମୀ ଅସୀମ ସାହସ ଓ ଦମ୍ଭ ଦେଖାଇଥିଲେ। ସ୍ବାମୀ ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରୁଥିବା ମୌସୁମୀ ନିଜର ଶଙ୍ଖା ସିନ୍ଦୂର ବଞ୍ଚାଇବା ପାଇଁ ସୋସାଲ ମିଡିଆରେ ସହାୟତାର ହାତ ପତାଇଥିଲେ।

କୋହଭରା କଣ୍ଠରେ ସେ ଓଡ଼ିଶାରେ ସାଢ଼େ ଚାରି କୋଟି ଜନତାଙ୍କୁ ଟଙ୍କାଏ ଲେଖାଏଁ ଦେଲେ ତାଙ୍କ ସ୍ବାମୀ ବଞ୍ଚିଯିବେ ବୋଲି ଆକୁଳ ନିବେଦନ କରିଥିଲେ। ମୌସୁମୀଙ୍କ ଏହି ହୃଦୟଥରା ନିବେଦନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶହଶହ ଲୋକଙ୍କ ସହାୟତାର ହାତ ଲମ୍ବି ଯାଇଥିଲା। କ୍ରାଉଡ୍‌ ଫଣ୍ଡିଂ ‘ମିଲାପ୍ ଆପ୍ ଜରିଆରେ ଲୋକଙ୍କ ଶୁଭାର୍ଶୀବାଦ ଅଭିଷେକଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଥିଲା। ୨୪ ଘଣ୍ଟା ମଧ୍ୟରେ ୪୦ ଲକ୍ଷ ଟଙ୍କା ଦାନସୂତ୍ରରେ ସଂଗ୍ରହ ହୋଇଥିଲା। ଏକ୍‌ମୋ ଚିକିତ୍ସା ପାଇଁ ଜୁନ୍ ୮ରେ ଅଭିଷେକଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ଏୟାର ଲିଫଟ୍‌ ମଧ୍ୟ କରାଯାଇଥିଲା। ଚିକିତ୍ସାର କିଛି ଦିନ ପରେ ତାଙ୍କଠାରେ କିଛି ମାତ୍ରାରେ ଉନ୍ନତି ମଧ୍ୟ ପରିଲକ୍ଷିତ ହୋଇଥିଲା। ତେବେ ଗତ ୧ମାସ ହେଲା ତାଙ୍କଠାରେ ସଂକ୍ରମଣ ହାର କମୁନଥିବାରୁ ସ୍ବାସ୍ଥ୍ୟରେ ପୁଣି ଅବନତି ଘଟିଥିଲା। ଶେଷରେ ଡାକ୍ତରଙ୍କ ସକଳ ଚେଷ୍ଟା ସତ୍ତ୍ବେ ଅଭିଷେକ ଇହଧାମରୁ ସବୁଦିନ ପାଇଁ ବିଦାୟ ନେଇଗଲେ।

ସମ୍ବନ୍ଧିତ ଖବର