ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ମାମଲା: ଜାମିନ୍‌ରେ ଆସିଥିବା ଅବନୀ ପତି ପୁଣି କୋର୍ଟ ଚାଲାଣ

ବାରିପଦା: ବାରିପଦା ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର ମାଲିକ ଅବନୀ ପତିଙ୍କୁ ପୁଲିସ ପୁଣି ଗିରଫ କରି କୋର୍ଟ ଚାଲାଣ କରିଛି। କେନ୍ଦ୍ରର ଜଣେ ଅନ୍ତେବାସୀଙ୍କୁ ପ୍ରବଳ ମାଡ଼ ମାରିବା ନେଇ ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ନିଜ ପକ୍ଷରୁ ମାମଲା ରୁଜୁ କରି ତନାଘନା କରିଥିଲା। ଏହି ଘଟଣାରେ କେନ୍ଦ୍ର ମାଲିକ ଅବନୀ ପତିଙ୍କୁ ଗିରଫ କରାଯାଇଥିଲା। ତା’ପରେ ପ୍ରଶାସନ ଉପସ୍ଥିତିରେ କେନ୍ଦ୍ରରୁ ଅନ୍ତେବାସୀଙ୍କୁ ନିଜ ନିଜ ଘରକୁ ପୁଲିସ ପଠାଇ ଦିଆଯାଇଥିଲା। ନିକଟରେ ଅବନୀ ଜାମିନରେ ଆସି ବିନା ଅନୁମତିରେ କେନ୍ଦ୍ର ଖୋଲିଥିଲେ। ପ୍ରଶାସନ ଓ ପୁଲିସ ଘରକୁ ପଠାଇ ଦେଇଥିବା ଅନ୍ତେବାସୀଙ୍କୁ ପୁଣି ଡକାଇ କେନ୍ଦ୍ରରେ ରଖିଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଦନ୍ତ କରି ବେଆଇନ ଭାବେ କେନ୍ଦ୍ର ଖୋଲାଯାଇଥିବା ନେଇ ଗତକାଲି ରାତିରେ ବାରିପଦା ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ତତ୍‌କ୍ଷଣାତ ଏକ ମାମଲା ରୁଜୁ କରିଥିଲା। ଅବନୀ ବଜାରରେ ସାଙ୍ଗମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ପୁଲିସ ପହଞ୍ଚି ତାଙ୍କୁ ଉଠାଇ ଆଣିଥିଲା। ଗିରଫ ଅବନୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି। ଏନେଇ ଅବନୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ହଇରାଣ କରାଯାଉଛି। କେନ୍ଦ୍ର ଖୋଲିବା ନେଇ ସମସ୍ତ କାଗଜପତ୍ର ଅଛି। କେହି ବି କାଗଜପତ୍ର ମାଗି ନାହାନ୍ତି। ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେ‌ବେ ବୋଲି କହିଛନ୍ତି। ଏହା ସହିତ ନିଶାସକ୍ତମାନଙ୍କୁ ସୁସ୍ଥ କରି ସମାଜର ମୁଖ୍ୟସ୍ରୋତକୁ ଆଣିବା କ’ଣ ଭୁଲ୍‌ କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର