ଟ୍ରେନ୍‌ ଧକ୍କାରେ ଅବିନାଶ ମିଶ୍ରଙ୍କ ମୃତ୍ୟୁ

ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ

ଡୁଙ୍ଗୁରିପାଲି : ବଲାଙ୍ଗୀରର ପୂର୍ବତନ ଲୋକସଭା ସଦସ୍ୟ ବାଳଗୋପାଳ ମିଶ୍ରଙ୍କ ସାନ ପୁଅ ଅବିନାଶ ମିଶ୍ର (୪୮) ଶନିବାର ଭୋର୍‌ ୫ଟାରେ ଟ୍ରେନ୍‌ ଧକ୍କାରେ ପ୍ରାଣ ହରାଇଛନ୍ତି। ସେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଡୁଙ୍ଗୁରିପାଲି ରେଳ ଫାଟକ ନିକଟରେ ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଡୁଙ୍ଗୁରିପାଲି ହସ୍ପିଟାଲକୁ ନେଇଥିଲେ। ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପତ୍ନୀ ଡୁଙ୍ଗୁରିପାଲିରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବାରୁ ସେ ନିଜ ଗ୍ରାମ ସାଲେଭଟାରୁ ଆସି ଡୁଙ୍ଗୁରିପାଲିରେ ଭଡ଼ା ଘ‌ରେ ରହୁଥିଲେ। ଏହି ଦୁଃଖଦ ଖବର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅପରାହ୍ନ ୫ଟାରେ ସାଲେଭଟା ନଦୀକୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏଥିରେ ବାପା ବାଳଗୋପାଳ ମିଶ୍ର, ବଡ଼ଭାଇ କ୍ୟାପଟେନ ଅମିତାଭ ମିଶ୍ର ଓ ଆକାଶ ମିଶ୍ର, ଭଉଣୀ ଅଜିତା ତ୍ରିପାଠୀଙ୍କ ସମେତ ବହୁ ଆତ୍ମୀୟସ୍ବଜନ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ପୁଅ ଅବନୀଶ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର