ପ୍ରିକସନ ଡୋଜ୍ ନେଇ ନାହାନ୍ତି ୪୦% ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ସଂକ୍ରମଣ ବଢ଼ିଲାଣି। ତଥାପି ଲକ୍ଷାଧିକ ଲୋକ ନିଜର ଟିକା ନେଇ ନାହାନ୍ତି। ପ୍ରିକସନ୍ ଡୋଜ୍‌କୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁନାହିଁ। ରାଜ୍ୟର ୪୦ ପ୍ରତିଶତ ବା ୧.୪ଲକ୍ଷ ସ୍ବାସ୍ଥ୍ୟକର୍ମୀ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରିକସନ୍ ଡୋଜ୍ ମାଗଣା ଥିବା ବେଳେ ‌ସେମାନେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ ନ କରିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିନ୍ତାର କାରଣ ପାଲଟିଛି।

ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ବର୍ତମାନ ସୁଦ୍ଧା ୨୯ଲକ୍ଷ ଲୋକ ଟିକା ନେଇ ନାହାନ୍ତି। ଏଥିରେ ୧୨-୧୪, ୧୫-୧୭ ଓ ୧୮ବର୍ଷରୁ ଅଧିକ ବର୍ଗର ଲୋକ ରହିଛନ୍ତି। ତେବେ ୯୦ ପ୍ରତିଶତ ସମ୍ମୁଖଯୋଦ୍ଧା ନିଜର ପ୍ରିକସନ୍ ଡୋଜ୍ ନେଇ ସାରିଛନ୍ତି। ହେଲେ ୪୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି। ରାଜ୍ୟରେ ୧୮ବର୍ଷରୁ ଅଧିକ ୯୬ ପ୍ରତିଶତ, ୧୨-୧୪ବର୍ଗର ୯୧, ୧୫-୧୭ବର୍ଷର ୮୦ ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇ ସାରିଛନ୍ତି। ରାଜ୍ୟରେ ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି ‘ହର ଘର ଦସ୍ତକ-୨.୦’ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନରେ କିଏ ପ୍ରଥମ, ଦ୍ବିତୀୟ, ପ୍ରିକସନ୍ କିମ୍ବା କିଏ ଟିକା ନେଇ ନାହାନ୍ତି ତାହା ଚିହ୍ନଟ କରାଯାଇ ମୋବାଇଲ ଭ୍ୟାନ୍ ଜରିଆରେ ଘର ଘର ବୁଲି ଟିକା ଦିଆଯାଉଛି। ଚଳିତମାସ ପହିଲାରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ବର୍ତମାନସୁଦ୍ଧା ୧ଲକ୍ଷ ୪୬ହଜାର ୩୩୪ଜଣଙ୍କୁ ଟିକା ଦିଆଯାଇଥିବା ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟରେ ଆଜି ୩୬,୨୨୩ଜଣଙ୍କୁ କରୋନା ଟିକା ଦିଆଯାଇଛି। ରାଜ୍ୟରେ ଏବେ ସୁଦ୍ଧା ୧୮ବର୍ଷରୁ ଅଧିକ ୭୬,୩୫୨ଜଣ ଘରୋଇ ହସ୍ପିଟାଲରେ ନିଜର ପ୍ରିକସନ୍ ଡୋଜ୍ ନେଇଛନ୍ତି। ମୋଟ ଟିକାକରଣ ୬,୮୦,୧୯,୪୯୩ ଛୁଇଁଛି। ଆସନ୍ତାକାଲି ରାଜ୍ୟରେ ୨୩୪୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର