‘କାଳିଆ’ ଯୋଜନାରେ ଆହୁରି ୧୦ ଲକ୍ଷ ଚାଷୀ ହେବେ ଉପକୃତ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘କାଳିଆ’ରେ ଆହୁରି ୧୦ ଲକ୍ଷ ଚାଷୀ ଉପକୃତ ହେବେ। ଯୋଜନାରୁ ଯେପରି କୌଣସି ଚାଷୀ ବାଦ୍‌ ନପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ମାର୍ଚ୍ଚ ପହିଲା ଅଥବା ତା’ପରେ ଡ୍ରାଫ ତାଲିକା ପ୍ରକାଶ ପାଇବ। ଏପ୍ରିଲ ୧ ପରେ ଦ୍ୱିତୀୟ କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ପାଢ଼ୀ କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମଙ୍ଗଳବାର କାଳିଆ ଯୋଜନାରେ ଆହୁରି ୧୦ ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ଚାଷୀ ବର୍ଗରୁ ପୁଣି ୧୦ ଲକ୍ଷ ଚାଷୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ସେହିପରି ସରକାର ୩୫ ଲକ୍ଷ ବଦଳରେ ୪୫ ଲକ୍ଷ ଚାଷୀଙ୍କୁ ଟଙ୍କା ଦେବାକୁ ଲକ୍ଷ୍ୟ ରଖିଛନ୍ତି। କ୍ୟାବିନେଟ ବୈଠକରେ କାଳିଆ ଅନୁଦାନ ପ୍ରଦାନ ତାରିଖରେ ମଧ୍ୟ ପରିବର୍ତ୍ତନକୁ ମଂଜୁରୀ ମିଳିଛି। ଅକ୍ଷୟ ତୃତୀୟା, ନୂଆଁଖାଇ ବଦଳରେ ତାରିଖ ନିର୍ଦ୍ଧାରଣ ହୋଇଛି। ଖରିଫ ପାଇଁ ଏପ୍ରିଲ ୧ ତାରିଖ ନିର୍ଦ୍ଧାରଣ ହୋଇଥିବା ବେଳେ ରବି ପାଇଁ ସେପ୍ଟେମ୍ବରରେ ଟଙ୍କା ମିଳିବ।

ସମ୍ବନ୍ଧିତ ଖବର