ସ୍ବତନ୍ତ୍ର ଟ୍ରେନ୍‌ ନାଁରେ ଯାତ୍ରୀଙ୍କୁ ଶୋ‌ଷଣ, ନିୟମିତ ଦରଠାରୁ ୩୦% ଅଧିକ ଆଦାୟ

ଯାତ୍ରୀଙ୍କୁ ମିଳୁନି ୩୮ଟି ରିହାତି ସୁବିଧା, କେବେ ଗଡ଼ିବ ସମ୍ପୂର୍ଣ୍ଣ ପାସେଞ୍ଜର?

ଭୁବନେଶ୍ବର : ଓଡ଼ିଶାରେ କୋଭିଡ୍‌ ସଂକ୍ରମଣ ହଜାର ତଳକୁ ଖସିଲାଣି। ଜୀବନଯାତ୍ରା ସ୍ବାଭାବିକସ୍ତରକୁ ଫେରୁଛି। କଟକଣା ଭିତ‌ରେ ସ୍କୁଲ, କଲେଜ, ମଲ୍‌, ସିନେମା ହଲ୍‌, ଧର୍ମାନୁଷ୍ଠାନ ଖୋଲିଲାଣି। ବସ୍‌ ଚଳାଚଳ ବି କଲାଣି। ‌ଏତେ ସବୁ ପରେ ବି ନିୟମିତ ଟ୍ରେନ୍‌ ସ୍ବାଭାବିକ ଭାବେ ଚଳାଚଳ କରିନାହିଁ। ଏହାର ସୁଯୋଗ ନେଇ ସ୍ବତନ୍ତ୍ର ଟ୍ରେନ୍‌ ନାମରେ ‌ରେଳ ମନ୍ତ୍ରଣାଳୟ ଯାତ୍ରୀଙ୍କୁ ଶୋଷଣ କରି ଚାଲିଛି। ଯାତ୍ରୀଙ୍କଠାରୁ ନିୟମିତ ଭଡ଼ାରୁ ୩୦ରୁ ୪୦% ଅଧିକ ଭଡ଼ା ଆଦାୟ କରାଯାଉଛି ବୋଲି ଅଭିଯୋଗ ହେଉଛି। ସେହିପରି ଅଳ୍ପ କିଛି ସ୍ବତନ୍ତ୍ର ଟ୍ରେନ୍‌କୁ ଛାଡ଼ି ଦେଲେ ପାସେଞ୍ଜର ଓ ମେମୁ ଟ୍ରେନ୍‌ ରାଜ୍ୟ ଭିତରେ ଗଡ଼ୁ ନ ଥିବାରୁ ଯାତ୍ରୀମାନେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯାତ୍ରୀଙ୍କ ମାସିକିଆ ପାସ୍‌ ବ୍ୟବସ୍ଥାକୁ ଦେଢ଼ ବର୍ଷ ହେଲା ବନ୍ଦ କରି ଦିଆଯାଇଛି। କୋଭିଡ୍‌-୧୯ ସଂକ୍ରମଣ ଦିନଠାରୁ ଅର୍ଥାତ୍‌ ୨୦୨୦ ମାର୍ଚ୍ଚରୁ ଏହି ବ୍ୟବସ୍ଥାକୁ ଉଠାଇ ଦିଆଯାଇଥିବାରୁ ନିତିଦିନିଆ ଟ୍ରେନ୍‌ରେ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀଠୁ ଚାକିରିଆ ଓ ଦିନମଜୁରିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି। ବସ୍‌, ଅଟୋ ଉପରେ ନିର୍ଭର କରି ପ୍ରତିଦିନ ଖର୍ଚ୍ଚାନ୍ତ ହେବା ସହ ବହୁ ସମୟ ଅପଚୟ ହେଉଛି। ତଥାପି ରେଳ ମନ୍ତ୍ରଣାଳୟର ନିଦ ଭାଙ୍ଗୁନି। ଯେଉଁ କେତେକ ସ୍ବତନ୍ତ୍ର ଟ୍ରେନ୍‌ ଗଡ଼ୁଛି, ସେଥିରେ ପ୍ରବଳ ଭିଡ଼ ହେଉଛି। ୩/୪ଦିନ ଆଗରୁ ବୁକିଂ ନକଲେ ଟ୍ରେନ୍‌ରେ ସିଟ୍‌ ମିଳୁନି। ଯାତ୍ରୀଙ୍କୁ ୱେଟିଂ(ଅପେକ୍ଷା)ରେ ରହିବାକୁ ପଡ଼ୁଛି। ଟ୍ରେନ୍‌ର ସଂରକ୍ଷିତ ବଗି ସିଟ୍‌ ପୂର୍ଣ୍ଣ ହେବା ପରେ ଏସ୍‌ଏଲ୍‌ଆର୍‌(ଲଗେଜ୍‌ ଭ୍ୟାନ)ରେ ବି ଯାତ୍ରୀ ପରିବହନ କରାଯାଉଛି। ଯାତ୍ରୀ ଭିଡ଼କୁ ନଜରରେ ରଖି ପୂର୍ବରୁ ଜେନେରାଲ ବଗିରେ ଥିବା ସିଟ୍‌କୁ ସଂରକ୍ଷିତ ଟିକେଟ୍‌ ଭାବେ ପରିବର୍ତ୍ତନ କରାଯାଇ ଟିକେଟ୍‌ କଟାଯାଉଛି। ଏହାଦ୍ବାରା ଯାତ୍ରୀଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ୁଛି।

ମିଳିଥିବା ସୂଚନା ଅନୁଯାୟୀ, କରୋନା ପୂର୍ବରୁ ଟ୍ରେନ୍‌ ଯାତ୍ରୀଙ୍କୁ ୫୩ଟି ବର୍ଗରେ ରିହାତି ସୁବିଧା ଯୋଗାଇ ଦିଆଯାଉଥିଲା। ବର୍ତମାନ ସେଥିମଧ୍ୟରୁ ୩୮ଟି ବର୍ଗର ରିହାତି ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଏହାଦ୍ବାରା ମାସିକିଆ ପାସ୍‌ଧାରୀ, ବରିଷ୍ଠ ନାଗରିକ, ଖେଳାଳି, ଛାତ୍ରଛାତ୍ରୀମାନେ ପ୍ରଭାବିତ ହେଉଛନ୍ତି। କୌଣସି ପର୍ବପର୍ବାଣୀରେ ସ୍ବତନ୍ତ୍ର ଟ୍ରେନ୍‌ ଚଲାଯିବା ବେଳେ ଅଧିକ ଦର ଆଦାୟ କରାଯାଇଥାଏ। ‌ମାତ୍ର କୋଭିଡ୍‌ ଆଳରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି।

କୋଭିଡ୍‌ ସଂକ୍ରମଣ ପୂର୍ବରୁ ଓଡ଼ିଶା ଭିତରେ ୩୨ଟି ଇଣ୍ଟରସିଟି, ମେମୁ ଓ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁଥିଲା। ତେବେ କରୋନା ସଂକ୍ରମଣ ଯୋଗୁଁ ଗତବର୍ଷ ମାର୍ଚ୍ଚ ୨୨ରୁ ଏଥିରୁ ଅଧିକାଂଶ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଟ୍ରେନ୍ ନ ଚାଲିବାରୁ ଭୁବନେଶ୍ବର, କଟକ, ରାଉରକେଲା, ବଲାଙ୍ଗୀର, ଭଦ୍ରକ, ପାରାଦୀପ ପରି ସହରର ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥା କର୍ମଚାରୀ ବହୁ ପରିମାଣରେ ପ୍ରଭାବିତ ହେଉଛନ୍ତି। ଯାତ୍ରୀ ହେଉ ନଥିବା ଦର୍ଶାଇ ପୂର୍ବତଟ ରେଳପଥ ପକ୍ଷରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପୁରୀ-କଟକ-ପୁରୀ ଟ୍ରେନ(୦୮୪୩୨/୦୮୪୩୧), ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଟ୍ରେନ(୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ ଟ୍ରେନ(୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ଟ୍ରେନ(୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ଟ୍ରେନ(୦୮୪୫୪/୦୮୪୫୩)କୁ ବାତିଲ୍‌ କରାଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ଉପରେ ଅଧିକାଂଶ ଯାତ୍ରୀ ନିର୍ଭରଶୀଳ ହୋଇଥାନ୍ତି। ଅଭିଯୋଗ ହେଉଛି ଯେ ସ୍ବତନ୍ତ୍ର ଟ୍ରେନ୍‌ ନାମରେ ଭଡ଼ା ବଢ଼ାଇ ଦିଆଯାଇଥିଲେ ମଧ୍ୟ ଯାତ୍ରୀଙ୍କୁ ଉଚିତ ସେବା ମିଳୁନି। ଇଣ୍ଟରସିଟି ଟ୍ରେନ୍‌ରେ ବସିବା ବେଳେ ସିଟ୍‌ ମଧ୍ୟରେ ସାମାଜିକ ଦୂରତ୍ୱ ରହୁନାହିଁ। ଛୋଟ ସିଟ୍‌ରେ ୩ଜଣ ଲେଖାଏଁ ବସୁଛନ୍ତି। ଟ୍ରେନ୍‌ ଭିତରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ଭାବେ ହେୟଜ୍ଞାନ କରାଯାଉଛି। ଯେଉଁଥିପାଇଁ ବୟସ୍କ ଓ ଶିଶୁଙ୍କ ପାଇଁ ବିପଦ ସୃଷ୍ଟି ହେଉଛି। ତେଣୁ ଯାତ୍ରୀମାନେ ଟ୍ରେନ୍‌ରେ ଯିବା ପରିବର୍ତ୍ତେ ବସ୍‌ରେ ଯାତ୍ରା କରିବାକୁ ଉଚିତ ମଣୁଛନ୍ତି। ଏଣେ ରେଳପଥ ପକ୍ଷରୁ କୁହାଯାଉଛି ଯେ ‌ଯାତ୍ରୀ ହେଉନାହାନ୍ତି। ଯଦି ଟିକେଟ୍‌ ମୂଲ୍ୟ ଅଧିକ ରହିବ, ତେବେ ଯାତ୍ରୀମାନେ ଟ୍ରେନ୍‌ରେ କାହିଁକି ଯିବେ? ଅପରପକ୍ଷେ ସବୁ ଟିକେଟ୍‌ କାଉଣ୍ଟର୍‌ ‌‌ଖୋଲାଯାଇ ନଥିବାରୁ ଅଧିକାଂଶ ଯାତ୍ରୀ ଅନ୍‌ଲାଇନ୍‌ରେ ଟିକେଟ୍‌ କରିପାରୁ ନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଯେତେବେଳେ ବି ସ୍ବତନ୍ତ୍ର ଟ୍ରେନ୍‌ ଚା‌ଲେ, ଯାତ୍ରୀଙ୍କଠାରୁ ଅଧିକ ଅର୍ଥ ଆଦାୟ କରାଯାଏ। ପାର୍ବଣ ଟ୍ରେନ୍‌ରେ ବି ଏହ‌ି ଅର୍ଥ ନିଆଯାଇଥାଏ। ଏବେ ଅଧିକାଂଶ ଟ୍ରେନ୍‌ରେ ଯାତ୍ରୀ ହେଉନାହାନ୍ତି। ମାତ୍ର ୧୦ରୁ ୧୫ପ୍ରତିଶତ ଯାତ୍ରୀଙ୍କୁ ନେଇ ଟ୍ରେନ୍‌ ଗଡ଼ୁଛି। ଏହାଦ୍ବାରା ବହୁତ କ୍ଷତି ସହିବାକୁ ପଡ଼ୁଛି। କୋଭିଡ୍‌ ସ୍ଥିତିକୁ ନଜରରେ ରଖି ଟ୍ରେନ୍‌ ଚଳାଇବା ନେଇ ନିଷ୍ପତ୍ତି ନିଆଯାଉଛି।

ସମ୍ବନ୍ଧିତ ଖବର