ଆଠଗଡ଼ରେ ଅଭୟଙ୍କ ଶକ୍ତି ପ୍ରଦର୍ଶନ

କଟକ: ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଆଠଗଡ଼ ନିର୍ବାଚନମଣ୍ଡଳୀରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡିର ଯୁବ ସଂଗଠକ ଅଭୟ ବାରିକ। ନିର୍ବାଚନମଣ୍ଡଳୀରେ ନିଜକୁ ଏକପ୍ରକାର ଅପ୍ରିତିଦ୍ବନ୍ଦ୍ବୀ ସାବ୍ୟସ୍ତ କରି ଆସୁଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନେତୃତ୍ବକୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଆଠଗଡ ରଥଗଡାସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ଅଭୟଙ୍କ ନେତୃତ୍ବରେ ଆଜି ଏକ ବିଶାଳ ପଦଯାତ୍ରା ବାହାରିଥିଲା। ଏହି ପଦଯାତ୍ରାରେ ଅଭୟ ଆଠଗଡ ନିର୍ବାଚନମଣ୍ଡଳୀରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଲୋକମାନଙ୍କୁ କହିଥିଲେ। ପଦଯାତ୍ରା ଧାଇପୁର ପଞ୍ଚାୟତରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ପୂର୍ବତନ ସରପଞ୍ଚ ତଥା ନଦୀକୂଳ ସୁରକ୍ଷା ମଂଚର ସଭାପତି ରତ୍ନାକର ସାମନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅଭୟ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ, ସେ ସଂପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ। ଆହୁରି ମଧ୍ୟ ଆଠଗଡରେ ଦୀର୍ଘ ୨୭ବର୍ଷ ହେଲା କୌଣସି ବିକାଶ ହୋଇନଥିବା ଅଭିଯୋଗ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ, ଧାଇପୁର ସରପଂଚ ମିନାକ୍ଷୀ ସାହୁ, ଟୁକୁ ସାମଲ, ପ୍ରତାପ ବେହେରା, ଅନିଲ୍ ସାହୁ, ଅମରେନ୍ଦ୍ର ରାଉତ, ତପୋଧନ ବାରିକ, ଅନୁପମ ଜେନା, ଲୁଲୁ ଦାସ, ଅକ୍ଷୟ ନାୟକ ପ୍ରମୁଖ ଦଳୀୟ କର୍ମକତ୍ତାମାନେ ଉପସ୍ଥିତ ଥିଲେ। ସରୋଜ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର