ରାଉରକେଲା: କରୋନା ମାଡରେ ଇସ୍ପାତ ସହରରେ ରୋଜଗାରଶୂନ୍ୟ ହୋଇ ପଡିଛନ୍ତି ବିଭିନ୍ନ କଳକାରଖାନାରେ କାମ କରୁଥିବା ହଜାର ହଜାର ଶ୍ରମିକ। କେବଳ ଶ୍ରମିକ ନୁହନ୍ତି, ବଡ ବଡ ବ୍ୟସାୟିକ ଅନୁଷ୍ଠାନରେ କାମ କରୁଥିବା ଶହ ଶହ କର୍ମଚାରୀ। କଲୋନୀ, ଆର୍ଏସ୍ପି କ୍ବାର୍ଟର୍ସ ଓ ବିଭିନ୍ନ ବସ୍ତିରେ ଘର ଭଡା ନେଇ ପରିବାର ସହ ରହୁଥିବା ଶ୍ରମିକ ଓ କର୍ମଚାରୀଙ୍କୁ ଏବେ ଘାରିଛି ଘରଭଡା ଚିନ୍ତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଡାଟିଆଙ୍କୁ ଘରୁ ନ ବାହାର କରିବା ସହ ଭଡା ଛାଡ କରିବାକୁ ଘର ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟରେ କେତେକ ପ୍ରମୁଖ ସହରରେ ଘରଭଡା ଛାଡ କରି କେତେକ ମାଲିକ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କିନ୍ତୁ ସ୍ମାର୍ଟ ସିଟି ରାଉରକେଲାରେ ଚିତ୍ର କିନ୍ତୁ ଓଲଟା।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୨ ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ରୋଜଗାର ହରାଇ ଘରେ ବସିଥିବା ଲୋକଙ୍କ ଉପରେ ଆରମ୍ଭ ହୋଇଯାଇଛି ଘର ମାଲିକଙ୍କ ଜୁଲୁମ୍। ହାତ ଗଣତି କିଛି ମାଲିକ ମାନବିକତାର ପରିଚୟ ଦେଇ ଭଡାଟିଆଙ୍କୁ ଭଡା ମାଗୁନାହାନ୍ତି। ଅନ୍ୟମାନେ ଭଡା ଦିଅ, ନ ହେଲେ ଘର ଖାଲି କର ବୋଲି ଭଡାଟିଆଙ୍କୁ ଚେତାବନୀ ଦେଉଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ପରିବାର ପ୍ରତିପୋଷଣ ଓ ଅନ୍ୟପଟେ ମାର୍ଚ୍ଚ, ଏପ୍ରିଲ ଓ ମଇ ତିନି ମାସର ଘର ଭଡା ବୋଝ ଏବେ ଭଡାଟିଆଙ୍କ ଚିନ୍ତା ବଢ଼ାଇ ଦେଇଛି। ଲକ୍ଡାଊନ୍ ପରେ ରୋଜଗାର ହରାଇଥିବା କିଛି ଲୋକ ନିଜ ନିଜ ଗାଁକୁ ଚାଲିଯିବାକୁ ନିଷ୍ପତ୍ତି ନେଇ ସାରିଲେଣି। ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ପରେ କାମରେ ଯୋଗଦେଇଥିବା ଭଡାଟିଆ ଘରଭଡା ଦେବାକୁ ମଧ୍ୟ ଅସମର୍ଥ। ଏଭଳି କଠିନ ସମୟରେ ଇସ୍ପାତ ସହରରେ ଘର ମାଲିକମାନେ ଘରଭଡା ଛାଡ ହେଉ ଅବା ୩ ମାସର ଭଡାର ୫୦% ନେବାକୁ ଛେଣ୍ଡ କଲୋନି, ବାସନ୍ତି କଲୋନି , ସିଭିଲଟାଉନସିପ୍ ସମେତ ଆର୍ଏସ୍ପି କ୍ବାର୍ଟର୍ସରେ ରହୁଥିବା ଭଡାଟିଆମାନେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ସେପଟେ ଲକ୍ଡାଉନ୍ ଖୋଲିଯିବା ପରେ ସହରରେ ପ୍ରାୟ ୨୦% ଘର ଭଡା ଖାଲି ପଡିବ ବୋଲି କିଛି ଘର ମାଲିକ କହିଛନ୍ତି। ମିନି ଇଣ୍ଡିଆ ଭାବେ ପରିଚିତ ଇସ୍ପାତ ସହରରେ ଦେଶର ବିଭିନ୍ନ କୋଣ ଅନୁକୋଣର ଲୋକମାନେ ବସବାସ କରୁଛନ୍ତି। ବିଭନ୍ନ ଇସ୍ପାତ କାରଖାନା (ଆର୍ଏସ୍ପି), ଶିଳ୍ପାଞ୍ଚଳ ସମେତ ବଡ ବଡ ବ୍ୟସାୟିକ ପ୍ରତିଷ୍ଠାନରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୫୦% ଲୋକ ପରିବାର ସହ ବାସନ୍ତୀ କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାର, ସିଭିଲଟାଉନସିପ୍, ଆର୍ଏସ୍ପି କ୍ବାର୍ଟର୍ସ ସମେତ ବିଭିନ୍ନ ବସ୍ତିରେ ଭଡା ରହୁଛନ୍ତି। ଛେଣ୍ଡ କଲୋନିରେ ୮ ହଜାର, ବାସନ୍ତି କଲୋନିରେ ୫ ହଜାର, କଳିଙ୍ଗ ବିହାରରେ ୩ ହଜାର, ସିଭିଲଟାଉନସିପ୍ରେ ୬ ହଜାର, ଆର୍ଏସ୍ପିର ବିଭିନ୍ନ ସେକ୍ଟରରେ ୨୪ ହଜାର କ୍ବାର୍ଟର୍ସ ରହିଛି। ବାସନ୍ତୀ କଲୋନି, ଛେଣ୍ଡ, କଳିଙ୍ଗ ବିହାର, ସିଭିଲଟାଉନ୍ସିପ୍ରେ ୫୦% ଘର ଭଡାରେ ଲାଗିଥିବାବେଳେ ଆର୍ଏସ୍ପିରେ ପାଖାପାଖି ୭ ହଜାର କ୍ବାର୍ଟର୍ସର ଭଡାରେ ଲାଗଛି। ଏମିତି ଭାବେ ସହରରେ ପାଖାପାଖି ୨୫ ହଜାରରୁ ଅଧିକ ଘର ଭଡାରେ ଲାଗିଛି। ଏଥିରୁ ମାଲିକମାନେ ମାସକୁ ମାସ ମୋଟା ରକମର ରୋଜଗାର କରିଥାନ୍ତି। ୪୦% ଘର ମାଲିକ ତଳ ମହଲାରେ ରହୁଥିବାବେଳେ ଉପର ମହଲାକୁ ଭଡା ଲଗାଇଛନ୍ତି। ଏଥିସହ ଗଙ୍ଗାଧରପାଲୀ, ଟିମ୍ବର କଲୋନି, ମଧୁସୂଦନପାଲୀ, ଗୋପବନ୍ଧୁପାଲୀ, ଛେଣ୍ଡ ଧାମରା ବସ୍ତି, ଛେଣ୍ଡ କଲ୍ୟାଣୀ ନଗର, ମାଲଗୋଦାମ ଆଦି ପ୍ରମୁଖ ବସ୍ତିରେ ମଧ୍ୟ ହଜାର ହଜାର ଶ୍ରମିକ ଘର ଭଡା ନେଇ ରହୁଛନ୍ତି। ବସ୍ତିରେ ଘର ଭଡା ହଜାରରୁ ଆରମ୍ଭ କରି ୩ହଜାର ଟଙ୍କା ରହିଛି। କଲୋନିରେ ୩ ହଜାର ଟଙ୍କାରୁ ଆରମ୍ଭ କରି ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଅବସରପ୍ରାପ୍ତ ଆର୍ଏସ୍ପି କର୍ମଚାରୀ, ବ୍ୟବସାୟୀ ସମେତ ଶିଳ୍ପପତିମାନେ ଦୁଇ ମହଲାରୁ ଆରମ୍ଭ କରି ୫ ମହଲା ପର୍ଯ୍ୟନ୍ତ ଘର ତିଆରି କରି ଭଡା ଲଗାଇଛନ୍ତି। ମାସିକ ଘର ଭଡାରୁ ବେଶ୍ ଦି’ ପଇସା ରୋଜଗାର କରୁଥିବା ଘର ମାଲିକମାନଙ୍କ ମଧ୍ୟ ଭଡାଟିଆଙ୍କ ଭଳି ସମ ପରିମାଣରେ ଚିନ୍ତା ବଢ଼ି ଯାଇଛି।