ସୁନ୍ଦରଗଡ଼: ବେଦବ୍ୟାସ-ଘୋଘର ଧାମ୍‌ରେ ୫୦ ହଜାର କାଉଡ଼ିଆ!

ସୁଖା ମହାଦେବ, ବାବା ବାଣେଶ୍ବର, ବେଲସରାଗଡ଼, ମେଢ଼େଶ୍ବର ଶୈବପୀଠରେ ଭିଡ଼

ରାଉରକେଲା: ଜିଲ୍ଲାରେ ଥିବା ବିଭିନ୍ନ ଶିବାଳୟରେ ଆଜି କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଥମ ଓ ଦ୍ବିତୀୟ ସୋମବାର ଅପେକ୍ଷା ଆଜି ତୃତୀୟ ସୋମବାର ପାଇଁ, ଶୈବ ପୀଠଗୁଡ଼ିକରେ ଭିଡ଼ ପ୍ରାୟ ତିନିଗୁଣ ଅଧିକ ରହିଛି। ସୁପ୍ରସିଦ୍ଧ ବେଦବ୍ୟାସ ଶୈବପୀଠରୁ ଆରମ୍ଭକରି ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଘୋଘର ଧାମ, ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ସୁଖା ମହାଦେବ, ଲେଫ୍ରିପଡ଼ାର ବେଲସରାଗଡ଼ ଓ ମେଢ଼େଶ୍ବର ଶୀବ ପୀଠ, ବଣାଇଁ ବ୍ଲକ ଅନ୍ତର୍ଗତ ବାବା ବାଣେଶ୍ବର ଶୈବ ପୀଠ ପର୍ଯ୍ୟନ୍ତ; ସବୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ମାତ୍ରାଧିକ ରହିଛି।

ତୃତୀୟ ସୋମବାରରେ ଜଳାଭିଷେକ କରିବାକୁ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ବେଦବ୍ୟାସ ଶୈବ ପୀଠରେ ଭିଡ଼ ସର୍ବାଧିକ ରହିଥିଲା। ଆଜି ସକାଳୁ ବେଦବ୍ୟାସରେ କାଉଡ଼ିଆଙ୍କ ଆଗମନ ଦେଖିବାକୁ ମିଳିଥିଲା। ତେବେ ମଧ୍ୟାହ୍ନ ପ୍ରାୟ ୨ଟାରୁ କିନ୍ତୁ ଏହା ବେଗ ଧରିଥିଲା; ଯାହାକି ବିଳମ୍ବିତ ରାତି ଯାଏଁ ଲାଗିରହିଥିଲା। କାଉଡ଼ିଆମାନେ ଏଠାରେ ଥିବା ତ୍ରିବେଣୀ ସଙ୍ଗମରୁ ଜଳ ଉଠାଇଥିଲେ। ତୃତୀୟ ସୋମବାରରେ ବିଭିନ୍ନ ଶୈବପୀଠରେ ଜଳାଭି‌ଷେକ ପାଇଁ ଆଜି କେବଳ ବେଦବ୍ୟାସ ପୀଠରେ ପାଖାପାଖି ୪୦/୫୦ ହଜାର କାଉଡ଼ିଆ ଆସିଥିବା ବେଦବ୍ୟାସ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ବୋଲ୍‌ବମ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିଲା। ଫଳରେ ଶ୍ରଦ୍ଧାଳୁମାନେ ବୋଲବମ ଯାତ୍ରା କରିବାରୁ ବଞ୍ଚିତ ରହିଥିଲେ। ତେବେ ଦୁଇ ବର୍ଷର ବ୍ୟବଧାନପରେ ପୁନର୍ବାର ଏହି ସୁଯୋଗ ମିଳିଥିବାରୁ ଏଥର ଉତ୍ସାହ ଉଦ୍ଦୀପନାର ସହ ବୋଲବମ ଯାତ୍ରାରେ ସାମିଲ ହୋଇଛନ୍ତି।

ପ୍ରଥମ ସୋମବାରରେ ବେଦବ୍ୟାସ ପୀଠରେ ପ୍ରାୟ ୧୦ ହଜାର କାଉଡ଼ିଆଙ୍କ ଉପସ୍ଥିତି ଦେଖିବାକୁ ମିଳିଥିବାବେଳେ ଦ୍ବିତୀୟ ସୋମବାରରେ ସଂଖ୍ୟା ୩୦ ହଜାରରେ ପହଞ୍ଚିଥିଲା। ବେଦବ୍ୟାସରୁ କାଉଡ଼ିଆ କେବଳ ପାଣି ଉଠାଇନଥିଲେ; ବରଂ ଏଠାରେ ଜଳାଭିଷେକ ମଧ୍ୟ କରିଥିଲେ। ଭୋର୍‌ ପ୍ରାୟ ସାଢ଼େ ୩ଟାରୁ ଏଠାରେ ଜଳାଭିଷେକ କରିଥିଲେ। କାଉଡ଼ିଆଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଇଛି। ଆଇନ ଶୃଙ୍ଖଳା ପାଇଁ ୧୯ ପ୍ଲାଟୁନ ଫୋର୍ସ‌୍ ମୁତୟନ ହୋଇଛନ୍ତି। ଏହାସହ ଜଣେ ଡିଏସ୍‌ପି ରୢାଙ୍କ୍‌ର ଅଧିକାରୀଙ୍କ ସମେତ ଇନ୍ସପେକ୍ଟର, ୧୫ ଜଣ ସବନ୍ସପେକ୍ଟର, ୧୯ ଜଣ ଏଏସ୍‌ଆଇ, କନଷ୍ଟେବଲ, ହାବିଲଦାର ନିୟୋଜିତ ଅଛନ୍ତି। ତ୍ରିବେଣୀ ସଙ୍ଗମରୁ ସୁରକ୍ଷିତ ଜଳ ଉଠାଣ ପାଇଁ ବ୍ୟାପକ ବ୍ୟାରିକେଡିଂ କରାଯାଇଛି। ଏତଦ୍‌ବ୍ୟତୀତ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ କର୍ମଚାରୀ, ସିଭିଲ ଡିଭେନ୍ସ ସ୍ବେଚ୍ଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି।

କାଉଡ଼ିଆମାନେ ବେଦବ୍ୟାସରୁ ଜଳ ଉଠାଇ, ପାଣି ଭାର ନେଇ ବିଭିନ୍ନ ଶୀବ ମନ୍ଦିର ଅଭିମୁଖେ ବାହାରିଥିଲେ। ସୁପ୍ରସିଦ୍ଧ ମନ୍ଦିରା ଡ୍ୟାମ, ଝୁନ ଝୁନ ଧାମ୍‌, ତରକେରା ଶିବ ମନ୍ଦିର, ଝାଡ଼ଖଣ୍ଡର ମହାଦେବଶାଳ, ସୁଖା ମହାଦେବ(ବାଲିଶଙ୍କରା), ବେଲସରାଗଡ଼ ଓ ମେଢ଼େଶ୍ବର(ଲେଫ୍ରିପଡ଼ା), ବାବା ବାଣେଶ୍ବର(ବଣାଇଁଗଡ଼), ଘୋଘର(ରାଜଗାଙ୍ଗପୁର) ଆଦି ଶିବମନ୍ଦିରକୁ ଯାଇଥିଲେ। ଏମିତିକି ବେଦବ୍ୟାସ ତ୍ରିବେଣୀ ସଙ୍ଗମରୁ ପାଣି ଭାର ନେଇ ନିଜ ନିଜ ଅଞ୍ଚଳରେ ଥିବା ଛୋଟବଡ଼ ଶିବ ମନ୍ଦିରରେ ଜଳାଭିଷେକ ପାଇଁ ବାହାରିଥିଲେ। ଭୋର୍‌ ସମୟରୁ ରୀତିନୀତି ଅନୁଯାୟୀ ଜଳାଭିଷେକ କରିଥିଲେ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଘୋଘର ଧାମ୍‌ କାଉଡ଼ିଆଙ୍କ ଭିଡ଼ ଜମିଥିଲା। ଏଠାରେ ପାଖାପାଖି ୪୦ ହଜାର କାଉଡ଼ିଆ ଜଳାଭିଷେକ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତ ସମେତ ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ କାଉଡ଼ିଆମାନେ ଆସିଥିଲେ। ଶ୍ରଦ୍ଧାଳୁମାନେ ଚାଲିଚାଲି ପାଣି ଭାର ନେଇ ଆସିଥିବାବେଳେ ବହୁସଂଖ୍ୟକ ଶ୍ରଦ୍ଧାଳୁ କାର୍‌, ବାଇକ୍‌, ବସ୍‌, ଅଟୋରେ ଆସିଥିଲେ।

ସମ୍ବନ୍ଧିତ ଖବର