ଛୋଟ ତେଜରାତି ଦୋକାନୀଙ୍କ ଝିଅ ଅଭିସ୍ମିତା ତିୱାରୀ ଓଏଏସ୍‌ ହେଲେ

କେନ୍ଦୁଝର/ଆନନ୍ଦପୁର: କେନ୍ଦୁଝରର ଅଭିସ୍ମିତା ତିୱାରୀ ଓସିଏସ୍‌ ପରୀକ୍ଷାରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ସେ ପ୍ରଥମ ‌ଚେଷ୍ଟାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କେନ୍ଦୁଝର ନିଉକଲୋନିରେ ରହୁଥିବା ଅଭିସ୍ମିତା ନିର୍ମଳା କନଭେଣ୍ଟ ସ୍କୁଲ୍‌ରୁ ଦଶମ ଶ୍ରେଣୀ ପାସ୍‌ କରିଥିଲେ। ପରେ ଧରଣୀଧର ସ୍ୱଂୟଶାସିତ ମହାବିଦ୍ୟାଳୟରୁ ଯୁକ୍ତ ୨, ଭୁବନେଶ୍ୱରସ୍ଥିତ ଓୟୁଏଟିରୁ ଏଗ୍ରିକଲଚର ଆଣ୍ଡ ଫରେଷ୍ଟ୍ରି, କୋଲକାତାସ୍ଥିତ ବିସିକେୟୁରୁ ଏମ୍‌ଏସ୍‌ସି ପାସ କରିଛନ୍ତି। ଏହି ସଫଳତା ପରେ ଅଭିସ୍ମିତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ବାପା ମନୋରଂଜନ ନିଉକଲୋନିରେ ଏକ ଛୋଟ ତେଜରାତି ଦୋକାନ କରିଛନ୍ତି। ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳିବା ସହ ଦୁଇଝିଅଙ୍କ ପାଠପଢ଼ା ଖର୍ଚ୍ଚ କରିଥାନ୍ତି। ସ୍ବଳ୍ପ ରୋଜଗାରରେ ମଧ୍ୟ ମନ‌ୋରଂଜନ କେବେ ଝିଅଙ୍କ ପାଠପଢ଼ାରେ ଅବହେଳା କରିନାହାନ୍ତି। ସମସ୍ତ ଇଚ୍ଛା ଓ ଆକାଂକ୍ଷା ବାପା ପୂରଣ କରିଛନ୍ତି ବୋଲି ଅଭିସ୍ମିତା କହିଛନ୍ତି।

୩୯ ସ୍ଥାନରେ ଯାଜ୍ଞସେନୀ ପାତ୍ର
ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ଘସିପୁରା ବ୍ଲକ୍‌ ଗୋହିରା ପଞ୍ଚାୟତ ତାଳଗାଁର ଯାଜ୍ଞସେନୀ ପାତ୍ର ୩୯ତମ ସ୍ଥାନରେ ରହି ସଫଳତା ଅର୍ଜନ କରିଛନ୍ତି। ବାପା ଅମରେଶ ପାତ୍ର ବଲାଣିସ୍ଥି ସେଲ୍‌ରେ କାର୍ଯ୍ୟରତ ଅଛନ୍ତି। ଯାଜ୍ଞସେନୀ ବିଟେକ୍ ପାସ୍‌ କରି ସଫ୍ଟୱେର ଇଞ୍ଜିନିୟର ଭାବେ ସ୍ବଳ୍ପ ସମୟ ପାଇଁ କାର୍ଯ୍ୟ କରିଥିଲେ। ପରେ ଆଲେନ୍ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ୍ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ। ପରୀକ୍ଷା ପାଇଁ ସେ ଭଲଭାବେ ପ୍ରସ୍ତୁତ ହୋଇଥିଲେ। ନିଶ୍ଚିତ ସଫଳତା ଅର୍ଜନ କରିବେ ବୋଲି ଆଶା ରଖିଥିଲେ ଯାଜ୍ଞସେନୀ ପ୍ରକାଶ କରିଛନ୍ତି।

୪୦ ସ୍ଥାନରେ ରଣଜିତ ମହାନ୍ତ
ଚମ୍ପୁଆ ବ୍ଲକ୍‌ ନୟାକୃଷ୍ଣପୁର ଗ୍ରାମର ରଣଜିତ ମହାନ୍ତ ଓସିଏସ୍‌ ପରୀକ୍ଷାରେ ୪୦ତମ ସ୍ଥାନରେ ରହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ନିରଞ୍ଜନ ମହାନ୍ତ ଏବଂ କୁମୁଦିନୀ ମହାନ୍ତଙ୍କ ପୁଅ ରଣଜିତ ଭୁବନେଶ୍ୱର ସୈନିକ ସ୍କୁଲ୍‌ ଓ ପରେ ଓୟୁଏଟିରେ ପାଠ ପଢ଼ିଥିଲେ। ଏଗ୍ରିକଲଚର ଆଗ୍ରୋନମିରେ ସ୍ନାତକୋତ୍ତର କରିବା ପରେ ଗୁଜୁରାଟରେ ରହି ପିଏଚ୍‌ଡି କରୁଥିଲେ। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

୮୪ ସ୍ଥାନରେ ମନୋଜ ମହାନ୍ତ
କେନ୍ଦୁଝର ଜିଲ୍ଲା ରିମୁଳି ନିକଟସ୍ଥ ପ୍ରତାପଶି ଗ୍ରାମର ମନୋଜ କୁମାର ମହାନ୍ତ ଓସିଏସ୍‌ ପରୀକ୍ଷାରେ ୮୪ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ସେ କେନ୍ଦୁଝର ଡିଏନ୍‌ ହାଇସ୍କୁଲ୍‌ରୁ ମାଟ୍ରିକ ପାସ୍‌ କରିବା ପରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ସିଭି ରମଣ କଲେଜରୁ ଯୁକ୍ତ ତିନ ପାସ୍‌ କରିଥିଲେ। ସେ ଚତୁର୍ଥ ଥର ପରୀକ୍ଷା ଦେଇ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ବାପା ନିର୍ମଳ ମହାନ୍ତ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ବେଳେ ମା’ ଋକ୍ମିଣୀ ମହାନ୍ତ ଜଣେ ସୁଗୃହିଣୀ। ଲୋକେ କିପରି ସରକାରୀ ଯୋଜନାର ସୁଫଳ ପାଇପାରିବେ ସେ ଦିଗରେ କାମ କରିବେ ବୋଲି ମନୋଜ କହିଛନ୍ତି।

ସମ୍ବନ୍ଧିତ ଖବର