ଶ୍ରୀ ଅବସର ବେଉରିଆ କେବଳ ଜଣେ କୂଟନୀତିଜ୍ଞ ନଥିଲେ, ସେ ଥିଲେ, ଏକାଧାରରେ ଜଣେ କଳାପ୍ରେମୀ, ସାହିତ୍ୟପ୍ରେମୀ ଓ ଓଡ଼ିଶାପ୍ରେମୀ ରଚନାତ୍ମକ ବ୍ୟକ୍ତିତ୍ବ। ତାଙ୍କ ସହିତ ଅନେକ ଥର ତାଙ୍କ ବାସଗୃହରେ ଦେଖା ହୋଇଛି। ଦେଶ ବିଦେଶରୁ ସଂଗ୍ରହ କରିଥିବା ତାଙ୍କ କଳାକୃତି ଦେଖିଲେ ମନ ଲାଗିଯାଏ। ଅାଫ୍ରିକାର କାଠକାମ ଠାରୁ ଆରମ୍ଭ କରି ଜାପାନର କଣ୍ଢେଇ, ଏସିଆର ସର୍ବବୃହତ୍ ଫସିଲ୍ କଳାକୃତି, ବେଲ୍ଜିୟମ୍ର କାଚ କାମ ଇତ୍ୟାଦି ଶହ ଶହ କଳାକାମ ଦେଖିଲେ, ତାଙ୍କ କଳା ପ୍ରତି ମମତ୍ବବୋଧ ସ୍ପଷ୍ଟ ଜାଣିହୁଏ। ଏତେ କଳାକୃତି କିପରି ବାଛିଲେ, ବାଛିବା ପରେ ତା’ର ଦୁର୍ମୂଲ୍ୟ ଦାମ ଦେଇ କିଣିଲେ ଓ କିଣିବା ପରେ ତାକୁ ଦେଶ ବିଦେଶରୁ ବୋହି ଓଡ଼ିଶା କିପରି ଆଣିଲେ ବୋଲି ପ୍ରଶ୍ନ କଲାରୁ, ସେ ଉତ୍ତର ଦେଲେ: ‘ମୋତେ କଳାକୃତି ବହୁତ ଭଲ ଲାଗେ ଓ ସେଥିପାଇଁ ଦରକାର ହେଲେ ମୁଁ ନିଜ ବ୍ୟକ୍ତିଗତ ଖର୍ଚ୍ଚରୁ ବଞ୍ଚେଇ ଭଲ କଳାକୃତିଟିଏ କିଣେ ଓ ତାକୁ ବୋହି ବୋହି ଦେଶ ବିଦେଶ ବୁଲୁଥାଏ।’ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସେ କଳାକୁ କେତେ ଭଲ ପାଉଥିଲେ। ତାଙ୍କ ଘରକୁ ଗୋଟିଏ ସଂଗ୍ରହାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅାମ ସମାଜରେ କଳାକାର ମାନଙ୍କର ଅନେକ ଆବଶ୍ୟକତା ଅଛି। କିନ୍ତୁ ତା’ଠାରୁ ଅଧିକା ଆବଶ୍ୟକତା ଅଛି କଳାକୁ ଭଲ ପାଉଥିବା ବ୍ୟକ୍ତିମାନଙ୍କର, ଯେ କଳାକୁ ଠିକ୍ ଭାବରେ ଚିହ୍ନିପାରେ ଓ ତା’ର ମୂଲ୍ୟ ଦେଇପାରେ, ବ୍ୟବସାୟିକ ଭିତ୍ତିରେ ନୁହେଁ, କିନ୍ତୁ ଏକ ବ୍ୟକ୍ତିଗତ ପସନ୍ଦ ହିସାବରେ। କଳା କେବଳ ଧନୀ ଲୋକଙ୍କର ଡ୍ରଇଙ୍ଗ୍ ରୁମ୍ ସଜାଇବା ପାଇଁ ଉଦ୍ଦିଷ୍ଟ ନୁହେଁ କି ହେବା ଉଚିତ ବି ନୁହେଁ। ସର୍ବସାଧାରଣଙ୍କ ରୁଚିକୁ ରୁଦ୍ଧିମନ୍ତ କରିବା କଳାର ମୁଖ୍ୟ ଉଦ୍ଦେଶ୍ୟ।
ସେ କଳାକୁ ପସନ୍ଦ କରିବା ସହିତ ଅନାୟାସରେ ନିଜେ ସଂଗ୍ରହ କରିଥିବା କଳାକୃତିକୁ ଦାନ ବି କରୁଥିଲେ। ତାଙ୍କ ସଂଗୃହୀତ ଫସିଲ ଇତ୍ୟାଦି ଭୁବନେଶ୍ବର ନାଚ୍ୟୁରାଲ ହିଷ୍ଟ୍ରି ସଂଗ୍ରହାଳୟରେ ସୁସଜ୍ଜିତ। ନିଜର ଅତି ପ୍ରିୟ କଳାକୁ ସର୍ବସାଧାରଣ ଅନୁଷ୍ଠାନକୁ ଅନାୟାସରେ ଦାନ କରିବା ଏକ ମହାନ୍ ପୁଣ୍ୟ। ଅର୍ଥଦାନ ଅପେକ୍ଷା କଳାକୃତି ଦାନ ମହତ୍ତର। କାରଣ ଏଥିରୁ ଜଣେ ବ୍ୟକ୍ତିଙ୍କର ରୁଚିବୋଧ ସ୍ପଷ୍ଟ ଜଣାପଡ଼େ। ଶ୍ରୀଯୁକ୍ତ ବେଉରିଆ କେବଳ କଳାକୁ ଭଲ ପାଉଥିଲେ, ତା’ ନୁହେଁ, ସେ ନିଜେ ମଧ୍ୟ ତୁଳୀ ରଙ୍ଗ କିଣି କିଛି ଛବି ଆଙ୍କିଥିଲେ, ଯାହା ମୋ ମତରେ ଅତି ଉଚ୍ଚକୋଟୀର। ସେ ଯେପରି ସରଳ ଓ ଅମାୟିକ, ସେ ଆଙ୍କିଥିବା ଛବିଗୁଡ଼ିକ ସେହିପରି ଅତି ସରଳ ଓ ସ୍ପଷ୍ଟ। ସେଥିରେ ଆଦୌ ଜଟିଳତା ନ ଥାଏ। କିନ୍ତୁ ଥାଏ ଏକ ଅତି ଆଧୁନିକ ଅର୍ଥପୂର୍ଣ୍ଣ ଅଦେଖା ଅନ୍ତର୍ଭାବନା।
ତାଙ୍କର ସାହିତ୍ୟ ଓ ଓଡ଼ିଶା ପ୍ରତି ଅନୁରାଗ, ତାଙ୍କ ଲିଖିତ ପୁସ୍ତକରୁ ଜଣାପଡ଼େ। ଭାଷା ଅତି ସରଳ ଓ ସମ୍ବେଦନଶୀଳ। ଏହି ରଚନାତ୍ମକ ଭାବନା ତାଙ୍କୁ ଓଡ଼ିଶାରେ ଅନେକ ଅନୁଷ୍ଠାନ ସହିତ ଯୋଡ଼ି ଦେଇଥିଲା। କେବେ ସେ ପଦପଦବିର ଆଡ଼ମ୍ବରରେ ଭାସି ଯାଇ ନଥିଲେ, ବରଂ ଜଣେ କାର୍ଯ୍ୟଦକ୍ଷ କର୍ମୀ ହିସାବରେ ଅକୁଣ୍ଠିତ ଭାବରେ କାମ କରୁଥିଲେ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ପାଇଁ। ସାଧାରଣ ଲୋକମାନଙ୍କ ସହିତ ରହି ସାଧାରଣ ଭାବରେ କିଛି ଗୁଣାତ୍ମକ ପରିବର୍ତ୍ତନ ଆଣିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା। ଦେଶ ବାହାରେ ଥିବା ସାଧାରଣ ଓଡ଼ିଆମାନଙ୍କ ସହିତ ଅତି ସହଜରେ ସେ ମିଶି ପାରିଥିଲେ ଓ ଏହି ଓଡ଼ିଆପଣ ତାଙ୍କୁ ଏକ ଅଦ୍ବିତୀୟ ବ୍ୟକ୍ତିର ପରିଚୟ ଦିଏ। ମ୍ୟାନ୍ମାରରେ ହେଉ ବା ବାଂଲାଦେଶରେ, ନ୍ୟୁର୍ୟକରେ ହେଉ ବା ମାଡାଗାସ୍କରରେ, ଶ୍ରୀଯୁକ୍ତ ବେଉରିଆ ଜଣେ ସାଧାରଣ ଓଡ଼ିଆପ୍ରେମୀ ଅଫିସର ବୋଲି ଜଣାଶୁଣା ଥିଲେ। ଏକ ମାସ ତଳେ ସେ ଓଡ଼ିଆର୍ଟ ସେଣ୍ଟରର ସଭାପତି ଦାୟିତ୍ବ ଗ୍ରହଣ କରିଥିଲେ। ମାସକ ମଧ୍ୟରେ ତାଙ୍କ ସହିତ ମିଶି ଆମେ ଅନେକ ସ୍ବପ୍ନ ଦେଖିଥିଲୁ, ଅନେକ ଯୋଜନା କରିଥିଲୁ। ଏ ବର୍ଷର ଡିସେମ୍ବର ମାସରେ ବାର୍ଷିକ ଉତ୍ସବର ଶିରୋନାମା ସେ ରଖିଥିଲେ, ‘‘ଚିଲିକା କଳା ସମାଗମ: ଉତ୍ତରଣ ପାଇଁ ଟ୍ରାନ୍ସ ଡିସିପ୍ଲିନାରି କଳା’’। କିନ୍ତୁ ଦୁର୍ଭାଗ୍ୟ, ସେ ଆଉ ରହିଲେ ନାହିଁ। ଆମ ପାଖରେ ରହିଗଲା, ତାଙ୍କ ପ୍ରଦତ୍ତ ଚିନ୍ତାଧାରା ଓ ଯୋଜନା।
ପ୍ରତିଷ୍ଠାତା, ଓଡ଼ିଆର୍ଟ ସେଣ୍ଟର
ମୋ: ୯୮୬୮୩୦୧୭୪୨