ହେମଗିର: ଗତ ଜାନୁଆରି ୨୬ ତାରିଖ ରାତିରେ ଛତାବର ଡୁଙ୍ଗୁରିପଡ଼ାରେ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଘଟଣାରେ ପୁଲିସ ଫେରାର ଅଭିଯୁକ୍ତ ଦମ୍ପତିଙ୍କୁ ଛତିଶଗଡ଼ରୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ ଛତିଶଗଡ଼ ରାଏଗଡ ଜିଲ୍ଲା କୋତୱାଲି ଥାନା ଚାନ୍ଦମାରୀ ଗାଁର ଲମ୍ବୋଦର ଭୂୟାଁ(୬୪) ଓ ଉର୍ମିଳା ଭୂୟାଁ(୪୬)।

Advertisment

ସୂଚନାଯୋଗ୍ୟ ଯେ, ଜାନୁଆରି ୨୭ ତାରିଖ ରାତିରେ ମୃତକ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ହୃଷୀକେଶ ଓରଫ ଆନନ୍ଦ ମାଝୀ(୪୯)ଙ୍କ ଶବ ଅଭିଯୁକ୍ତ ଦମ୍ପତି ରହୁଥିବା ଛତାବର ଡୁଙ୍ଗୁରିପଡାସ୍ଥ ଭଡ଼ାଘର ବାଡ଼ି କୂଅରେ ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଅଗ୍ନିଶମବାହିନୀ ସହାୟତାରେ କୂଅରୁ ଶବ ଉଦ୍ଧାରକରି ବ୍ୟବଚ୍ଛେଦ କରାଇଥିଲା। ଶବଦେହରେ କ୍ଷତଚିହ୍ନ ସହ କୂଅପାଖରେ ରକ୍ତ ଛିଟା ପଡ଼ିଥିବା ଦେଖାଯାଇଥଲା। ଘଟଣା ପରେ ଉକ୍ତ ଭଡ଼ାଘରେ ରହୁଥିବା ଛତିଶଗଡ଼ର ଉକ୍ତ ଦମ୍ପତି ଫେରାରଥିବାରୁ ପୁଲିସ ସେମାନଙ୍କ ଉପରେ ସନ୍ଦେହକରି ଛତିଶଗଡ଼ରୁ ଉଭୟଙ୍କୁ ଧରିଥିଲା। ପଚରାଉଚରା ପରେ ଉଭୟେ ହତ୍ୟା ଘଟଣାକୁ ସ୍ବୀକାର କରିଥିଲେ। ନିୟମିତ ଭାବେ ମୃତକ ମଦ୍ୟପାନକରି ସେମାନଙ୍କ ଭଡ଼ାଘରେ ଆସି ହଇରାଣହରକତ କରୁଥିଲା। ଜାନୁଆରୀ ୨୬ ରାତିରେ ମଧ୍ୟ ମୃତକ ସେଠାକୁ ଯାଇ ଝଗଡ଼ା କରିବାରୁ ଅଭିଯୁକ୍ତ ଦମ୍ପତି ଏକବାଡ଼ିରେ ଆନନ୍ଦଙ୍କୁ ମାଡ଼ମାରି ହତ୍ୟାକରି ଉକ୍ତ କୂଅରେ ଫିଙ୍ଗିଦେଇ ରାତାରାତି ଛତିଶଗଡ଼କୁ ଫେରାର ହୋଇଯାଇଥିଲେ। ପରଦିନ ଉକ୍ତ କୂଅ ପାଖରେ ମୃତକଙ୍କ ବାଇକ୍‌ ଛିଡ଼ା ହୋଇଥିବା ଦେଖି ଗ୍ରାମବାସୀ ଆଖପାଖ ଓ କୂଅରେ ଖୋଜାଖୋଜି କରିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିଛି।