ପୁଲିସକୁ ମାଡ଼ ମାରିବା ଘଟଣା: ଫେରାର ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁର ବାଲିସାହି ଗାଁରେ ପୁଲିସକୁ ଆକ୍ରମଣ କରି ଫେରାର ମାରିଥିବା ଅଭିଯୁକ୍ତକୁ ତିର୍ତ୍ତୋଲ ପୁଲିସ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିକଣି ଗାଁରୁ ଗିରଫ କରିଛି । ଅଭିଯୁକ୍ତ ହେଉଛି ବାଲିସାହି ଗାଁର ନନ୍ଦକିଶୋର ବରାଳ । ଅଭିଯୁକ୍ତଠାରୁ ପୁଲିସ ଏକ ଘଣ୍ଟ, ଅଙ୍ଗନ ବାଡ଼ି ଘରୁ ଚୋରି ହୋଇଥିବା ପାଣି ଉଠା ମୋଟର ଓ ସେ ବ୍ୟବହାର କରିଥିବା ଖଣ୍ଡାକୁ ଜବତ କରିଛି । ବାଲିସାହି ଗାଁ ମନ୍ଦିରରୁ ଚୋରି ଅଭିଯୋଗରେ ଗତକାଲି ତିର୍ତ୍ତୋଲ ପୁଲିସ ସନ୍ଧାନୀ କୁକୁର ସହ ନନ୍ଦକିଶୋରକୁ ଧରିବା ପାଇଁ ତା ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ଖଣ୍ଡା ଓ ଲାଠି ସାହାଯ୍ୟରେ ଆକ୍ରମଣ କରିଥିଲା । ପୁଲିସକୁ ଆକ୍ରମଣ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲା ।

ଉପରୋକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଥିଲା । ଅନ୍ୟପଟରେ ପୁଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଗତକାଲି ରାତି ସାରା ପୁଲିସର ଟିମ ଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ଅଭିଯୁକ୍ତ ନନ୍ଦକିଶୋରକୁ କୁଜଙ୍ଗ ଥାନା ବାଲିକଣିରେ ତାର ଜଣେ ସଂପର୍କୀୟଙ୍କ ଘରୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ଠାରୁ ପୁଲିସ ଏକ ଘଣ୍ଟପାଣି ଉଠା ମୋଟର ଓ ସେ ବ୍ୟବହାର କରିଥିବା ଖଣ୍ଡାକୁ ଜବତ କରିଛି । ତା’ ନାଁରେ ଏକାଧିକ ମାମଲା ଥିବା ତିର୍ତ୍ତୋଲ ଏସ୍‌ଡିପିଏ ଦୀପକ ଜେନା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବୁଧବାର ରାତି ସାଇଲୋ ପଂଚାୟତ ତୋଟାସାହି ଗ୍ରାମର ବୁଢ଼ୀ ଜାଗୁଳାଇ ମନ୍ଦିର ତାଲା ଭାଙ୍ଗି ଚୋରି ହୋଇଥିଲା । ଏନେଇ ଗାଁ ଲୋକେ ଥାନାରେ ଏତଲା ଦେଇଥିଲେ । ପୁଲିସ ସନ୍ଧାନି କୁକୁର ସାହାଯ୍ୟରେ ତଦନ୍ତ କରିଥିଲା । ତୋଟାସାହି ମନ୍ଦିର ଠାରୁ ସନ୍ଧାନୀ କୁକୁର ପଡୋଶୀ ବାଲିସାହି ଗ୍ରାମର ରତ୍ନାକର ବରାଳଙ୍କ ଘର କବାଟକୁ ଇଙ୍ଗିତ କରିଥିଲା । କବାଟ ବନ୍ଦ ଥିବାରୁ ସାଙ୍ଗରେ ଥିବା କନେଷ୍ଟବଳ ଜଣଙ୍କ କବାଟ ବାଡାଇ ଘରେ କିଏ ଅଛ ଡାକିଥିଲେ । ଘର ଭିତରୁ ରତ୍ନାକରଙ୍କ ପୁଅ ନନ୍ଦକିଶୋର ଏକ ମାରଣାସ୍ତ୍ର ଧରି ବାହାରକୁ ଆସି ହଠାତ କନେଷ୍ଟବଳଙ୍କୁ ଗାଳିଗୁଲଜ କରବା ସହିତ ଆକ୍ରମଣ କରିଥିଲା । ଗାଁ ଦାଣ୍ଡରେ କନେଷ୍ଟବଳଙ୍କୁ ଗୋଡେଇ ଗୋଡେଇ ମାରୁଥିବା ବେଳେ ଅଟକାଇବାକୁ ଉଦ୍ୟମ କରୁଥିବା ୨ ଜଣ ଆହତ ହୋଇଥିଲେ । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ସମ୍ବନ୍ଧିତ ଖବର