ବିକଟ ହେଉଛି ସ୍ଥିତି: ୬୪ ପ୍ରତିଶତ ମହିଳା ଏବଂ ଶିଶୁଙ୍କ ମଧ୍ୟରେ ରହିଛି ରକ୍ତହୀନତା

କାମକୁ ଆସୁଛି ତ ଆଇରନ ବଟିକା? କମିବା ବଦଳରେ ବଢୁଛି

ଭୁବନେଶ୍ୱର : ଓଡ଼ିଶାର ମହିଳା ଏବଂ ଶିଶୁଙ୍କ ମଧ୍ୟରେ ବିକଟ ରୂପ ନେଇଛି ରକ୍ତହୀନତା। ରାଜ୍ୟରେ ଗର୍ଭବତୀଙ୍କୁ ଆଇରନ ବଟିକା ବିତରଣରେ ଓଡ଼ିଶା ପ୍ରଶଂସିତ ହେଉଛି।ଅଥଚ ରକ୍ତହୀନତାରେ ଜାତୀୟ ପରିବା ସ୍ବାସ୍ଥ୍ୟ ସର୍ଭେ (ଏନଏଫଏଚଏସ)୨୦୧୫-୧୬ ତୁଳନାରେ ୨୦୨୦-୨୧ର ରିପୋର୍ଟ ନିଦ ହଜାଇଦେବା ଭଳି ଅଟେ। କରୋନା ମହାମାରୀ, ଦାରିଦ୍ର୍ୟ, ଲିଙ୍ଗଗତ ବିଷମତା, ପୋଷଣଯୁକ୍ତ ଖାଦ୍ୟ ଅଭାବ, ଫାଷ୍ଟଫୁଡ ଖାଦ୍ୟକୁ ଗୁରୁତ୍ବ, ସଚେତନତାର ଅଭାବ କାରଣ ଯାହା ମଧ୍ୟ ହେଉ ଶିଶୁ, ଗର୍ଭବତୀ, ୧୫ରୁ ୪୯ ବର୍ଷିୟା ମହିଳା, ୧୫ରୁ ୧୯ ବର୍ଷିୟା ମହିଳା ପ୍ରତ୍ୟେକ ବର୍ଗ ଏହା ବ୍ୟାପକ ଭାବରେ ଦେଖାଯାଇଛି। ମାଲକାନଗିରି, କଳାହାଣ୍ଡି କି କୋରାପୁଟ ନୁହେଁ ଖୋର୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ସବୁଠି ଏହା ବଢୁଛି। ଏଥିପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ରାଜ୍ୟ ସ୍ବାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ପଦସ୍ଥ ଅଧିକାରୀଙ୍କୁ ନେଇ ଟାସ୍କ ଫୋର୍ସ ଗଠନ ସହିତ ରକ୍ତହୀନତା ହ୍ରାସ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଉଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନଏଫଏଚଏସ) ଅନୁସାରେ, ରାଜ୍ୟରେ ୬- ୫୯ ମାସର ଶିଶୁଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାର ସର୍ବାଧିକ ୭୮.୭ ପ୍ରତିଶତ, ବାଲେଶ୍ବର ଜିଲ୍ଲାର ସର୍ବନିମ୍ନ ୪୩.୨ ପ୍ରତିଶତ, ୧୫ରୁ ୪୯ ବର୍ଷିୟା ମହିଳାଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୭୫.୮ ପ୍ରତିଶତ, କନ୍ଧମାଳରେ ସର୍ବନିମ୍ନ ୪୮.୮ ପ୍ରତିଶତ, ଗର୍ଭବତୀଙ୍କ ମଧ୍ୟରେ ଗଜପତିରେ ସର୍ବାଧିକ ୭୭.୪ ପ୍ରତିଶତ, ବୌଦ୍ଧରେ ସର୍ବନିମ୍ନ ୪୦ ପ୍ରତିଶତ, ୧୫ରୁ ୪୯ ବର୍ଷିୟ ସବୁ ମହିଳାଙ୍କ ମଧ୍ୟରେ ଅନୁଗୁଳରେ ସର୍ବାଧିକ ୭୫.୮ ପ୍ରତିଶତ, ବୌଦ୍ଧରେ ସର୍ବନିମ୍ନ ୫୪ ପ୍ରତିଶତ, ୧୫ରୁ ୧୯ ବର୍ଷିୟାଙ୍କ ମଧ୍ୟରେ ଅନୁଗୁଳରେ ସର୍ବାଧିକ ୮୫.୭ ପ୍ରତିଶତ, କନ୍ଧମାଳରେ ସର୍ବନିମ୍ନ ୪୮.୮ ପ୍ରତିଶତଙ୍କ ମଧ୍ୟରେ ରକ୍ତହୀନତା ଚିହ୍ନଟ ହୋଇଛି। ବ୍ୟାପକ ପରୀକ୍ଷଣ ବିନା ଏହି ରିପୋର୍ଟ ଆସିଛି। ପରୀକ୍ଷଣ ହେଲେ ସ୍ଥିତି କଣ ହେବ ସହଜରେ ଅନୁମାନ କରାଯାଇପାରେ। ରକ୍ତହୀନତା ବିଭିନ୍ନ ପ୍ରକାରର ରହିଛି। ଆଇରନ ଅଭାବ ଜନୀତ ରକ୍ତହୀନତା ଓଡ଼ିଶାରେ ସର୍ବାଧିକ ରହିଛି। ଏଥିଯୋଗୁଁ ମାତୃ ଏବଂ ଶିଶୁ ମୃତ୍ୟୁ ହାର ବୃଦ୍ଧି ପାଉଛି, ସୁସ୍ଥ ଶିଶୁ ଜନ୍ମ ଏବଂ ଅଭିବୃଦ୍ଧି ମଧ୍ୟ ପ୍ରଭାବିତ ହେଉଛି। ସିକଲିନ ଏବଂ ଥାଲାସେମିୟା ରୋଗୀଙ୍କ ଯୋଗୁଁ ମଧ୍ୟ ରକ୍ତହୀନତା ବଢୁଛି।

Daily Express

ରକ୍ତହୀନତା ବୃଦ୍ଧିର ବିକଟ ସ୍ଥିତି ନେଇ ମହିଳା ଏବଂ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ କହିଛନ୍ତି, ଆଇରନ ବଟିକା ମହିଳାମାନେ ଆଙ୍ଗନବାଡି ଏବଂ ଆଶା କର୍ମୀଙ୍କ ଠାରୁ ନେଉଥିଲେ ମଧ୍ୟ ଏହାକୁ ଗ୍ରହଣ କରୁନଥିବା ଅନୁମାନ କରାଯାଉଛି। ଏଥିଯୋଗୁଁ ଏହାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ଉପରେ ଗୁରୁତ୍ବ ଦିଆଯାଉଛି। ରକ୍ତହୀନତା ସହିତ ଏକ ଦୁର୍ବଳ ମହିଳା ଏବଂ ଶିଶୁଙ୍କୁ ନେଇ ଦୁର୍ବଳ ସମାଜର ଭିତ୍ତିଭୂମି ପଡ଼ିସାରିଛି। ଯାହା ରାଜ୍ୟ ପାଇଁ ବଡ଼ ସମସ୍ୟା ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କିଶୋରୀଙ୍କ ମଧ୍ୟରେ ହିମୋଗ୍ଲୋବିନ ପରୀକ୍ଷଣ ଏବଂ କିଶୋରୀ ମେଳା ଆୟୋଜନ ହେବ। ରାଜ୍ୟରେ ୨୪ ଲକ୍ଷ କିଶୋରୀଙ୍କୁ ଏହି ପ୍ରକ୍ରିୟାରେ ଅଣାଯିବ। ଛୁଆମାନଙ୍କ ପାଇଁ ଆଶା କର୍ମୀ ଆଇଏଫଏ ବଟିକା ଦେଇଥାଆନ୍ତି। ମା ମାନେ ଏହା ଫିଙ୍ଗି ନଦେଇ କିଭଳି ଶିଶୁଙ୍କୁ ଖୁଆଇବେ ଏହାର ଦାୟିତ୍ବ ଆଶାଙ୍କ ରହିବ। ମୋ ଉପକାରୀ ବଗିଚା ଯୋଜନା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟକାରୀ ହୋଇଛି। ଏଥି ଅନ୍ତର୍ଗତରେ ସଜନା ଗଛ ଭଳି ବିଭିନ୍ନ ପ୍ରକାର ପୋଷଣଯୁକ୍ତ ଗଛ ଅଙ୍ଗନବାଡି କେନ୍ଦ୍ରରେ ଲଗାଯାଉଛି। ରକ୍ତହୀନତା ଏବଂ ଅପପୁଷ୍ଟି ଶିକାର ପରିବାରଙ୍କ ଘରେ ଏଭଳି ବଗିଚା କିଭଳି କରାଯାଇ ପାରିବ ଏଥିପାଇଁ ଓଏଲଏମମାନଙ୍କୁ ଦାୟିତ୍ବ ଦିଆଯାଇଛି।

ବିଶେଷଜ୍ଞଙ୍କ ଅନୁସାରେ, କରୋନା ସମୟରେ ରକ୍ତହୀନତା ସର୍ଭେ ହୋଇଥିବାରୁ ସମ୍ଭବତଃ ଓଡ଼ିଶାର ସ୍ଥିତି ଏତେ ଚିନ୍ତାଜନକ ହୋଇଛି। ବର୍ତ୍ତମାନ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ଥିବାରୁ ପୋଷଣ ଯୁକ୍ତ ଖାଦ୍ୟ ଘରକୁ ଯାଉଛି। ଯାହା କେବଳ ଶିଶୁ ଏବଂ ମହିଳାଙ୍କ ମଧ୍ୟରେ ସୀମିତ ନରହି ସମ୍ପୂର୍ଣ୍ଣ ପରିବାର ମଧ୍ୟକେ ବିଭାଜିତ ହୋଇଥିଲା। ଏହି ରିପୋର୍ଟ ସହିତ ମହାମାରୀରେ ଲୋକଙ୍କ ଅବସ୍ଥାର ଚିତ୍ର ମଧ୍ୟ ଦର୍ଶାଉଛି। ଚଳିତ ବର୍ଷ ନୁହେଁ, ରାଜ୍ୟରେ ରକ୍ତହୀନତା ସର୍ବଦା ଚିନ୍ତାଜନକ ସମସ୍ୟା ଅଟେ। ଘରେ ମହିଳାଟିଏ ଶେଷରେ ବଳକା ଖାଦ୍ୟ ଖାଇବା, ମାଛ, ମାଂସ, ଅଣ୍ଡା, କ୍ଷୀର ଆଦିରେ ସେମାନଙ୍କୁ ପ୍ରାୟତଃ ଭାଗ ନମିଳିବା, ପଖାଳ ଖାଇ ପେଟ ପୁରାଇବା ଆଦି ଏହାର କାରଣ ଅଟେ। ସରକାରଙ୍କ ପକ୍ଷରୁ ଯାହା କରାଗଲେ ମଧ୍ୟ ସମାଜ ମହିଳା ସପକ୍ଷବାଦୀ ନହେଲେ ଏହି ସମସ୍ୟାର ମୁକାବିଲା ହୋଇ ପାରିବ ନାହିଁ।

ସମ୍ବନ୍ଧିତ ଖବର