ପରିବହନ ବିଭାଗରେ ଅଚଳାବସ୍ଥା : ସ୍ଥାୟୀ କମିସନର ନାହାନ୍ତି; ୮୦ରୁ ଅଧିକ ପଦ ଖାଲି

ରାଜସ୍ବ ଦେଉଛି ୧୪ ଶହ କୋଟି

କଟକ : ସ୍ଥାୟୀ କମିସନର ନାହାନ୍ତି। ୪ ବର୍ଷ ହେବ ଫାଙ୍କା ପଡିଛି ଏନଫୋର୍ସମେଣ୍ଟ ଅଫିସର ପଦ। ଅତିରିକ୍ତ ବୈଷୟିକ କମିଶନର ପଦ ବି ଖାଲି। କେବଳ ଅଫିସର ନୁହନ୍ତି, ସଂସ୍ଥାର ସେକ୍ସନ ଅଫିସର ଏବଂ ୭୦ରୁ ଅଧିକ କନିଷ୍ଠ ସହାୟକ ପଦ ମଧ୍ୟ ଖାଲି ପଡିଛି। ରାଜ୍ୟ ସରକାରଙ୍କ ରାଜସ୍ବ ବୃଦ୍ଧିକାରୀ ବିଭାଗ ଭାବେ ପରିଚିତ ପରିବହନ ବିଭାଗର ଏପରି ସ୍ଥିତି ଦେଖିଲେ ଯେ କେହି ତାଜୁବ ହେବ। ବର୍ଷକୁ ଏହି ସଂସ୍ଥା ୧୪ଶହ କୋଟି ଟଙ୍କାର ରାଜସ୍ବ ଦେଉଥିବା ବେଳେ ଏହି ବିଭାଗରେ ଦୀର୍ଘ ବର୍ଷ ହେବ ବହୁ ଅଫିସର ଏବଂ ଶତାଧିକ କର୍ମଚାରୀ ପଦବି ଖାଲି ପଡିଛି। ଠିକା କର୍ମଚାରୀଙ୍କୁ ନେଇ ବିଭାଗ ଚାଲିଥିବା ବେଳେ ଅଫିସ କାମ ପୂରା ଠପ ହୋଇପଡିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟ ପରିବହନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ କଟକଠାରେ ରହିଛି। ଏହି କାର୍ଯ୍ୟାଳୟ ଅଧୀନରେ ୩୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ବର୍ଷକୁ ପ୍ରାୟ ଚାରି ହଜାର ବସ, ଟ୍ରକକୁ ରାଜ୍ୟ ପରିବହନ ବିଭାଗ ପରମିଟ ପ୍ରଦାନ କରୁଥିବାବେଳେ ରାଜସ୍ବ ବାବଦକୁ ହଜାରେ କୋଟିରୁ ଅଧିକ ଟଙ୍କା ଆଦାୟ କରିଥାଏ। ୨୦୧୬-୧୭ରେ ବିଭାଗ ୧୧ଶହ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୧୭-୧୮ରେ ୧୨ଶହ କୋଟି ଟଙ୍କା ଆଦାୟ କରିଥିଲା। ସେହିପରି ଆର୍ଥିକବର୍ଷ ୨୦୧୮-୨୦୧୯ରେ ୧୪ଶହ କୋଟି ଟଙ୍କା ରାଜସ୍ବ ବାବଦକୁ ଆୟ କରିଥିବାବେଳେ ଆସନ୍ତା ୨୦୧୯-୨୦୨୦ ବର୍ଷ ପାଇଁ ସେହି ଲକ୍ଷ୍ୟ ରହିଛି। ଏହି ମୋଟ ଆୟରୁ ବିଭାଗ ମାତ୍ର ପାଞ୍ଚ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ସୂଚନା ମିଳିଛି। ତେବେ ବିପୁଳ ପରିମାଣର ରାଜସ୍ବ ଆଦାୟ ହେଉଥିଲେ ମଧ୍ୟ ବିଭାଗର ବହୁ ପଦବି ଦୀର୍ଘ ବର୍ଷ ହେବା ଖାଲି ପଡିଛି। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲଙ୍କୁ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କର ନିର୍ବାଚନ କମିଶନ କାର୍ଯ୍ୟାଳୟକୁ ବଦଳି ହୋଇଥିବାବେଳେ ଶ୍ରୀ ସାମଲଙ୍କୁ ଦୁଇ ମାସ ହେବ ଏହି ଦାୟିତ୍ବ ଦିଆଯାଇଛି। ଏଥିସହିତ ଶ୍ରୀ ସାମଲ ସିଏମସିର ପ୍ରଶାସକ ଦାୟିତ୍ବ ମଧ୍ୟ ସମ୍ଭାଳୁଛନ୍ତି। ଫଳରେ ପରିବହନ‌ ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ତ୍ବରାନ୍ବିତ ହେବାରେ ବିଳମ୍ବ ଘଟୁଛି।

୨୦୧୪ରୁ ଏନଫୋର୍ସମେଣ୍ଟ ଅଫିସର ପଦ ଖାଲି ପଡିଛି। ବରିଷ୍ଠ ପ୍ରଶାସକ ବିନୟତୋଷ ମିଶ୍ରଙ୍କର ଏଠାରୁ ବଦଳି ହେବା ପରେ ଏହି ଗୁରୁତ୍ବପୂର୍ଣ୍ଣ ପଦ ଫାଙ୍କା ରହିଛି। ସେହିପରି ଗତବର୍ଷଠାରୁ ଅତିରିକ୍ତ କମିଶନର(ବୈଷୟିକ) ପଦ ଖାଲି ପଡିଛି। ସୁବ୍ରତ ପାଣିଗ୍ରାହୀ ଯିବା ପରେ ଏହି ପଦରେ କାହାରିକୁ ଅବସ୍ଥାପିତ କରାଯାଇ ନାହିଁ। ସଡ଼କ ସୁରକ୍ଷା ପରିବହନ ବିଭାଗର ପ୍ରମୁଖ କାର୍ଯ୍ୟ ହୋଇଥିବାବେଳେ ଅତିରିକ୍ତ କମିଶନର(ବୈଷୟିକ)ଙ୍କ ଅନୁପସ୍ଥିତି ଯୋଗୁ ଏଥିରେ ବି ବାଧା ଉପୁଜୁଛି। କେବଳ ଅଫିସର ନୁହନ୍ତି, ତଳିଆ କର୍ମଚାରୀ ପଦବି ମଧ୍ୟ ବହୁ ସଂଖ୍ୟାରେ ଖାଲିପଡିଛି। ‌ମୋଟ ୮୦ଟି କିରାଣି ପଦ ରହିଥିବା ବେଳେ ଅଛନ୍ତି ମାତ୍ର ୮ ଜଣ। ଦୀର୍ଘ ପାଞ୍ଚ ବର୍ଷ ହେବ ଏ ସବୁ ପଦ ଖାଲି ହୋଇ ଚାଲିଥିବାବେଳେ ତାହା ପୂରଣ ହେଉନାହିଁ। ମାତ୍ର ବାର ଜଣ ପିଅନଙ୍କୁ ନେଇ ରାଜ୍ୟ ପରିବହନ ବିଭାଗ କାର୍ଯ୍ୟ କରୁଛି। ଅପର‌ପ‌େକ୍ଷ ଆଉଟସୋର୍ସିଂ କର୍ମଚାରୀଙ୍କୁ ନେଇ ପରିବହନ ସଂସ୍ଥା କାମଚଳା ଢଙ୍ଗରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ପରିବହନ ବିଭାଗର ଅବସ୍ଥା ଦୟନୀୟ ହୋଇପଡିଛି।

ସମ୍ବନ୍ଧିତ ଖବର