ରାଜ୍ୟର ୧୨ ଲକ୍ଷ ୮୦ହଜାର ମାମଲା ବିଚାରାଧୀନ

କଟକ : କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସାରା ଦେଶରେ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ସମସ୍ତ ରାଜ୍ୟରେ ଅଦାଲତି କାର୍ଯ୍ୟ ପ୍ରଭାବିତ ହୋଇଛି। ଲକ୍‌ଡାଉନ ଯୋଗୁଁ ଏବେ ସାରା ରାଜ୍ୟରେ ଅଦାଲତରେ ସ୍ବାଭାବିକ କାର୍ଯ୍ୟ ସ୍ଥଗିତ (ସସ୍‌ପେଣ୍ଡ) କରାଯାଇଥିବା ବେଳେ ରେଡ୍ ‌ଜୋନ୍‌ରେ ଅତି ଜରୁରୀ ମାମଲା ଶୁଣାଣି ଲାଗି ଏକ ଘଣ୍ଟା ପାଇଁ ଅଦାଲତ ଓ ଏହାର କାର୍ଯ୍ୟାଳୟ କାର୍ଯ୍ୟ କରୁଛି। ସେହିଭଳି ଭାବେ ଅରେଞ୍ଜ ଜୋନ୍‌ରେ ଦୁଇ ଘଣ୍ଟା ଓ ଗ୍ରିନ୍ ଜୋନରେ ଲଞ୍ଚ୍ ବ୍ରେକ୍ ପର୍ଯ୍ୟନ୍ତ ପ୍ରାୟ ଅଢେଇ ଘଣ୍ଟା ଅଦାଲତ କାର୍ଯ୍ୟ ହେଉଛି। ଅନ୍ୟପକ୍ଷରେ ଅଦାଲତରେ ସ୍ବାଭାବିକ କାର୍ଯ୍ୟ ହୋଇ ପାରୁ ନଥିବାରୁ ରାଜ୍ୟରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ନାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୦ ଆରମ୍ଭରେ ସାରା ରାଜ୍ୟରେ ପ୍ରାୟ ୧୨ ଲକ୍ଷ ସାଢେ ୩୪ ହଜାରରୁ କମ୍ ମାମଲା ବିଚାରାଧୀନ ଥିବା ବେଳେ ୨୦୨୦, ମେ୬ ତାରିଖ ସୁଦ୍ଧା ବିଚାରାଧୀନ ମାମଲା ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୭୧୮‌ ରହିଛି। ରାଜ୍ୟରେ ଏବେ ବିଭିନ୍ନ ଅଦାଲତରେ ୨ ଲକ୍ଷ ୬୩ ହଜାର ୭୬ଟି ସିଭିଲ କେସ୍ ଓ ୧୦ ଲକ୍ଷ ୧୬ହଜାର ୬୪୨ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି। ବିଚାରାଧୀନ ମାମଲା ମଧ୍ୟରୁ ରାଜ୍ୟରେ ୧ ହଜାର ୫୧୭ଟି ଏପରି ସିଭିଲ ମାମଲା ଅଛି ଯାହା ୩୦ ବର୍ଷ ବା ତାଠାରୁ ପରୁଣା ବୋଲି ସୂଚନା ମିଳିଛି। ସେହିଭଳି ୩ ହଜାର ୩୯ଟି ୩୦ ବର୍ଷ ବା ତାଠାରୁ ପରୁଣା ଅପରାଧିକ ମାମଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ବିଚାରାଧୀନ ଅବସ୍ଥାରେ ରହିଛି। ଏଭଳି ଭାବେ ୩୦ ବର୍ଷରୁ ଅଧିକ ପୁରୁଣା ମୋଟ ‌୪ ହଜାର ୫୫୬ଟି ମାମଲା ଏବେ ବିଚରାଧୀନ ରହିଛି। ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୩୦,୧୩୭ଟି ବିଚାରାଧୀନ ମାମଲା ରହିଛି। ଏଥି ମଧ୍ୟରେ ୩ ,୬୨୪ଟି ସିଭିଲ ଓ ୨୬,୫୧୩ଟି କ୍ରିମିନାଲ ମାମଲା ଅନ୍ତର୍ଭୁକ୍ତ। ୧୦ରୁ ୨୦ ବର୍ଷ ପୁରୁଣା ୧ ଲକ୍ଷ ୬୪ ହଜାର ୩୩୬ଟି ବିଚାରାଧୀନ ମାମଲା ବିଭିନ୍ନ ଅଦାଲତରେ ପଡ଼ି ରହିଛି। ଏଥି ମଧ୍ୟରେ ୨୦ ହଜାର ୪୬୩ଟି ସିଭିଲ ଓ ୧ ଲକ୍ଷ ୪୩ ହଜାର ୮୭୩ଟି କ୍ରିମିନାଲ ମାମଲା ରହିଛି। ସେହିଭଳି ଭାବେ ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୨ ଲକ୍ଷ ୫୬ ହଜାର ୩୩୫। ୩ରୁ ୫ ବର୍ଷ ପୁରୁଣା ୨ ଲକ୍ଷ ୫ ହଜାର ୮୬୨ ମାମଲା ଓ ୧ ବର୍ଷରୁ ୩ ବର୍ଷ ପୁରୁଣା ୩ ଲକ୍ଷ ୫୧ ହଜାର ୨୫୩ ମାମଲା ଏବେ ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି।

ବିଚାରାଧୀନ ମାମଲା ପ୍ରସଂଗରେ ସବୁଠାରୁ ଆଗରେ ରହିଥିବା ‌ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଦାଲତରେ ୧ ଲକ୍ଷ ୪୪ ହଜାର ୫୯୧ଟି ମାମଲା ବିଚାରାଧୀନ ରହିଛି। ଖୋର୍ଦ୍ଧା ତଳକୁ ରହିଥିବା କଟକ ଜିଲ୍ଲାରେ ଏବେ ୧ ଲକ୍ଷ ୧୨ ହଜାର ୭୯୦ଟି ମାମଲା ଓ ତୃତୀୟ ସ୍ଥାନରେ ଥିବା ବାଲେଶ୍ବର ଜିଲ୍ଲାରେ ୯୯ ହଜାର ୧୫୯ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଗଜପତି ଜିଲ୍ଲାରେ ସବୁଠାରୁ କମ୍ ୬ ହଜାର ୭୬୭ଟି ମାମଲା ବିଚାରାଧୀନ ରହିଛି। ସେହିଭଳି ଭାବେ ଅନୁଗୁଳରେ ୫୦୯୬୨, ବଲାଙ୍ଗୀରରେ ୩୭୪୧୨, ବରଗଡ଼ରେ ୩୭୮୫୧, ଭଦ୍ରକରେ ୭୫୭୧୬, ବୌଦ୍ଧରେ ୧୧୭୬୩, ଦେବଗଡ଼ରେ ୭୮୦୦, ଢେଙ୍କାନାଳରେ ୩୦୨୧୭, ଗଞ୍ଜାମରେ ୫୬୭୧୭, ଜଗତସିଂହପୁରରେ ୩୪୮୫୯, ଯାଜପୁରରେ ୪୭୮୭୪, ଝାରସୁଗୁଡାରେ ୨୯୩୭୦, କଳାହାଣ୍ଡିରେ ୨୯୨୩୮, କନ୍ଧମାଳରେ ୧୪୦୭୦, କେନ୍ଦ୍ରାପଡାରେ ୨୯୧୬୬, କେନ୍ଦୁଝରରେ ୪୪୮୪୫, କୋରାପୁଟରେ ୨୮୮୬୩, ମାଲକାନଗିରିରେ ୭୩୮୯, ମୟୂରଭଞ୍ଜରେ ୫୩୮୧୦, ନବରଙ୍ଗପୁରରେ ୨୧୫୩୧, ନୟାଗଡରେ ୧୯୪୮୮, ନୂଆପଡ଼ାରେ ୯୮୧୪, ପୁରୀରେ ୬୩୧୧୦, ରାୟଗଡାରେ ୧୪୬୧୫, ସମ୍ବଲପୁରରେ ୬୯୫୨୮, ସୋନପୁରରେ ୧୦୩୦୧, ସୁନ୍ଦରଗଡ଼ରେ ୮୦୧୦୨ଟି ମାମଲା ବିଚାରାଧୀନ ରହିଛି। ପ୍ରାୟ ସବୁ ଜିଲ୍ଲାରେ ଦେୱାନୀ ମାମଲା ସଂଖ୍ୟା ତୁଳନାରେ ଅପରାଧିକ ମାମଲା ସଂଖ୍ୟା ବୃଦ୍ଧି ପାଇଥିବା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର