ସ୍କୁଲ୍‌, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ହେଉ:ଏଆଇଏସ୍‌ଏଫ୍‌

ଭୁବନେଶ୍ବର : କରୋନା ଆଳ ଦେଖାଇ ଓଡ଼ିଶା ସରକାର ସ୍କୁଲ୍‌, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ଓ ହଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଏଆଇଏସ୍‌ଏଫ୍‌ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ସଂଗଠନ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ ରାଜ୍ୟରେ ସପିଂ ମଲ୍‌ ଓ ସିନେମାହଲ୍‌ ଚାଲିପାରୁଛି, ପିପିଲି ବିଧାନସଭା ନିର୍ବାଚନରେ ହଜାର ହଜାର ଲୋକ ସମାଗମ ହୋଇପାରୁଛନ୍ତି। କିନ୍ତୁ ବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ଗୋଟିଏ ବର୍ଷ ଶିକ୍ଷାଦାନ ବନ୍ଦ ରହିଥିବା ବେଳେ କିଛିଦିନ ପୂର୍ବେ ପାଠପଢା ଆରମ୍ଭ ହୋଇଥିଲା। ସବୁ କିଛି ସ୍ବାଭାବିକ ଭାବେ ଚାଲିଥିବା ବେଳେ ପୁଣି ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍‌ ବନ୍ଦ କରାଯାଇଛି। ଏହି ନିଷ୍ପତ୍ତି ପ୍ରତ୍ୟାହାର ନ କଲେ କେବଳ ଉତ୍କଳ ବିଶ୍ବବିଦ୍ୟାଳୟ ନୁହେଁ ଓଡ଼ିଶାର ସମସ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ଇଂଜିନିୟରିଂ, ମେଡିକାଲ କଲେଜ ସମେତ ସମସ୍ତ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଏଆଇଏସ୍‌ଏଫ୍‌ ପକ୍ଷରୁ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର