କାଲିମେଳା : ପୋଖରୀରେ ଫୋପଡ଼ା ଯାଇଥିଲା ଦୁଇ ହଜାରରୁ ଊର୍ଧ୍ବ ଡିଟୋନେଟର। ଆଜି ସଫେଇ ବେଳେ ଶ୍ରମିକମାନଙ୍କ ହାତରେ ଲାଗିଥିଲା ବସ୍ତା ବସ୍ତା ବିସ୍ଫୋରକ। ତାଜୁବ ହୋଇ ଯାଇଥିଲେ। ପରେ ବିଏସଏଫ ଯବାନ ପହଞ୍ଚି ଜବତ କରିବା ପରେ ପୁଲିସ ଉପସ୍ଥିତିରେ ତାହାକୁ ନିଷ୍କ୍ରିୟ କରାଯାଇଛି। ତେବେ କିଏ ଓ କାହିଁକି ଏତେ ପରିମାଣରେ ବିସ୍ଫୋରକ ସାମଗ୍ରୀ ପୋଖରୀରେ ଫୋପାଡ଼ିଲା ସ୍ପଷ୍ଟ ହୋଇପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

publive-image

କାଲିମେଳା ସ୍ଥିତ ମାଛ ଯାଁଳ ଉତ୍ପାଦନ କେନ୍ଦ୍ରର ନିଜସ୍ବ ପୋଖରୀ ଏଠାରେ ରହିଛି। ତେବେ ଦୀର୍ଘ ଦିନ ହେଲା ଏହାର ପୁନଃଉଦ୍ଧାର ହୋଇପାରି ନଥିଲା। ତେଣୁ ଧୀରେ ଧୀରେ ଏହି ପୋଖରୀ ଶୁଖିବାରେ ଲାଗିଥିଲା। ଚଳିତ ବର୍ଷ ଏହାର ସଫେଇ କରି ଯାଁଳ ଛାଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଆଜି ବିଭାଗ ପକ୍ଷରୁ ପୋଖରୀ ସଫେଇ ଚାଲିଥିଲା। ଉତ୍ତମ ବିଶ୍ବାସ ନାମକ ଜଣେ ଶ୍ରମିକ ସଫେଇ ସମୟରେ ଗୋଟିଏ ଧଳା ଜରି ବାସ୍ତା ବାହାରିଥିଲା। ସେହିପରି ଅନ୍ୟ ୩ଟି ସ୍ଥାନରେ ୨ଶହରୁ ଊର୍ଧ୍ବ ଡିଟୋନେଟର ଖୋଲାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେଣୁ ଉକ୍ତ ଜରି ବସ୍ତାରେ ବି କିଛି ବିସ୍ଫୋରକ ସାମଗ୍ରୀ ରହିଥିବା ନେଇ ସନ୍ଦେହ ହୋଇଥିଲା। ଏହାପରେ ଶ୍ରମିକ ଜଣକ ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ସମୀର ଦାଶଙ୍କୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ। ପରବର୍ତୀ ସମୟରେ ସ୍ଥାନୀୟ ପୁଲିସକୁ ଘଟଣା ସଂପର୍କରେ ଅବଗତ କରାଯାଇଥିଲା। ଥାନା ଅଧିକାରୀ ଚନ୍ଦ୍ରଶେଖର ଶବର ଓ ତାଙ୍କ ଟିମ୍ ପହଞ୍ଚି ପ୍ରାଥମିକ ଯାଞ୍ଚ କରି ଏମଭି-୭୯ ସ୍ଥିତ ୧୨୨ବାଟାଲିୟନ ବିଏସଏଫ କ୍ୟାମ୍ପକୁ ସୂଚନା ଦେଇଥିଲା। ବିଏସଏଫର ଡେପୁଟି କମାଣ୍ଡାଣ୍ଟ ବିଜୟ କୁମାର, ଇନସପେକ୍ଟର ଆର.ସି ଯାଦବ ଏବଂ ଏସ. ପାତ୍ରଙ୍କ ସହ ଅନ୍ୟମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଣି ଏମଭି-୭୯ରୁ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ବାହାରେ ଖୋଲା ହୋଇ ପଡ଼ିଥିବା ଡିଟୋନେଟରଗୁଡ଼ିକ ଜବତ କରି ନେଇ ଯାଇଥିଲେ। କିନ୍ତୁ ବାସ୍ତା ଭିତରେ ଥିବା ଡି‌ଟୋନେଟରକୁ ବାହାରକୁ କାଢ଼ିବା ଦ୍ବାରା ବିସ୍ଫୋରଣ ହେବାର ଆଶଙ୍କା ରହିଥିବାରୁ ସେହି ପୋଖରୀ ଭିତରେ ହିଁ ଗାତ ଖୋଳି ବିସ୍ଫୋରଣ କରି ନିଷ୍କ୍ରିୟ କରାଯାଇଥିବା ସୂଚନା ମିଳିଛି।

ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏତେ ପରିମାଣରେ ଡିଟୋନେଟର ଏଠାକୁ ଆସିଲା କେମିତି? କିଏ କେଉଁ ଉଦ୍ଦେଶ୍ୟରେ ଆଣି ରଖିଥିଲା ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। କୁହାଯାଉଛି ଯେ, ମାଓବାଦୀ ହିଁ ଏହାକୁ କୌଣସି ବ୍ୟକ୍ତିଙ୍କ ଜରିଆରେ ଅଣାଇଥିଲେ। ତେବେ କୌଣସି କାରଣରୁ ଏହାକୁ ନେଇପାରି ନଥିଲେ। ଯାହାଫଳରେ ଉକ୍ତ ବ୍ୟକ୍ତି ଧରାପଡ଼ିବାର ଆଶଙ୍କା କରି ତାହାକୁ ପୋଖରୀରେ ଫୋପାଡ଼ି ଚାଲି ଯାଇଥିଲେ। ସେହିପରି ଆଖପାଖ ଅଞ୍ଚଳରେ ପଥର କୁଆଁରି ରହିଛି। ତେଣୁ ସମ୍ଭବତଃ ପାହାଡ଼କୁ ବିସ୍ଫୋରଣ କରି ପଥର ସଂଗ୍ରହ ପାଇଁ କେହି ଏସବୁ ଡିଟୋନେଟର ଆଣିଥିଲେ। ତେବେ କୌଣସି କାରଣରୁ ତାହାକୁ ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ ଅନୁମାନ କରୁଛି। ଘଟଣାର ତଦନ୍ତ ଚାଲିଥିବା ପୁଲିସ କହିଛି।