ବିଳମ୍ବରେ ହେଲେ ବି ପ୍ରଶାସନର ନିଦ ଭାଙ୍ଗିଲା: ପୁରୁଣା ବାଲେଶ୍ବର ମଦ ହବ୍‌ରେ ଅବକାରୀ ରେଡ୍‌

ଜବତ ହେଲା ୧୦ ଲକ୍ଷ ଟଙ୍କାର ବେଆଇନ ମଦ
୧୫ ହଜାର ଲିଟର ପୋଚ, ୬୦୦ ଲିଟର ମଦ ନଷ୍ଟ

ବାଲେଶ୍ବର : ବିଳମ୍ବରେ ହେଲେ ବି ‌ବାଲେଶ୍ବର ସହରର ପୁରୁଣା ବାଲେଶ୍ବର ଅଞ୍ଚଳରେ ଦୀର୍ଘବର୍ଷ ଧରି କୁଟୀରଶିଳ୍ପ ପାଲଟିଥିବା ବେଆଇନ ମଦ କାରବାର ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ଉ ହୋଇଥିଲା। ଏଥିରେ ଅବକାରୀ ବିଭାଗ, ଗୋଟିଏ ପ୍ଲାଟୁନ ଫୋର୍ସ ସମେତ ଅତିରିକ୍ତ ତହସିଲଦାରଙ୍କୁ ମିଶା‌ଇ ୫୦ ଜଣିଆ ଟିମ୍‌ ସାମିଲ ଥିବା ବେଳେ ମୋଟ ୧୫ହଜାର ଲିଟର ପୋଚ ନଷ୍ଟ କରାଯାଇଛି। ଏହାବାଦ୍‌ ୬ଶହ ଲିଟର ମଦ, ମଦ ପ୍ରସ୍ତୁତ ସାମଗ୍ରୀ ଏବଂ ସରଞ୍ଜାମ ଜବତ କରିବା ସହ ୪ଟି ମାମଲା ରୁଜୁ ହୋଇଥିବା ଜଣାଯାଇଛି।

ବାଲେଶ୍ବର ସହରର ଟାଉନ ଥାନା ଅଧୀନ ପୁରୁଣା ବାଲେଶ୍ବର ଅଞ୍ଚଳରରେ ବେଆଇନ ମଦ ପ୍ରସ୍ତୁତ ଚାଲିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇ ଆସୁଥିବା ବେଳେ ଅବକାରୀ ବିଭାଗ କିମ୍ବା ସ୍ଥାନୀୟ ପୁଲିସ ଏହାକୁ ଗୁରୁତ୍ବର ‌ସହ ନେଇନଥିଲେ। ଅଭିଯୋଗ ହେଲେ ଦିନେ ଦୁଇଦିନ କିଛି ମଦ ବେପାରୀଙ୍କୁ ଧରି ବାହାବାଃ ନେବାକୁ ଚେଷ୍ଟା କରୁଥିଲେ ଅବକାରୀ ବିଭାଗ ଓ ପୁଲିସ। ତେବେ ଏହି ବେଆଇନ କାରବାର ଉପରେ ଉଭୟ ବିଭାଗର ନିୟନ୍ତ୍ରଣ ନଥିବା ଏବଂ ମଦ ମାଫିଆଙ୍କ ସହ ଅସାଧୁ ମେଣ୍ଟ ଥିବା ନେଇ ମଧ୍ୟ ଅଭିଯୋଗ ହୋଇ ଆସୁଥିଲା। ଫଳରେ ପୁରୁଣା ବାଲେଶ୍ବର ଅଞ୍ଚଳରୁ ପ୍ରତିଦିନ ବାଇକ୍‌ ଏବଂ ଚାରିଚକିଆ ଯାନରେ ବାଲେଶ୍ବର ଜିଲ୍ଲା ସମେତ ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ହଜାର ହଜାର ଲିଟର ବେଆଇନ ମଦ ମାଫିଆମାନେ ଚୋରା ଚାଲାଣ କରୁଥିଲେ। ଏହାଛଡ଼ା ପୁଲିସ ପ୍ରଶାସନ ସବୁ ଜାଣି ବି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଧୀରେଧୀରେ ଏହି ଅଞ୍ଚଳରେ ବେଆଇନ ମଦ କାରବାର କୁଟୀରଶିଳ୍ପରେ ପରିଣତ ହୋଇଛି। ମାଫିଆମାନେ ବିଶେଷ ଭାବେ ଗୁଡ଼ରୁ ମଦ ତିଆରି କରୁଥିବା ବେଳେ ସେଥିରେ ଗୁଡ଼-ବାଖର ନାମକ ଏକ ଟାବଲେଟ୍‌ ମିଶାଉଛନ୍ତି। ମାତ୍ର ୩ରୁ ସାଢ଼େ ୩ ଘଣ୍ଟା ମଧ୍ୟରେ ପ୍ରସ୍ତୁତ ହେଉଛି ୨୫ ଲିଟରରୁ ଅଧିକ ମଦ। ଲିଟର ପିଛା ୬୦ଟଙ୍କାରେ ବେପାରୀମାନଙ୍କ ପାଖକୁ ଏହା ପଠାଯାଇଥାଏ।

ଗତକାଲି ଜିଲ୍ଲାପାଳଙ୍କୁ ଏନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ତୁରନ୍ତ ସେ ବିଭାଗୀୟ ଅଧିକାରୀଙ୍କୁ ଡକାଇ ଆଲୋଚନା କରିଥିଲେ। ଏହାପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ, ପୁଲିସ ଫୋର୍ସ ଏବଂ ଅତିରିକ୍ତ ତହସିଲଦାରଙ୍କୁ ମିଶାଇ ଏକ ୫୦ ଜଣିଆ ଟିମ୍‌ ପ୍ରସ୍ତୁତ କରି ସେଠାରେ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଚଢ଼ଉରେ କୌଣସି ମଦ ବେପାରୀ କିମ୍ବା ମାଫିଆଙ୍କୁ ଗିରଫ କରା ଯାଇପାରି ନ ଥିବା ବେଳେ ନିୟମିତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର