ରାଜଧାନୀରେ ଚାଞ୍ଚଲ୍ୟ : ସ୍ୱାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ

ଢାବାରେ କାମ କରୁଥିଲେ ଦମ୍ପତି, ଢାବା ମ୍ୟାନେଜର୍‌ ଗିରଫ

ଭୁବନେଶ୍ୱର : ସ୍ୱାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ। ଅଟକାଇବାରୁ ମାଡ଼ ମାରିବା ସହ ଚାକିରି ନେଇଯିବା ଧମକ। ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶନିବାର ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଥିବା ଏକ ନାମକରା ଢାବାରେ ଏହି ଘଟଣା ଘଟିଥିଲେ ହେଁ ଆଜି ପଦାକୁ ଆସିଛି। ଏହି ଘଟଣାରେ କ୍ୟାପିଟାଲ୍‌ ଥାନା ପୁଲିସ୍‌ ଅଭିଯୁକ୍ତ ତଥା ଢାବାର ମ୍ୟାନେଜର୍‌ ସୁକାନ୍ତ ନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି। ସୁକାନ୍ତର ଘର ୟୁନିଟ୍‌-୩ ଅଞ୍ଚଳରେ। ଏନେଇ ପୁଲିସ୍‌ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନାନୁଯାୟୀ, ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରୁ ବାହାରିବା ରାସ୍ତାରେ ରହିଥିବା ଏହି ଢାବାରେ ଏକ ଗରିବ ଦମ୍ପତି କାମ କରନ୍ତି। ତେବେ ଦୀର୍ଘ ଦିନ ହେବ ଢାବାର ମ୍ୟାନେଜର୍‌ ସୁକାନ୍ତ ଉକ୍ତ ମହିଳାଙ୍କ ଉପରେ ଆଖି ପକାଇଥିଲା। ଶନିବାର ସଂଧ୍ୟା‌ରେ ଢାବାରେ କେହି ନଥିବା ସୁଯୋଗରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ତେବେ ଏହି ସମୟରେ ବାହାରକୁ ଯାଇଥିବା ମହିଳାଙ୍କ ସ୍ବାମୀ ଫେରି ଆସିବା ସହ ପ୍ରତିବାଦ କରିବାରୁ ସୁକାନ୍ତ ତାଙ୍କୁ ମାଡ଼ ମାରିବା ସହ କଥା ଆଗକୁ ବଢ଼ାଇଲେ ଚାକିରି ନେଇଯିବାର ଧମକ ଦେଇଥିଲା। ଏହି ଗରିବ ଦମ୍ପତିଙ୍କ ପାଖରେ ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ଉଭୟ ଚୁପ୍‌ ରହିଥିଲେ। କାଳେ ଉଭୟ ଥାନାରେ ଅଭିଯୋଗ କରିଦେବେ, ତେଣୁ ସୁକାନ୍ତ କେତେକ ଦଲାଲଙ୍କ ସହାୟତାରେ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲା। କିନ୍ତୁ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ କୌଣସି ସୂତ୍ରରୁ ଖବର ପାଇ ଢାବାରେ ଚଢ଼ଉ କରି ସୁକାନ୍ତଙ୍କୁ ଗିରଫ କରିଥିଲେ।

ସୂଚନାଯୋଗ୍ୟ, ଏହି ଢାବା‌ରେ ପ୍ରତି ସଂଧ୍ୟାରେ ଭିଡ଼ ଜମିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଅଭିଯୋଗ ରହିଥିଲା। ଅସାମାଜିକ ତତ୍ତ୍ବଙ୍କ ମଧ୍ୟ ମେଳି ଜମୁଥିଲା। ପୂର୍ବରୁ ପୁଲିସ ଅନେକଥର ଏହା ଉପରେ ଚଢ଼ଉ କରି ବନ୍ଦ କରିବାର ନଜିର ମଧ୍ୟ ରହିଛି।

ସମ୍ବନ୍ଧିତ ଖବର