ଜିତିବ ମାନବିକତା, ଜିତିବ ମୌସୁମୀଙ୍କ ସିନ୍ଦୂର; ୨୪ ଘଣ୍ଟାରେ ମିଳିଲା ୪୦ ଲକ୍ଷ

ଏୟାର୍ ଆମ୍ବୁଲାନ୍ସରେ କୋଲକାତା ଗଲେ ଅଭିଷେକ

ଭୁବନେଶ୍ବର : ‘ଓଡ଼ିଶାର ଚାରି କୋଟି ଜନତା ତାଙ୍କୁ ଟଙ୍କାଟିଏ ଲେଖାଏ ଦାନ କଲେ, ତାଙ୍କ ସିନ୍ଦୂର ବଞ୍ଚିଯିବ।’ ଜଣେ ନବବିବାହିତା ପତ୍ନୀର ଏମିତି ଆକୁଳ ନିବେଦନଟିଏ ଗତକାଲି ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଏହି ହୃଦୟଥରା ଆବେଦନ ଲୋକଙ୍କୁ ବେଶ୍ ଆନ୍ଦୋଳିତ କରିଥିଲା। ତେଣୁ ମାତ୍ର ୨୪ ଘଣ୍ଟାରେ ମିଳିଛି ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା। ମିଲାପ ଫଣ୍ଡରେଜର ଜରିଆରେ ଶହ ଶହ ଶୁଭେଚ୍ଛୁ ନବବିବାହିତା ମୌସୁମୀଙ୍କ ସିନ୍ଦୂର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର (୨୮)ଙ୍କୁ ବଞ୍ଚାଇବାକୁ ଅଜାଡ଼ି ଦେଇଛନ୍ତି ଅଜସ୍ର ଶୁଭେଚ୍ଛା ଓ ଆର୍ଥିକ ସହଯୋଗ। ଫଳରେ ବୁଧବାର ଦିନ ଅଭିଷେକଙ୍କୁ ଏୟାର୍ ଲିଫ୍‌ଟ କରି କୋଲକାତା ନିଆଯାଇଛି। ତେଣୁ ସ୍ବାମୀଙ୍କ ଜୀବନ ବଞ୍ଚାଇବାକୁ ରାଜରାସ୍ତାରେ ସଂଘର୍ଷ ଆରମ୍ଭ କରିଥିବା ମୌସୁମୀ ଆଜି ପବିତ୍ର ସାବିତ୍ରୀ ବ୍ରତର ଅବ୍ୟବହିତ ପୂର୍ବରୁ ପ୍ରଥମ ବିଜୟ ଲାଭ କରିଥିବା କୁହାଯାଉଛି।

ସମାଜରେ ତିଷ୍ଠି ରହିଥିବା ମାନବିକତା ପାଇଁ ଆଜି ଏହା ସମ୍ଭବ ହୋଇଛି ବୋଲି କୁହାଯାଉଛି। ତେଣୁ ମୌସୁମୀଙ୍କ ଏହି ସଂଗ୍ରାମରେ ମାନବିକତା ଜିତିବ ଓ ତାଙ୍କ ସିନ୍ଦୁରର ବି ବିଜୟ ହେବ ‌ବୋଲି ବହୁ ଶୁଭେଚ୍ଛୁ କହିଛନ୍ତି। ଅଭିଷେକଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇ ଏକ୍‌ମୋ ମେିସିନ୍ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। କିଛି ଦିନ ପରୀକ୍ଷଣରେ ରଖିବା ପରେ ଫୁସ୍‌ଫୁସ୍‌ ପ୍ରତିରୋପଣ କଥା ଚିନ୍ତା କରାଯାଇପାରେ ବୋଲି ଡାକ୍ତରମାନେ କହିଛନ୍ତି। ତେଣୁ ଅଧିକ ଅର୍ଥର ଆବଶ୍ୟକତା ପଡ଼ିପାରେ। ତେବେ ଗତକାଲିଠାରୁ ଅଭିଷେକଙ୍କ ସ୍ତ୍ରୀ ମୌସୁମୀ ମହାନ୍ତିଙ୍କ ଆକୁଳ ନିବେଦନ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କୁ ସହଯୋଗ କରିବା ପାଇଁ ବହୁ ଲୋକେ ଆଗେଇ ଆସିଛନ୍ତି। ମାତ୍ର ୨୪ ଘଣ୍ଟା ଭିତ‌ରେ ମିଲାପ୍‌ ଫଣ୍ଡ ରେଜର ଜରିଆରେ ୪୦ ଲକ୍ଷ ଟଙ୍କାରୁ ଅଧିକ ତାଙ୍କ ଆକାଉଣ୍ଟରେ ଜମା ହୋଇଛି। ଫଳରେ ଗତକାଲି ଏୟାର୍ ଲିଫ୍ଟ ପାଇଁ ଚିନ୍ତାରେ ପଡ଼ିଥିବା ମୌସୁମୀ ଆଜି ୨୪ ଲକ୍ଷ ଟଙ୍କା ବ୍ୟୟ କରି ଅଭିଷେକଙ୍କୁ କୋଲକାତା ନେଇପାରିଛନ୍ତି। ଆଗକୁ ଆବଶ୍ୟକ ଅର୍ଥ ମଧ୍ୟ ଏମିତି ଲୋକଙ୍କ ସହଯୋଗରୁ ମିଳିଯିବ ବୋଲି ମୌସୁମୀ ଆଶାବାଦୀ ଥିବା କହିଛନ୍ତି। ତାଙ୍କୁ ସହଯୋଗ କରିବା ପାଇଁ ମୋବାଇଲ୍‌ ନମ୍ବର ୯୫୮୩୫୯୬୮୮୬ କିମ୍ବା  ଆକାଉଣ୍ଟ ନମ୍ବର ୩୦୪୫୭୩୩୪୪୮୫, ଆଇଏଫ୍ଏସି ନମ୍ବର – SBIN 0010252 ରେ ଟଙ୍କା ପଠାଇ ପାରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଭଦ୍ରକ ବାସୁ‌ଦେବପୁର ଅଞ୍ଚଳର ମୌସୁମୀ ଓ ଅଭିଷେକ ମେ ୫ ତାରିଖରେ ବିବାହ କରିଥିଲେ। ବାହାଘରର ମାତ୍ର ୮ ଦିନ ପରେ ଅଭିଷେକ କରୋନା ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିବାରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତୁରନ୍ତ ଏକ୍‌ମୋ ଚିକିତ୍ସା ନିହାତି ଜରୁରୀ ବୋଲି ଡାକ୍ତରମାନେ କହିବା ପରେ ଆର୍ଥିକ କାରଣରୁ ପରିବାର ‌ଲୋକେ ଭାଙ୍ଗି ପଡ଼ିଥିଲେ। ମାତ୍ର ମୌସୁମୀ ଭାଙ୍ଗି ପଡ଼ିବା ବଦଳରେ ସ୍ବାମୀଙ୍କ ଜୀବନ ପାଇଁ ସାବିତ୍ରୀଙ୍କ ସଂଘର୍ଷ ପାଇଁ ଅଣ୍ଟା ଭିଡ଼ିଥିଲେ।

ସମ୍ବନ୍ଧିତ ଖବର