ରାଜ୍ୟରେ ପ୍ରାୟ ୧.୬୫କୋଟି ପଛୁଆବର୍ଗର ଲୋକ

ଜୁନ୍‌ ୬ ଯାଏ ବଢ଼ିଲା ପଛୁଆ ବର୍ଗ ସର୍ଭେ, ଘରକୁ ଘର ବୁଲି ସର୍ଭେ ହେବ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୧ରୁ ୨୬ତାରିଖ ପର୍ଯ୍ୟନ୍ତ ଚାଲିଥିବା ଓବିସି ସର୍ଭେକୁ ଜୁନ୍ ୬ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ରାଜ୍ୟ ପଛୁଆ ବର୍ଗଙ୍କ ନିର୍ଦ୍ଦେଶ କ୍ରମେ ପଛୁଆ ବର୍ଗ ଲୋକଙ୍କ ସର୍ଭେକୁ ବଢ଼ାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ସର୍ଭେରେ ପ୍ରତିଦିନ (ଛୁଟି ଦିନ ସମେତ) ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆବର୍ଗ ଲୋକଙ୍କର ତଥ୍ୟ ସଂଗ୍ରହ କରିବେ। ଯେଉଁ ପଛୁଆବର୍ଗ ବ୍ୟକ୍ତିମାନେ ବର୍ତ୍ତମାନ ସୁଦ୍ଧା ନିଜ ତଥ୍ୟ ପ୍ରଦାନ କରିନାହାନ୍ତି ସେମାନେ ନିଜର ତଥା ନିଜ ପରିବାର ସଦସ୍ୟଙ୍କ ତଥ୍ୟକୁ ପ୍ରଦାନ କରିବାକୁ ପଛୁଆ ବର୍ଗ ଆୟୋଗ ଅନୁରୋଧ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ପ୍ରଥମରୁ ଏହି ଘରକୁ ଘର ବୁଲି ସର୍ଭେ କରିବାକୁ ଦାବି କରୁଥିଲେ ହେଁ ରାଜ୍ୟ ସରକାର ଏବେ ଏହାକୁ ମାନିଛନ୍ତି।

ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମେ’ ୧ରୁ ୨୦ତାରିଖ ପର୍ଯ୍ୟନ୍ତ ହୋଇଥିବା ସର୍ଭେ ଏବଂ ମେ’ ୨୧ରୁ ୨୬ତାରିଖ ପର୍ଯ୍ୟନ୍ତ ହୋଇଥିବା ସ୍ବତନ୍ତ୍ର ଡ୍ରାଇଭ୍‌ରେ ୧କୋଟି ୬୫ଲକ୍ଷ ଲୋକ ପଛୁଆବର୍ଗ ସର୍ଭେରେ ସାମିଲ୍‌ ହୋଇଛନ୍ତି। ଗ୍ରୀଷ୍ମପ୍ରବାହ ଯୋଗୁ କାଳେ ଲୋକ ଘରୁ ଆସିନଥିବେ କିମ୍ବା କୌଣସି ବୈଷୟିକ ତ୍ରୁଟି କାରଣରୁ ଅନଲାଇନ୍‌ରେ ପଞ୍ଜୀକରଣ କରିନଥିବେ ସେହି ଆଶଙ୍କାରେ ଘରକୁ ଘରକୁ ବୁଲି ସର୍ଭେ କରାଯାଇଛି।

theleaflet.in

ଅପରପକ୍ଷେ ରାଜ୍ୟରେ ପ୍ରାୟ ୩୬% ପଛୁଆବର୍ଗ ବାସିନ୍ଦା ଥିବା ଆପାତତଃ ଜଣାପଡ଼ିଛି। ଆଧାରକାର୍ଡ ପଞ୍ଜୀକରଣ ତଥ୍ୟ ଅନୁଯାୟୀ, ରାଜ୍ୟର ଜନସଂଖ୍ୟା ଏବେ ୪କୋଟି ୫୪ଲକ୍ଷ ୨୯ହଜାର ୩୯୯ ଜଣ ଥିବାବେଳେ ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ରାଜ୍ୟର ମୋଟ୍‌ ଜନସଂଖ୍ୟା ୨୦୨୩‌ରେ ୪କୋଟି ୭୦ଲକ୍ଷ ୯୯ହଜାର ୨୭୦ଜଣ ହେବ। ତେଣୁ ଆଧାରକାର୍ଡ ଜନସଂଖ୍ୟା ହିସାବରେ ଗଲେ ଏବେ ରାଜ୍ୟରେ ପ୍ରାୟ ୩୬.୩୨% ପଛୁଆବର୍ଗର ଲୋକ ଅଛନ୍ତି। ସେହିପରି ବିଭିନ୍ନ ସଂସ୍ଥାଙ୍କ ଆକଳନ ଜନସଂଖ୍ୟା ଅନୁଯାୟୀ ଗଲେ ରାଜ୍ୟରେ ପ୍ରାୟ ୩୫.୦୩% ପଛୁଆବର୍ଗର ଲୋକ ଅଛନ୍ତି।

ହେଲେ ବିଭିନ୍ନ ରାଜନୈତିକ ଦଳ ରାଜ୍ୟରେ ପ୍ରାୟ ୫୦%ରୁ ଅଧିକ ପଛୁଆ ବର୍ଗର ଲୋକ ଥିବା କହୁଥିବାବେଳେ ସର୍ଭେରେ ଏହାଠାରୁ ଢେର୍‌ କମ୍ ଥିବା ଜଣାପଡ଼ିଛି। ବାସ୍ତବରେ ରାଜ୍ୟରେ ୩୫ରୁ ୩୬% ପଛୁଆବର୍ଗର ଲୋକ ଅଛନ୍ତି ନା ଏହି ବର୍ଗର ଲୋକ କୌଣସି କାରଣରୁ ସର୍ଭେରେ ସାମିଲ୍ ହୋଇନାହାନ୍ତି ସେନେଇ ଏବେ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର