‘ବାହାବଙ୍ଗା’ ପର୍ବରେ ଲକ୍ଷାଧିକ ଶ୍ରଦ୍ଧାଳୁ, ପାରମ୍ପରିକ ନୃତ୍ୟଗୀତରେ ଦୁଲୁକିଲା ଶାଳ ଜଙ୍ଗଲ

ଖୁଣ୍ଟା: ଖୁଣ୍ଟା ବ୍ଲକ୍‌ ଡୁକୁରା ବଜାର ସଂଗଲଗ୍ନ ଶାଳ ଜଙ୍ଗଲରେ ଥିବା ଜାହିରା ଶାଳରେ ଆଦିବାସୀ ସାନ୍ତାଳ ସଂପ୍ରଦାୟର ନିଆର ପର୍ବ ‘ଦିଶମ ଜାହେରା ବାହା ବଙ୍ଗା’ ପର୍ବ ରବିବାର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପ୍ରକୃତିକୁ ପୂଜା କରୁଥିବା ଲୋକମାନେ ଜଙ୍ଗଲକୁ ନିର୍ଭର କରି ଚଳୁଥିବାରୁ ଜଙ୍ଗଲରୁ ନୂତନ ଫୁଲ, ଫଳ ଓ ପତ୍ର ଆଦି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ପୂର୍ବରୁ ଜାହିରା ଶାଳରେ ନିଜର ଇଷ୍ଟ ଦେବାଦେବୀଙ୍କ ନିକଟରେ ପ୍ରଥମେ ଅର୍ପଣ କରିବା ହେଉଛି ଏହି ଉତ୍ସବର ପରମ୍ପରା।

ଏଥିସହ ସମଗ୍ର ମାନବ ଜାତିର କଲ୍ୟାଣ, ଚାଷକାର୍ଯ୍ୟରେ ଆଶାନୁରୂପ ଉତ୍ପାଦନ ଆଦି କାମନା କରି ଜଙ୍ଗଲ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କୁକୁଡା, ଛେଳି ଆଦି ବଳି ଦିଆଯାଇଥିଲା। ଉତ୍ସବ ପ୍ରାରମ୍ଭରେ ଜାହିରା ଶାଳର ମାଝୀ ବାବା ଭୂତାଳ ମୁର୍ମୁ, ସହଯୋଗୀ (ଗଡେତ୍) ସୂର୍ଯ୍ୟାନନ୍ଦ ମୁର୍ମୁଙ୍କୁ ପାରମ୍ପରିକ ନାଚଗୀତ ମଧ୍ୟରେ ପୂଜାସ୍ଥଳୀକୁ ଆମନ୍ତ୍ରଣ କରାଯାଇଥିଲା। ଶ୍ରଦ୍ଧାଳୁମାନେ ପୂଜକଙ୍କ ନିକଟରୁ ଶାଳଗଛର ନୂତନ ଫୁଲ ଗ୍ରହଣ କରିବା ପରେ ମହିଳାମାନେ ଖୋସାରେ ଏବଂ ପୁରୁଷମାନେ କାନରେ ପରସ୍ପରକୁ ଫୁଲ ଲଗାଇଥିଲେ। ଏହାପରେ ପାରମ୍ପରିକ ବେଶଭୂଷା ଓ ବାଦ୍ୟର ତାଳେତାଳେ ଲକ୍ଷାଧିକ ଶ୍ରଦ୍ଧାଳୁ ନାଚଗୀତରେ ମସ୍‌ଗୁଲ ହୋଇପଡିଥିଲେ। ପୂର୍ଣ୍ଣଚନ୍ଦ୍ର ହାଁସଦା, ଶ୍ୟାମସୁନ୍ଦର ମୁର୍ମୁ, ସୁନୀଲ କୁମାର ଟୁଡୁଙ୍କ ସମେତ ଅନ୍ୟ ଶ୍ରଦ୍ଧାଳୁମାନେ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର