ଭୁବନେଶ୍ୱର : ବହୁ ଦିନ ଧରି ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ୧୫୪ଜଣ କନିଷ୍ଠ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏବେ ଆଉ ୧୨ ଜଣଙ୍କୁ ବହିଷ୍କାର କରାଯାଇଛି। ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଥିବା ମାଲକାନଗିରି ଜିଲ୍ଲାର ୧୦ ପ୍ରାଥମିକ ଶିକ୍ଷକଙ୍କୁ କାର୍ଯ୍ୟରୁ ଅନ୍ତର (ଡିସ୍ଏନ୍ଗେଜମେଣ୍ଟ) କରାଯାଇଥିବା ବେଳେ ସୁନ୍ଦରଗଡ଼ ଶିକ୍ଷା ଅଧିକାରୀଙ୍କ ବିବରଣୀ ଓ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ଦୁଇଜଣ ପ୍ରାଥମିକ ଶିକ୍ଷକଙ୍କୁ ବରଖାସ୍ତ(ଡିସ୍ମିସ୍) କରାଯାଇଛି। ଏଥିସହ ୮ଜଣ ପ୍ରାଥମିକ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଶିକ୍ଷାର ସାମଗ୍ରିକ ବିକାଶ ଉପରେ ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଇ ଆସୁଛି। ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବା ସହ ସମସ୍ତ ବ୍ଲକ୍ ଓ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି।