କଟକ: ଅଦାଲତି ପ୍ରକ୍ରିୟାର ଅପବ୍ୟବହାର ଜଣେ ଆବେଦନକାରୀଙ୍କୁ ମହଙ୍ଗା ପଡ଼ିଛି। ବେଆଇନ ଭାବେ ଅଟକ ରଖାଯାଇଥିବା ପତ୍ନୀଙ୍କୁ ଉଦ୍ଧାର ପାଇଁ ପତି ଦାୟର କରିଥିବା ହେବିୟସ କର୍ପସ ପିଟିସନ୍କୁ ହାଇକୋର୍ଟ ଖାରଜ କରିଛନ୍ତି। ଏଥି ସହିତ ଆବେଦନକକାରୀ ପତିଙ୍କୁ ୨୫ ହଜାର ଟଙ୍କା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିକଟରେ ଦୁଇ ସପ୍ତାହ ଭିତରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ରାସ୍ତା ପାର୍ଶ୍ବର ଶିଶୁଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଭି.କେ.ବଡେକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଆବେଦନକାରୀଙ୍କ ପତ୍ନୀ ନାବାଳକ ସନ୍ତାନ ସହିତ ନିଜ ଇଚ୍ଛାରେ ରାଉରକେଲାସ୍ଥିତ ନିଜ ଅଭିଭାବକଙ୍କ ନିକଟରେ ରହୁଛନ୍ତି। ଅଦାଲତି ପ୍ରକ୍ରିୟାର ଏପରି ଅପବ୍ୟବହାରକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ କହିଛନ୍ତି ଯେ ପତି ନିଜ ଆଦେଶ ଅନୁସାରେ କାର୍ଯ୍ୟ କରିବାକୁ ପତ୍ନୀଙ୍କୁ ବାଧ୍ୟ କରି ପାରିବେ ନାହିଁ ବା ପତ୍ନୀଙ୍କୁ ନିଜ ପଣ୍ୟଦ୍ରବ୍ୟ ଭଳି ବ୍ୟବହାର କରି ପାରିବେ ନାହିଁ। ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରକୁ ନିର୍ଦ୍ଦିଷ୍ଟ ଲିଙ୍ଗର ବ୍ୟକ୍ତି ୱାନ୍ ୱେ ଟ୍ରାଫିକ୍ ଭାବେ ବ୍ୟବହାର କରି ପାରିବେ ନାହିଁ। ନିଜ ଜୀବନ ସଂକ୍ରାନ୍ତରେ ସ୍ବାଧୀନ ନିଷ୍ପତ୍ତି ନେବା ପାଇଁ ପତ୍ନୀଙ୍କ ଅଧିକାର ରହିଛି। ଯଦି ପତିଙ୍କ ଠାରୁ ଅଲଗା ରହିବା ପାଇଁ ପତ୍ନୀ ଫଇସଲା କରନ୍ତି, ଏପରି ସ୍ଥିତିରେ କୋର୍ଟଙ୍କ ହେବିୟସ କର୍ପସ ରିଟ୍ ଜାରି କରିବା କ୍ଷମତାର ପତି ଅପବ୍ୟବହାର ବା ଦୁରୁପଯୋଗ କରି ପାରିବେ ନାହିଁ। ବିନା କୌଣସି ଅଧାରରେ ପତି ଏହି ହେବିୟସ କର୍ପସ ପିଟିସନ ଦାଖଲ କରିଥିବାରୁ ଏହାକୁ ଖାରଜ କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ଚାରି ବର୍ଷ ତଳେ ଆବେଦନକାରୀଙ୍କ ବିବାହ ହୋଇଥିଲା। ପତ୍ନୀଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି; ତାଙ୍କୁ ଉଦ୍ଧାର କରାଯାଉ ବୋଲି ଦର୍ଶାଇ ପତି ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାୟର କରିଥିଲେ। ସେ ପୁଲିସ ନିକଟରେ ଦାଖଲ କରିଥିବା ଅଭିଯୋଗକୁ ଗ୍ରହଣ କରାଯାଇ ନଥିଲା। ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ନିଜ ସନ୍ତାନ ସହିତ ରାଉରକେଲାସ୍ଥିତ ଅଭିଭାବକଙ୍କ ଘରେ ପତ୍ନୀ ରହୁଥିବା ପୁଲିସକୁ ଅବଗତ କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଆବେଦନକାରୀ ତାଙ୍କ ପତ୍ନୀଙ୍କୁ ବେଆଇନ ଅଟକ ନେଇ କରିଥିବା ଅଭିଯୋଗ ଅମୂଳକ ଓ ଦାମ୍ପତ୍ୟ ବିବାଦ ପାଇଁ ଏପରି ଆବେଦନ ଦାୟର କରାଯାଇଛି। ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/31/AHrIWRi0nUB2qMMsIlHQ.jpg)