୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା: ବିଜୟ ମିଶ୍ର

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି। ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଶନିବାର ସନ୍ଧ୍ୟା ସୁଦ୍ଧା ୩୦ଟି ଗେଟ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛି। ହୀରାକୁଦ ଡ୍ୟାମ୍‌କୁ ୪ ଲକ୍ଷ ୬୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ‌ଅପରପକ୍ଷେ ପ୍ରାୟ ୫ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ଏହି ସୂଚନା‌ ଦେଇଛନ୍ତି। ହୀରାକୁଦରେ ଜଳସ୍ତର ବର୍ତ୍ତମାନ ୬୧୭ ଫୁଠ ରହିଛି । ଏହାକୁ ୬୧୬ କରିବା ଲାଗି ଚେଷ୍ଟା କରାଯିବ । ଅଗଷ୍ଟ ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଶ୍ରୀ ମିଶ୍ର କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଛି । ୫ରୁ ୬ ଘଣ୍ଟା ପରେ ଆଖୁଆପଦାଠାରେ ମଧ୍ୟ ଜଳସ୍ତର କମିବା ଆରମ୍ଭ କରିବ । ଆଜି ଅପରାହ୍ନ ୪ଟା ବେଳେ ଆଖୁଆପଦାଠାରେ ଜଳସ୍ତର ୧୮.୦୨ ମିଟର ଥିଲା ଥିଲା । ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି । ବର୍ତ୍ତମାନ ଜଳକାର ଜଳସ୍ତର ୬.୨ ମିଟର ରହିଛି । ଛତିଶଗଡ଼ରେ ବର୍ଷା ହେବ ବୋଲି ଆଇଏମଡି ସୂଚନା ଦେଇଛି ।

ସେହିପରି ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନ ବର୍ଷା ହେବ ବୋଲି ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟମ ଜଳଭଣ୍ଡାର ଖାଲି କରିବା ଲାଗି ବ୍ୟବସ୍ଥା କରାଯାଉଛି । ୮୦ ପ୍ରତିଶତ କିମ୍ବା ଅଧିକ ଜଳ ଥିବା ଜଳଭଣ୍ଡାର ନିଷ୍କାସନ କରି ୭୫ ପ୍ରତିଶତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୌଣସି ସ୍ଥାନରେ ଘାଇ ସୃଷ୍ଟି ହେବାର ଖବର ଆସିନାହିଁ । ୭ଟି ଜିଲ୍ଲା ଲାଗି ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି । ଆସନ୍ତାକାଲି ଦାୟିତ୍ବ ନେଇ ସେମାନେ ସ୍ଥିତି ତଦାରଖ କରିବେ । ଜିଲ୍ଲାସ୍ତରର ଅଧିକାରୀଙ୍କ ସହିତ ସମନ୍ୱୟ ରଖି କାର୍ଯ୍ୟ କରିବେ । ଆବଶ୍ୟକ ପଡ଼ିଲେ  ଜିଲ୍ଲାସ୍ତରର ଅଧିକାରୀମାନେ ଲୋକ ପ୍ରତିନିଧିଙ୍କ ସହଯୋଗ ନେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର