ଭୁବନେଶ୍ବର,(ଭବାନୀ ଶଙ୍କର ତ୍ରିପାଠୀ): ଛୋଟ ପିଲାଙ୍କ ହାତରେ ଚକୋଲେଟ୍‌, ମିଠା, ପିଠା ଆଦି ଧରାଇବା ପ୍ରତି ପରିବାରର ଗୋଟିଏ ଅତି ସାଧାରଣ କଥା। ଘରକୁ କେହି ଅତିଥି ଆସିଲେ ଏସବୁ ଆଣି ଆଗ ପିଲାଙ୍କ ହାତରେ ଧରାଇଥାନ୍ତି, ମେଳା ମହୋତ୍ସବକୁ ଗଲେ ବି ପିଲାଙ୍କର ଏହା ଉପରେ ନଜର ରହିଥାଏ। ଶିଶୁଙ୍କର ଏଭଳି ଆଗ୍ରହକୁ କେହି ଆକଟ କରନ୍ତି ନାହିଁ। ବରଂ ପ୍ରାୟ ଅଧିକାଂଶଙ୍କ ଘରେ ଏସବୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ବେଳେ ଛୋଟ ପିଲାମାନଙ୍କ ଭାଗ ଟିକେ ଅଧିକ।

Advertisment

ତେବେ ଜାତୀୟ ପୁଷ୍ଟିକର ସର୍ବେକ୍ଷଣ ରିପୋର୍ଟ ଏ ସଂକ୍ରାନ୍ତରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି; ଯାହା ସବୁ ଅଭିଭାବକଙ୍କ ଛାତି ଥରାଇଦେବ। ଏହି ରିପୋର୍ଟ କହୁଛି ଯେ ରାଜ୍ୟରେ ବିଦ୍ୟାଳୟରେ ପଢୁଥିବା ଥିବା ପ୍ରାୟ ଏକ ପଞ୍ଚମାଂଶ ୧୯.୨% ଶିଶୁ ପ୍ରି-ଡାଇବେଟିକ୍ ବା ଡାଇବେଟିସ୍ ପୂର୍ବାବସ୍ଥାରେ ଅଛନ୍ତି। କେବଳ ସେତିକି ନୁହେଁ, ୧୯%କିଶୋରଙ୍କ ଠାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଜାତୀୟସ୍ତରରେ ଏହି ହାର ଯଥାକ୍ରମେ ୧୦.୩% ଏବଂ ୧୦.୪%।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍ଏଚ୍ଏସ୍-୫)ର ରିପୋର୍ଟକୁ ତର୍ଜମା କଲେ ବା ନିରେଖି ଦେଖିଲେ ଓଡ଼ିଶା ସଂକ୍ରାନ୍ତରେ ଆହୁରି କିଛି ସାଂଘାତିକ ଚିତ୍ର ସାମ୍ନାକୁ ଆସୁଛି। ଯଦିଓ ଜାତୀୟସ୍ତର ଠାରୁ ଶିଶୁ ପୁଷ୍ଟିକର କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଟିକେ ଭଲ, ତଥାପି ଆତଙ୍କ ସୃଷ୍ଟି କଲାଭଳି। ରିପୋର୍ଟ ଅନୁସାରେ, ୬ରୁ ୨୩ ମାସ ମଧ୍ୟରେ ପାଖାପାଖି ୮୦% ଶିଶୁ (୭୯.୬%) ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ ପାଉନାହାନ୍ତି। ଅର୍ଥାତ୍ ଶିଶୁର ଉପଯୁକ୍ତ ଅଭିବୃଦ୍ଧି ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ୨୦.୪% ଶିଶୁ ବା ଛୋଟ ପିଲାଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ସୂଚୀତ ଖାଦ୍ୟ ଗୋଷ୍ଠୀର ଅତି କମରେ ଚାରିଟି ଖାଦ୍ୟ (ଶସ୍ୟ, ମିଲେଟ୍, ସବୁଜ ପନିପରିବା, ଡାଲି, କ୍ଷୀର ବା କ୍ଷୀର ଜାତୀୟ, ଫଳ, ମାଛ, ଅଣ୍ଡା ଇତ୍ୟାଦି) ଠିକଣା ସମୟ ବ୍ୟବଧାନରେ ପ୍ରଦାନ କରାଯାଇପାରୁଛି।

ରାଜ୍ୟରେ ଏକ ପଞ୍ଚମାଂଶ ଶିଶୁ ରୋଗିଣା
୧୯% କିଶୋରଙ୍କ ସ୍ଥିତି ବି ଚିନ୍ତାଜନକ
୮୦% ଶିଶୁ ସର୍ବନିମ୍ନ ଖାଦ୍ୟ ପାଉନାହାନ୍ତି
୧୮.୧% ଶିଶୁ ଅତି ପୁଷ୍ଟିହୀନତାର ଶିକାର

publive-image The Indian Express

ଏହି ରିପୋର୍ଟ କହୁଛି ଯେ ରାଜ୍ୟର ସବୁ ଜିଲ୍ଲାର ସ୍ଥିତି ଉଦ୍‌ବେଗଜନକ ଥିଲେ ହେଁ ସୁନ୍ଦରଗଡ, ଦେବଗଡ, ଯାଜପୁର ଏବଂ ଖୋର୍ଧା ସ୍ଥିତି ଗମ୍ଭୀର। ଖଣି ଖାଦାନକୁ ନେଇ ବିକଶିତ ଜିଲ୍ଲା ସୁନ୍ଦରଗଡ (୮୫.୩% ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ ପାଉନାହାନ୍ତି)ଏବଂ ଯାଜପୁର ଜିଲ୍ଲା (୮୬.୧% ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ ପାଉନାହାନ୍ତି)ର ତୃଣମୂଳସ୍ତରକୁ ବିକାଶ ଏବଂ ସଚେତନତା ଛୁଉଁନାହିଁ, ଏକଥା ଏଥିରୁ ସ୍ପଷ୍ଟ ଜଣାପଡୁଛି। ଆହୁରି ଆଚମ୍ବିତ କଥା ହେଲା, ଖୋଦ୍ ରାଜଧାନୀ ଭୁବନେଶ୍ବର ଥିବା ଖୋର୍ଧା ଜିଲ୍ଲା (୮୬.୨ ପ୍ରତିଶତ)ରେ ବି ଶିଶୁ ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ ପାଉନାହାନ୍ତି କିପରି?

ମାଆ କ୍ଷୀର ସହିତ ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟର ଅଭାବ ଶିଶୁର ଗଠନ ଉପରେ ଏତେ ପ୍ରଭାବ ପକାଇଥାଏ ଯେ (ଜନ୍ମ ହେବାର ୨୩ ମାସ ପର୍ଯ୍ୟନ୍ତ ଏବଂ ମାତୃଗର୍ଭରେ ରହିବା ଦିନଠାରୁ ୧୦୦୦ ଦିନ ଯାଏଁ) ଜୀବନର ଅବଶିଷ୍ଟ ଦିନମାନଙ୍କରେ ବିକାଶ ପାଇଁ ଯାବତୀୟ ପଦକ୍ଷେପକୁ ଏକ ପ୍ରକାର ନିଷ୍ଫଳ କରିଦେଇଥାଏ। ବିଶେଷଜ୍ଞମାନଙ୍କ ମତରେ ଓଡ଼ିଶାରେ କୁପୋଷଣ ବା ପୁଷ୍ଟିହୀନତା ବୃଦ୍ଧି ପଛରେ ଏହା ହିଁ ସବୁଠାରୁ ବଡ଼ ବା ପ୍ରମୁଖ କାରଣ।

ଏହି ରିପୋର୍ଟ କହୁଛି ଯେ ଓଡ଼ିଶାରେ ଏହାର ଗଭୀର ପ୍ରଭାବ ପରିଲକ୍ଷିତ ହେଲାଣି। ରାଜ୍ୟର ୩୧ ପ୍ରତିଶତ ଶିଶୁ ବା ପ୍ରତି ଶହେରେ ତିନିଜଣ ଶିଶୁଙ୍କ ଉଚ୍ଚତା କମିଯାଉଛି। ଜାତୀୟସ୍ତରରେ ଏହାର ହାର ୩୫%। ଖାଦ୍ୟରେ ଗୋ​ଳମାଳିଆ ସ୍ଥିତି କାରଣରୁ କୁପୋଷଣ ପରିସଂଖ୍ୟାନ ବେଶ୍ ଉପରେ। ଗତ ୩୦ ବର୍ଷର ତଥ୍ୟକୁ ନିରେଖି ଦେଖିଲେ ଜଣାପଡୁଛି ଯେ ଓଡ଼ିଶାରେ ଏହା ନିମ୍ନମୁଖୀ ଥିଲେ ହେଁ ପାଖାପାଖି ୧୮.୧%ଶିଶୁ ଅତି ପୁଷ୍ଟିହୀନତାରେ ଆକ୍ରାନ୍ତ, ଏମାନେ ଜୀବନ ସହିତ ପ୍ରତିଦିନ ସଂଘର୍ଷ କରୁଛନ୍ତି।

ଏପଟେ ଜାତୀୟ ପୁଷ୍ଟିକର ସର୍ବେକ୍ଷଣ ରିପୋର୍ଟରେ ଆନ୍ଦୋଳିତ କଲାଭଳି ଥିବା ତଥ୍ୟ ହେଉଛି ଯେ ବିଦ୍ୟାଳୟକୁ ଯାଇନଥିବା ରାଜ୍ୟର ୨୦% ଶିଶୁଙ୍କ ଠାରେ ଭିଟାମିନ୍-ଏର ଅଭାବ ରହିଛି। ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଠାରେ ଏହି ହାର ୧୮% ହୋଇଥିବା ବେଳେ ୧୯%କିଶୋର ମଧ୍ୟ ଏହାର ଅଭାବରେ ସମସ୍ୟା ସାମ୍ନା କରୁଛନ୍ତି। ସେହିଭଳି ରାଜ୍ୟର ୬.୭% ବିଦ୍ୟାଳୟକୁ ଯାଇନଥିବା ଶିଶୁଙ୍କ ଠାରେ ଭି଼ଟାମିନ୍-ଡିର ଅଭାବ। ସ୍କୁଲ ପିଲା ଓ କିଶୋରଙ୍କ କ୍ଷେତ୍ରରେ ଏହାର ପରିମାଣ ଯଥାକ୍ରମେ ୧୨.୪% ଏବଂ ୧୮% ରହିଛି। ଶରୀରରେ ଜିଙ୍କ୍‌ର ଅଭାବ ମଧ୍ୟ କିଛି କମ୍ ନାହିଁ। ବିଦ୍ୟାଳୟକୁ ଯାଇନଥିବା ଏକ ପଞ୍ଚମାଂଶ (୧୯%) ଶିଶୁ ଏହା ଦ୍ବାରା ପ୍ରଭାବିତ। ୧୬ ପ୍ରତିଶତ ସ୍କୁଲ ଛାତ୍ରଛାତ୍ରୀ ଓ ୪୨.୪ ପ୍ରତିଶତ କିଶୋରଙ୍କ ଠାରେ ମଧ୍ୟ ଏହି ଭିଟାମିନ୍‌ର ଅଭାବ ରହିଛି। ଭିଟାମିନ୍ ବି-୧୨ ଏବଂ ବି-୯ କଥା ଦେଖିବାକୁ ଗଲେ, ଏକ ଚତୁର୍ଥାଂଶ ଶିଶୁ (ଯେଉଁମାନେ ବିଦ୍ୟାଳୟକୁ ଯାଇନାହାନ୍ତି) ଏଭଳି ଭିଟାମିନ୍ ଅଭାବରେ ଅଛନ୍ତି। ୪୮% ସ୍କୁଲ ପିଲା ଏବଂ ୬୯%କିଶୋରଙ୍କ ଠାରେ ଏହି ଭିଟାମିନ୍ ଅଭାବ ରହିଛି।

publive-image

ଭାରତର ନ୍ୟୁଟ୍ରିସନ୍ ମ୍ୟାନ୍ ଭାବେ ଜଣାଶୁଣା ତଥା ଖାଦ୍ୟ ଏବଂ ପୁଷ୍ଟିକର ସୁରକ୍ଷା ମିଳିତ ମଞ୍ଚର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର କରଙ୍କର କହିବା କଥା ହେଉଛି ଯେ ଖାଦ୍ୟ ଅଭାବ ଯେ କୌଣସି ଶିଶୁ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ପ୍ରଥମ ୧୦୦୦ ଦିନରେ ସର୍ବନିମ୍ନ ଖାଦ୍ୟ ଆବଶ୍ୟକତାକୁ ବିଶେଷ ବା ସବୁଠାରୁ ଅଧିକ ଗୁରୁତ୍ବ ଦିଆଯିବା ଦରକାର। ଶିଶୁର ମୁଖ୍ୟ ଜ୍ଞାନଗତ ବିକାଶ ଏହି ପର୍ଯ୍ୟାୟରେ ହିଁ ଘଟିଥାଏ। ଏହା ଉପରେ ଶିଶୁର ଜ୍ଞାନଗତ ବିକାଶ ନିର୍ଭର କରେ। କାରଣ ପ୍ରଥମ ଦୁଇବର୍ଷ ମଧ୍ୟରେ ଶିଶୁ ମସ୍ତିଷ୍କର ୮୦ ପ୍ରତିଶତ ଅଭିବୃଦ୍ଧି ଘଟିଥାଏ। ଯଦି ଏହି ସମୟରେ ପିଲାମାନେ ପର୍ଯ୍ୟାପ୍ତ ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ତେବେ ସେମାନଙ୍କର ମସ୍ତିଷ୍କ ପୂର୍ଣ୍ଣ ବିକଶିତ ହେବାରେ ବାଧା ସୃଷ୍ଟି ହୁଏ। ଏହା ଦ୍ବାରା ଶିଶୁର ଉଚ୍ଚତା କମେ ଏବଂ ରକ୍ତହୀନତା ମଧ୍ୟ ଦେଖାଯାଇଥାଏ। ଓଡ଼ିଶା ସଂପର୍କରେ ଶ୍ରୀଯୁକ୍ତ କର କିନ୍ତୁ ଗୋଟିଏ ସକାରାତ୍ମକ ଟିପ୍‌ପଣୀ ଦେଇଛନ୍ତି। ତାଙ୍କ ମତରେ ଏନ୍‌ଏଫ୍ଏଚ୍ଏସ୍-୪ ତୁଳନାରେ ସଦ୍ୟତମ ରିପୋର୍ଟ (ଏନ୍‌ଏଫ୍ଏଚ୍ଏସ୍-୫)ରେ ଓଡ଼ିଶାର ଏ ସଂକ୍ରାନ୍ତ ଚିତ୍ରରେ ଯଥେଷ୍ଟ ଉନ୍ନତି ଘଟିଛି।

ଆହୁରି ଆଶ୍ବାସନାର କଥା ହେଲା, ରାଜ୍ୟ ସରକାର ଏ କ୍ଷେତ୍ରରେ ତିନିଟି ବଡ ପଦକ୍ଷେପ ନେଇଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ନ୍ୟୁଟ୍ରିସନ୍ ବଜେଟ୍ ପ୍ରସ୍ତୁତ କରିଛନ୍ତି। କିଛି ଅଙ୍ଗନବାଡିରେ ପାଇଲଟ୍ ପ୍ରକଳ୍ପ ଭାବେ ମାଛ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ଏଥିରେ ମଧ୍ୟ ଓଡ଼ିଶା ଆଗରେ। ସେହିଭଳି ମିଲେଟ୍ ମିସନ ପୁଷ୍ଟିହୀନତା ରୋକିବାରେ ସବୁଠାରୁ ବଡ କାର୍ଯ୍ୟ କରିବ। ତେବେ ଏ ସଂକ୍ରାନ୍ତ ସଚେତନତା ହିଁ ମୁକାବିଲା କ୍ଷେତ୍ରରେ ବଡ ଅସ୍ତ୍ର ବୋଲି ଶ୍ରୀଯୁକ୍ତ କର ମତ ରଖିଛନ୍ତି।
ବିଶେଷଜ୍ଞମାନେ ମତ ରଖୁଛନ୍ତି ଯେ ସ୍ବାଧୀନତାର ୭୫ବର୍ଷ ପରେ ତଥା ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ୮୮ ବର୍ଷ ପରେ ଓଡ଼ିଶାରେ କୁପୋଷଣର ଏଭଳି ଚିତ୍ର ଆନ୍ଦୋଳିତ କଲାଭଳି। ଏହାସତ୍ତ୍ବେ ଓଡ଼ିଶା ବିଶ୍ବସ୍ତରୀୟ ରାଜ୍ୟ ଭାବେ ପରିଗଣିତ ହେବା ପାଇଁ ଯୋଜନା କରିବା ଆଚମ୍ବିତ ମନେ ହୁଏ। କାହିଁକି ନା’ ପୁଷ୍ଟିହୀନତା ଏବେ ଏକ ନିରବ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିସାରିଲାଣି। ଯଦି ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହିତ ଓଡ଼ିଶା ଏକ ବିକଶିତ ରାଜ୍ୟ ଭାବରେ ଉଭା ହେବାକୁ ସରକାର ଇଚ୍ଛା କରନ୍ତି, ତେବେ ପୁଷ୍ଟିକର କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରାଥମିକତା ଦିଆଯିବା ଉଚିତ୍।

ସେହିପରି ୨୦୩୬ ମସିହା ବେଳକୁ ଓଡ଼ିଶା ଶତବାର୍ଷିକୀ ପାଳନ କରିବାକୁ ଯାଉଛି। ରାଜ୍ୟକୁ ଏକ ବିକଶିତ ରାଜ୍ୟ କରିବା ପାଇଁ ପୁଷ୍ଟିକର ଖାଦ୍ୟ କ୍ଷେତ୍ରକୁ ସର୍ବାଦୌ ଗୁରୁତ୍ବ ମିଳିବା ଦରକାର। ବିଶ୍ଳେଷଣ କହୁଛି ଯେ ଓଡିଶାକୁ କୁପୋଷଣରେ ଏକ ଅଙ୍କ ସଂଖ୍ୟାକୁ ହ୍ରାସ କରିବା ପାଇଁ ସୂଚକାଙ୍କଗୁଡିକରେ ଯେଉଁ ହାରରେ ବର୍ତ୍ତମାନ କାର୍ଯ୍ୟ ଚାଲିଛି, ତାହା ଦୁଇରୁ ଚାରିଗୁଣ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଦରକାର। ଯାହା ଆଦୌ ପରିଦୃଷ୍ଟ ହେଉନାହିଁ ବା ସରକାରଙ୍କ ବଜେଟ୍‌କୁ ନିରେଖି ଦେଖିଲେ ଏକଥା ଜଣାପଡୁନାହିଁ।