ବାଲିପାଟଣାରେ ଚାଞ୍ଚଲ୍ୟ: ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ପଡ଼ୋଶୀ କାମାନ୍ଧ ଯୁବକର ଅମାନବୀୟ କାଣ୍ଡ

ବାଲିପାଟଣା : ମାତ୍ର ୯ ବର୍ଷର ନାବାଳିକା। ପୁଣି ପଡ଼ୋଶୀ ଘରର ଝିଅ। କିନ୍ତୁ କାମାନ୍ଧ ଯୁବକର ଲୋଲୁପ ନଜରରୁ ବର୍ତ୍ତିଲାନି ବିଚାରି। ଖରାବେଳେ ନିର୍ଜନତାର ସୁଯୋଗରେ ଗାଁ ଦାଣ୍ଡରୁ ଉଠାଇ ନେଇ ଦୁର୍ବୃତ୍ତ ନାବାଳିକାକୁ ଦୁଷ୍କର୍ମ କରିଛି। ଏବେ ଗୁରୁତର ଅବସ୍ଥାରେ ନାବାଳିକାଟି ହସ୍ପିଟାଲରେ ଜୀବନମରଣ ସହ ସଂଗ୍ରାମ କରୁଛି। ଶୁକ୍ରବାର ବାଲିପାଟଣା ଥାନା ଅଞ୍ଚଳରେ ଘଟିଥିବା ଏହି ଲୋମଟାଙ୍କୁରା କାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପିଶାଚ ଯୁବକ ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ଫେରାର୍ ହୋଇଯାଇଛି। ପୁଲିସ ଅଭିଯୁକ୍ତକୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ବି ତା’ର ପତ୍ତା ମିଳିନାହିଁ।

ସୂଚନାନୁସାରେ ମଧ୍ୟାହ୍ନ ବେଳେ ନାବାଳିକାଟି ଗାଁ ଦାଣ୍ଡରେ ଏକ ପାଣି ଟ୍ୟାପ୍ ପାଖରେ ଏକୁଟିଆ ଗାଧୋଉଥିଲା। ପୂର୍ବରୁ ତା ଉପରେ ଲୋଲୁପଦୃଷ୍ଟି ରଖିଥିବା ୨୦ ବର୍ଷୀୟ ପଡ଼ୋଶୀ ଯୁବକ ପାଇଁ ମଉକା ଜୁଟି ଯାଇଥିଲା। କାରଣ ସେତେବେଳେ ଗାଁ ଦାଣ୍ଡ ନିଛାଟିଆ ଥିଲା। କାମାନ୍ଧ ଯୁବକ ଅଚାନକ ନାବାଳିକାର ମୁହଁ ବନ୍ଦ କରି ଟେକି ନେଇଥିଲା। ଉକ୍ତ ଟ୍ୟାପ୍‌ଠାରୁ କିଛି ଦୂରରେ ଏକ ନିଛାଟିଆ ବଣ ଭିତରେ ଗଛ ଅଢ଼ୁଆଳରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ନାବାଳିକାର ମୁହଁକୁ ଚାପି ରଖିଥିବାରୁ ସେ ଆଉ ପାଟି କରିପାରିନଥିଲା। କିନ୍ତୁ ଅଧିକ ସମୟ ମୁହଁକୁ ଚାପି ଧରିଥିବାରୁ ନାବାଳିକାଟି ଅଣନିଃଶ୍ବାସୀ ହୋଇପଡ଼ିଥିଲା ଓ ଦୁଷ୍କର୍ମ ପରେ ବି ପାଟି କରିବା ସ୍ଥିତିରେ ନଥିଲା। ତେଣୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ପଳାଇବା ପରେ ବି କିଛି ସମୟ ପର୍ଯ୍ୟନ୍ତ ନାବାଳିକାଟି ଗଛମୂଳେ ସେମିତି ଅବଶ ଅବସ୍ଥାରେ ପଡ଼ିରହିଥିଲା। ତେବେ କିଛି ସମୟ ପରେ ସେ ଉଠି କଷ୍ଟେମଷ୍ଟେ ଘରକୁ ଫେରିଥିଲା। ରକ୍ତାକ୍ତ ଅବସ୍ଥାରେ ତାକୁ ଦେଖିବାପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା। କାନ୍ଦି କାନ୍ଦି ନାବାଳିକାଟି ମା’ ଆଗରେ ସବୁ କହିଥିଲା। ଘର କାନ୍ଦବୋବାଳିରେ ଫାଟି ପଡ଼ିଥିବା ବେଳେ ବାପା ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରିଥିଲେ। ଖବର ପାଇ ପିସିଆର୍‌ ସେଠାରେ ପହଞ୍ଚି ତୁରନ୍ତ ନାବାଳିକାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ ବି ଅବସ୍ଥା ସଂକଟାପନ୍ନ ଦେଖି

ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ରେଫର୍‌ କରିଥିଲେ। ପୁଲିସ ହିଁ ତାକୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇଥିଲା। ବହୁ ସମୟ ପର୍ଯ୍ୟନ୍ତ ରକ୍ତସ୍ରାବ ବନ୍ଦ ହୋଇନଥିଲା। କିନ୍ତୁ ପରେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅଭିଯୋଗ ପାଇବା ପରେ ବାଲିପାଟଣା ଥାନା ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତ ପିଶାଚକୁ ଧରିବା ପାଇଁ ଚଢ଼ଉ ଚଳାଇଛି।

ସମ୍ବନ୍ଧିତ ଖବର