ଗିନିଜ୍‌ ବୁକ୍ ରେକର୍ଡ ପାଇଁ ଏକା ସାଙ୍ଗରେ ୫୦ ହଜାର କଳାକାର କରିବେ କୀର୍ତ୍ତନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ବିଷ୍ଣୁପୁର ବାଦପୁର ମଠରେ ପଶ୍ଚିମ ଓଡ଼ିଶା ସଂକୀର୍ତ୍ତନ ପରିଷଦର ଏକ ବୈଠକ ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ କରମଚାନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡ଼ିଶା ସଂକୀର୍ତ୍ତନ ପରିଷଦ ସଭାପତି ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର ଯୋଗ ଦେଇଥିଲେ। ସାରା ବିଶ୍ବରେ ଯାହା କୌଣସି ସଂକୀର୍ତ୍ତନ ଦଳ କରିନାହାନ୍ତି ତାହା ପଶ୍ଚିମ ଓଡ଼ିଶା ସଂକୀର୍ତ୍ତନ ପରିଷଦ କରିବାକୁ ଯାଉଛି। ଗିନିଜ୍‌ ବୁକ୍ ରେକର୍ଡ ପାଇଁ ଏକା ସାଙ୍ଗରେ ୫୦ ହଜାର କଳାକାର କୀର୍ତ୍ତନ ପରିବେଷଣ କରିବେ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସମ୍ପାଦକ ଲୋକନାଥ ମିଶ୍ର, ପ୍ରତିଷ୍ଠା ସଭାପତି ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲ, ବରିଷ୍ଠ ଉପଦେଷ୍ଟା ପ୍ରମୋଦ ପୂର୍ଣ୍ଣାନନ୍ଦ ଦାସ, ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ତଥା ବରିଷ୍ଠ ସାମ୍ବାଦିକ ଯୁଗଳ ମିଶ୍ର, ବରିଷ୍ଠ ସଂକୀର୍ତ୍ତନ ଗୁରୁ ରସାନନ୍ଦ ସେଠୀ ଓ ବାଦପୁର ମଠର ମଠାଧୀଶ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ସଂଯୋଜକ ସଂକୀର୍ତ୍ତନ ଗୁରୁ ସୁରେନ୍ଦ୍ର ପୁରୋହିତ, ରାଧେଶ୍ୟାମ ସାହୁ, ପର୍ଶୁରାମ ବାରିକ, ସୁବଳ ବେହେରା, ପ୍ୟାରୀମୋହନ ଦେଓ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ସଭା ଶେଷରେ ୩ଟି ସଂକୀର୍ତ୍ତନ ବୀରନରସିଂହପୁର, ରଢିଆପାଲି ଓ ବଡ଼କିରାସିରା ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ବରିଷ୍ଠ ସଂକୀର୍ତ୍ତନ ଗାୟକ ନୃପତି କର୍ଣ୍ଣଙ୍କ ଦ୍ବାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ସଭା ପ୍ରାରମ୍ଭରେ ଉଲୁଣ୍ଡା ବ୍ଲକ୍‌ ସଂଯୋଜକ ଗୁରୁ ରଞ୍ଜନ ପ୍ରଧାନ ସଭାର ଉଦ୍ଦେଶ୍ୟଜ୍ଞାପନ କରିଥିଲେ। ଶେଷରେ ରାଧେଶ୍ୟାମ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର