ନବରଙ୍ଗପୁର: ନବରଙ୍ଗପୁର ଉପକାରଗାରର ଫାଟକ ନିକଟରୁ ଜଣେ ବିଚରାଧୀନ ବନ୍ଦୀ ଆଜି ମଧ୍ୟାହ୍ନରେ ଫେରାର ହୋଇଥିବା ବେଳେ ପୁଣି ଅପରାହ୍ନରେ କାବୁ କରିବାରେ ସଫଳ ହୋଇଛି ପୁଲିସ। ଫେରାର କଏଦୀର ନା ଲୁକୁ ଭୂମିଆ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ପୁଲିସ ହେପାଜତରୁ ଫେରାର ହୋଇଥିବା କଏଦୀ ପୁଣି ଅପରାହ୍ନରେ ପୁଲିସ ହାତରେ ଧରା ପଡ଼ି ଥାନାକୁ ନିଆଯାଇଥିବା ସୂଚନା ମିଳିଛି ।
ପୁଲିସ ସୂଚନା ମୁତାବକ ଲୁକୁ ଭୂମିଆ ଅନ୍ୟ ପାଞ୍ଚ ଜଣ ସହଯୋଗୀଙ୍କ ସହ ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ନଗଦ ୨ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଡକାୟତି କରିଥିଲା। ଏହି ମାମଲାରେ ପୁଲିସ ଗତ ମାର୍ଚ୍ଚ ୧୭ ତାରିଖରେ ଲୁକୁ ଭୂମିଆକୁ ପୁଲିସ ଗିରଫ କରି ଜେଲ ହାଜତକୁ ପଠେଇଥିଲା । ଆଜି ପୂର୍ବାହ୍ନରେ ଏକ କୋର୍ଟ ଭ୍ୟାନ ଯୋଗେ ଲୁକୁଙ୍କ ସହ ଅନ୍ୟ ୩୦ ଜଣ କଏଦୀକୁ କୋର୍ଟରେ ହାଜର କରିଥିଲା ପୁଲିସ । କୋର୍ଟ କାମ ଶେଷ ହେବାପରେ ପୁଣି ଉକ୍ତ ଭ୍ୟାନ ଯୋଗେ ୩୦ ଜଣ କଏଦୀଙ୍କୁ ନେଇଁ ଜେଲ ହାଜତ ତଥା ଉପକାରଗାରକୁ ଅଣାଯାଇଥିଲା।
ତେବେ ଜେଲ ଗେଟ ନିକଟରେ କାମ ଚାଲିଥିବାରୁ ଫାଟକ ନିକଟରୁ କୌଶଳ କ୍ରମେ ଲୁକୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ଦାୟିତ୍ୱରେ ଥିବା ପୁଲିସ ମଧ୍ୟ ଲୁକୁ ର ପିଛା କରି ଦୌଡିଥିଲେ ହେଁ କୌଣସି ସୁଫଳ ମିଳିନଥିଲା । ପୁଲିସ ପକ୍ଷରୁ ଅନେକ ସ୍ଥାନରେ ବହୁ ଖୋଜାଖୋଜି ଜରାଯାଇ ସମଗ୍ର ନବରଙ୍ଗପୁର ଏରିଆକୁ ସିଲ କରାଯାଇଥିଲା। ଲୁକୁକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ଅନୁସନ୍ଧାନ ଜାରି ରହିଥିଲା। ଶେଷରେ ଜମାଲ କଲୋନି ନିକଟରେ ଥିବା ଏକ ବୁଦା ଭିତରୁ ଅପରାହ୍ନ ସାଡେ ୪ଘଣ୍ଟା ସମୟରେ ଲୁକୁ କୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା। ଏହାପରେ ଲୁଲୁକୁ ଥାନାକୁ ଆଣି ଅନ୍ୟ ଏକ ମାମଲା ରୁଜୁ କରାଯାଇଛି। ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବାପରେ ଲୁକୁକୁ ପୁଣି ଜେଲ ହାଜତକୁ ପଠେଇ ଦିଆଯିବ ବୋଲି ପୁଲିସ ସୂଚନା ଦେଇଛି।