ରାଫେଲ ଚୁକ୍ତି ଓ କାଳିଆ ଯୋଜନାକୁ ସମାଲୋଚନା କଲେ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅଭିଷେକ ମନୁ ସିଂଘଭି ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କୁ ରାଫେଲ ଚୁକ୍ତି ନେଇ କଡା ସମାଲୋଚନା କରିଥିବା ବେଳେ ରାଜ୍ୟ ସରକାରଙ୍କୁ କାଳିଆ ଯୋଜନା ଲାଗି ଆକ୍ଷେପ କରିଛନ୍ତି।

ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଫେଲ ଚୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଫେଲ୍‌ ଚୁକ୍ତିରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଘୋଟଲା ଧରା ପଡ଼ିଯିବା ଭୟରେ କେନ୍ଦ୍ର ସରକାର ଯୁଗ୍ମ ପାର୍ଲାମେଣ୍ଟାରି କମିଟି (ଜେପିସି) ଜରିଆରେ ତଦନ୍ତ ଲାଗି ଭୟ କରୁଛନ୍ତି। କେବଳ ସେତିକି ନୁହେଁ, ନ୍ୟାୟିକ ତଦନ୍ତରୁ ବଞ୍ଚିବା ଲାଗି ସୁପ୍ରିମ କୋର୍ଟଙ୍କୁ ମଧ୍ୟ ଭ୍ରମିତ କରିଛନ୍ତି।

ଏଥିସହ ସେ ଅଭିଯୋଗ କରିଛନ୍ତି କି ଚୋରି ଧରାପଡ଼ିବା ଭୟରେ ମୋଦି ସରକାର ସୁପ୍ରିମକୋର୍ଟଙ୍କୁ ମଧ୍ୟ ଭୁଲ୍‌ ତଥ୍ୟ ଦେବାକୁ ପଛାଇ ନାହାନ୍ତି। ସରକାର ଏପରି ଦୁଃସାହସ କିଭଳି କରିପାରିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସିଂଘଭିି। ଅନ୍ୟପକ୍ଷରେ ସେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌(ହାଲ) କୁ ରାଫେଲ କ୍ରୟ ଲାଗି ଅଫସେଟ୍‌ ପାର୍ଟନର ନ କରି ରିଲାଏନ୍ସକୁ କରାଗଲା, ଏହା ହିଁ ଦୁର୍ନିତିକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଷେକ ମନୁ ସିଂଘଭି ରାଜ୍ୟ ସରକାରଙ୍କ ନବ ଘୋଷିତ କାଳିଆ ଯୋଜନାକୁ ମଧ୍ୟ ସମାଲୋଚନା କରିଛନ୍ତି। ଯୋଜନାର ନାଁ କାଳିଆ ରଖି ରାଜ୍ୟ ସରକାର ଧାର୍ମିକ ଭାବନାର ରାଜନୀତିକରଣ କରିବା ଉଦ୍ୟମ କରୁଛନ୍ତି ଓ ସରକାରୀ ଯୋଜନାରେ ‘କାଳିଆ’ ନାମ ଯୋଡ଼ିବା ମହାପ୍ରଭୁଙ୍କ ଲାଗି ଅପମାନଜନକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର